ଭିଡ଼ହିଂସା କାରଣ ଓ ନିରାକରଣ

Sep 02, 2026 - 08:41
ଭିଡ଼ହିଂସା କାରଣ ଓ ନିରାକରଣ

ଭିଡ଼ହିଂସା ଏଇ କିଛିମାସ ହେଲା ଓଡ଼ିଶାର ବିଭିନ୍ନ ଜାଗାରେ ଯେପରି କ୍ରମାଗତ ଭାବରେ ସୃଷ୍ଟିହୋଇଛି, ହୁଏତ ତାହାର ଉଦାହରଣ ଆଗରୁ ଏତେ ନ ଥିଲା। ଏକ ଅନିୟନ୍ତ୍ରିତ ଅବିବେକୀ ଓ ଉଦ୍‌ଭ୍ରାନ୍ତ ଜନତା ଯେତେବେଳେ ତ୍ୱରିତ ନ୍ୟାୟର ଦ୍ୱାହି ଦେଇ ଆଇନକୁ ନିଜ ହାତକୁ ନିଅନ୍ତି, ଅବିଳମ୍ବେ ତାହା ଭିଡ଼ହିଂସାରେ ରୂପାନ୍ତରିତ ହୁଏ। ଏହା ସୃଷ୍ଟିକରେ ଜଘନ୍ୟ ହତ୍ୟାକାଣ୍ଡ କିମ୍ବା ବର୍ବରୋଚିତ ଆକ୍ରମଣଜନିତ କ୍ଷତି ଓ କ୍ଷତ। କେତେବେଳେ ସମବେତ ଆକ୍ରମଣକାରୀଙ୍କ ପୈଶାଚିକ ପ୍ରବୃତ୍ତିର ପ୍ରଭାବରେ ବହୁ କୋଟି ଟଙ୍କାର ସରକାରୀ ସମ୍ପତ୍ତି ପୋଡ଼ିଯାଇ ଭସ୍ମୀଭୂତ ହୁଏ ତ ପୁଣି କେବେ ଅନୁଶୋଚନାଶୂନ୍ୟ ଆତଙ୍କ ସୃଷ୍ଟିକାରୀ ଜନତାଙ୍କ କବଳରେ ପଡ଼ି କିଏ ଅସମୟରେ ପାଲଟେ ମୃତ୍ୟୁପଥର ଯାତ୍ରୀ।
ରାଜଧାନୀ ସନ୍ନିକଟ ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡ କିମ୍ବା ରାୟଗଡ଼ା ଜିଲାର ସଂଘଟିତ ବାହାର ରାଜ୍ୟର ମହିଳା ସ୍ବେଚ୍ଛାସେବୀଙ୍କ ପ୍ରତି ହୋଇଥିବା ହୃଦୟଥରା ଅସୌଜନ୍ୟ ଘଟଣା ଆମର ସାମୂହିକ ବିବେକକୁ କରିଛି ବିମର୍ଷ। ସବୁ ଭିଡ଼ହିଂସାରେ ଗୋଟିଏ ସମାନ କଥା ଦେଖାଯାଏ, ଯାହା ନ୍ୟାୟସଂହିତାର ମୌଳିକ ତତ୍ତ୍ୱର ପରିପନ୍ଥୀ- ତା’ ହେଲା ଯେଉଁମାନେ ଅଭିଯୋଗକାରୀ ସେଇମାନେ ମୁଦାଲା ପୁଣି ସେମାନେ ହିଁ ତ୍ୱରିତ ନ୍ୟାୟ ନାଟିକାର ନ୍ୟାୟାଧୀଶ। ଉଦ୍ଦାମ ଜନତା ଭିତରେ ସେମାନେ ଏମିତି ଅସୂୟାର ବିଷକ୍ରିୟା ସୃଷ୍ଟିକରି ଥାଆନ୍ତି ଯେ ଅବିଳମ୍ବେ ଜଙ୍ଗଲ ଆଇନର ପ୍ରୟୋଗ ହୋଇଯାଏ। ଆଗରୁ ଏହି ଭୟଙ୍କର ତତ୍ତ୍ୱର ପ୍ରୟୋଗ ଥିଲା ସାମୟିକ ଏବଂ ନିର୍ଦ୍ଦିଷ୍ଟ ଅଞ୍ଚଳ କୈନ୍ଦ୍ରିକ। ଆପାଣମାନେ ଜାଣିଥିବେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକଙ୍କ ଭିତରେ ଥିବା ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ୱାସ ଲୋକଙ୍କ ମନ ମଗଜ ଭିତରକୁ ଏମିତି ପଶିଯାଇଥାଏ ଯେ ଯଦି କାହାର ବାରମ୍ବାର ଘରଲୋକ ବେମାର ପଡ଼ିଲେ, ତା’ହେଲେ ତାହା କୌଣସି କୁଚକ୍ରୀର ଗୁଣିଗାରେଡ଼ିର ଫଳଶ୍ରୁତି ବୋଲି ଧରିନିଆହେଉଥିଲା। ଏହି କ୍ରମରେ ଅନୁମାନକରି କିମ୍ବା ଆଶଙ୍କାରେ ଚିହ୍ନଟ କରାଯାଉଥିଲା ଅପରାଧୀକୁ ଏବଂ ତା’ର ଦଣ୍ଡ ଥିଲା ଅତ୍ୟନ୍ତ କ୍ରୂର ଓ ଅମାନବୀୟ। କେତେବେଳେ କାହାକୁ ପିଲାଚୋର ବୋଲି ଅଭିହିତ କରାଯାଇ ତତ୍‌କ୍ଷଣାତ୍‌ ମରଣାନ୍ତକ ଦଣ୍ଡ ଦିଆଯାଉଥିଲା। ଗାଳ୍ପିକ ଶାନ୍ତନୁ ଆଚାର୍ଯ୍ୟଙ୍କ ଗଳ୍ପଟିଏ ‘ବନ୍ଦରିଆ’। ଦଳେ ଯୁବକ ଗାଁର ଯୁବକସଂଘ ଘରେ ବସି ତାସ ଖେଳୁଥାଆନ୍ତି। ଖରାଦିନ। ତାସଖେଳ ସାଙ୍ଗକୁ ଗପସପରେ ମାତିଥାଆନ୍ତି ଯୁଆନ୍‌ ପିଲାଏ। ଏତିକିବେଳେ କେହି ଜଣେ ଆସି ସମସ୍ତଙ୍କ ଆଗରେ ଖୋଲିଦେଲେ ଗୋଟିଏ କଥା ଯେ ସମସ୍ତଙ୍କ କାନ ଟାଣି ହୋଇ ଆସିଲା କଥାର ଖିଅ ଆଡ଼କୁ – ସେ ଆସିଲାବେଳେ ଦେଖିଆସିଲେ ଯେ ଗୋଟାଏ ଛୁଆଧରା ବହୁ ଦୂରରେ ଛୁଆଟିକୁ ଧରିଯାଉଛି- ତା’ମୁଣ୍ଡରେ ଛତା ଆଉ ପଛରେ ଗୋଟାଏ ଥଳି- ଥଳି ଭିତରେ ଆଉ କ’ଣ ବା ଥାଇପାରେ- ଏତେ ଖରାବେଳେ କାହାର ବା କି ଗରଜ ପଡ଼ିଛି ବିଲ ଭିତର ଦେଇ ଯିବ। ସାଙ୍ଗେ ସାଙ୍ଗେ ଆଲୋଚନା ତାତି ସାରା ଯୁବକସଂଘର ଘର ଭିତରେ ମାଡ଼ିଯାଇଛି, ଏତିକିବେଳେ କିଏ କହିଦେଇଛି ‘ଚାଲଯିବା’ ସେଇ ମୁଣ୍ଡ ବନ୍ଦରିଆଠାରୁ ଛୁଆଟାକୁ ଉଦ୍ଧାର କରିବା। ତା’ପରେ ଯାହା ହାତରେ ଯାହା ବାଡ଼ି କିମ୍ବା ଢେଲା ପଡ଼ିଛି ତାକୁ ଧରି ସମସ୍ତେ ଦୌଡ଼ିଛନ୍ତି ବିଲମୁଣ୍ଡକୁ- ସତକୁ ସତ ଲୋକଟାଏ ଯାଉଛି ଅନେକ ଦୂରରେ- ତା’ ପଛରେ ହୁଏତ ସେଇ ପିଲା ଭର୍ତ୍ତି ହୋଇଥିବା ମୁଣି। ତିରିଶ ଚାଳିଶ ଲୋକ ସେଇ ଦୂରନ୍ତ ଲୋକ ଆଡ଼କୁ ଧାଇଁ ଯାଉଥାନ୍ତି। ସେ ଦେଖିଲା ଏବଂ ନିଜକୁ ବଞ୍ଚାଇବାକୁ ଯାଇ ଦୌଡ଼ିବାକୁ ଲାଗିଲା। ଏପଟର ଯୁବକମାନେ କିଛି ସମୟ ଭିତରେ ତା’ପାଖରେ ପହଞ୍ଚିଗଲେ ଆଉ ତା’ର କିଛି କଥା ନ ଶୁଣି ତାକୁ ଆକ୍ରମଣକଲେ ନିଜ ନିଜର ଗ୍ରାମ୍ୟ ମାରଣାସ୍ତ୍ରରେ। ଆଉ ଯେତେବେଳେ ସମସ୍ତେ ନିଶ୍ଚିତ ହେଲେ ଯେ ସେମାନେ ପିଲାଚୋରକୁ ସାବାଡ୍‌ କରିଛନ୍ତି, ତା’ପରେ ସେମାନେ ତା’ର ପିଠି ଉପରେ ଥିବା ବ୍ୟାଗ୍‌କୁ ଖୋଲିଛନ୍ତି, ମାତ୍ର ତା’ଭିତରେ ପିଲାଜାଗାରେ ଥିଲା ଗୋଟିଏ ପଣସ। ସେତେବେଳକୁ ଲୋକଟିର ପଞ୍ଚତ୍ୱପ୍ରାପ୍ତ ହୋଇସାରିଥାଏ।
ଏହି ଗପରେ ଯେଉଁମାନେ ଏ ହତ୍ୟାକାଣ୍ଡ ଭିଆଇଲେ ସେମାନେ ହୁଏତ ଅଜ୍ଞ ଓ ଅନ୍ଧବିଶ୍ୱାସର ବାହକ। ମାତ୍ର ଆଜିକାଲି ଯେଉଁମାନେ ଏ ଧରଣର ଭୟଙ୍କର କାଣ୍ଡ ସୃଷ୍ଟି କରୁଛନ୍ତି ସେମାନେ ତଥାକଥିତ ଶିକ୍ଷିତ ଏବଂ ସାମୟିକ ହେଲେ ବି ନିଜର ଧାରଣାକୁ ସତ ବୋଲି ଭାବନ୍ତି। ତା’ଛଡ଼ା ତ୍ୱରିତ ନ୍ୟାୟରେ ପକ୍ଷରେ ନିଜର ଯୋଗଦାନକୁ ଐତିହାସିକ ଦାୟିତ୍ୱ ଭାବି ଏକ ଅକ୍ଷମଣୀୟ କାମ କରିପକାନ୍ତି ଅବିଳମ୍ବେ।
ଯଦି ଭିଡ଼ ଭିତରେ କେହି ଜଣେ ଚିତ୍କାରକରି କହିଦେବ ଇଏ ମୋ ପକେଟରୁ ଟଙ୍କା ଛଡ଼ାଇନେଲେ କିମ୍ବା ନେବାକୁ ଚେଷ୍ଟା କରୁଥିଲେ, ସାଙ୍ଗେ ସାଙ୍ଗେ ଅନ୍ୟମାନେ ସତ୍ୟତା ଯାଞ୍ଚ କରିବା ଅପେକ୍ଷା ନିଜର ପୌରୁଷ ସାବ୍ୟସ୍ତ କରିବାକୁ ସମ୍ପୃକ୍ତ ବ୍ୟକ୍ତି ଉପରେ ଆକ୍ରମଣ ଆରମ୍ଭ କରିଦେବେ। ବଡ଼ ବିପଜ୍ଜନକ ସ୍ଥିତି ଇଏ, କେତେବେଳେ ଆପଣ ନିଜେ ସେଭଳି ଭଉଁରି ଭିତରେ ନ ପଡ଼ିଯିବେ ତାହାର ନିର୍ଭରଯୋଗ୍ୟ ଉତ୍ତର କେହି ଦେଇପାରିବେ ନାହିଁ। ଭିଡ଼ ହିଂସା ସତରେ ଏକ ବିଶାଳ ଆବର୍ତ୍ତ ପରି; ସେ କାହାରିକୁ ଚିହ୍ନେନି ସମସ୍ତଙ୍କୁ ନିଜର ବିଶାଳ ବ୍ୟାଦାନ ଭିତରେ ନିମିଷକେ ନିପାତ କରିଦେଇପାରେ।
ଗୋଟିଏ ଜନ ସମାଗମ ହିଂସ୍ର ପାଲଟିଲେ ପରିସ୍ଥିତି କ’ଣ ହେବ ତାହା କହିହୁଏ ନାହିଁ- କାରଣ ସେମାନେ ପାଗଳ ପ୍ରାୟ ଆଚରଣ କରନ୍ତି। ସେଥିପାଇଁ ହିଂସ୍ର ଜନତାକୁ ନିୟନ୍ତ୍ରଣକରିବା ପାଇଁ ମାଜିଷ୍ଟ୍ରେଟ୍‌ ଓ ପୋଲିସକୁ ବହୁ କ୍ଷମତା ଦିଆଯାଇଥାଏ। କେତେବେଳେ ଜନତାଙ୍କ ଢେଲା ପଥର ପିଙ୍ଗାରେ ପୋଲିସ, ମାଜିଷ୍ଟ୍ରେଟ୍‌ ଲହୁଲୁହାଣ ହୁଅନ୍ତି ତ କେତେବେଳେ ପୋଲିସର ଲାଠିଚାର୍ଜ ବା ବନ୍ଧୁକର ଗୁଳିରେ ଲୋକେ ହୁଅନ୍ତି କ୍ଷତାକ୍ତ ବା କାହାରି ଜୀବନଦୀପ ହୁଏ ନିର୍ବାପିତ। ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିବା ମାଜିଷ୍ଟ୍ରେଟ୍‌ଙ୍କୁ କୁହାଯାଇଥାଏ ଜନତା ହିଂସ୍ର ହେବା ମାତ୍ରେ ବଳପ୍ରୟୋଗ କରିବା ପାଇଁ। ଯଦି ଆକ୍ଷରିକ ଅର୍ଥରେ ତାହା ସର୍ବନିମ୍ନ ବଳପ୍ରୟୋଗ ମାତ୍ର ବାସ୍ତବରେ ତାହା ହେଉଛି ଲାଠିଚାଳନା ପରେ ଯେମିତି ଶାନ୍ତିଭଙ୍ଗ କରୁଥିବା ଜନତା ଘରକୁ ଫେରିଯିବେ କିମ୍ବା ହସ୍ପିଟାଲକୁ- ସେମାନେ ପୁନର୍ବାର ଯେମିତି ବଡ଼ ମେଳି କିଛି ନ କରିପାରନ୍ତି ତାହା ହିଁ ନିଶ୍ଚିତ କରାଯାଇଥାଏ।
ମାତ୍ର ଭିଡ଼ହିଂସା ସବୁବେଳେ ପୋଲିସ, ମାଜିଷ୍ଟ୍ରେଟ୍‌ ସାମ୍ନାରେ ହୋଇ ନ ଥାଏ। ଲୋକଙ୍କ ମନ ଭିତରେ ଥିବା ଭାବନା ହଠାତ୍‌ ପ୍ରଳୟଙ୍କାରୀ ସାବ୍ୟସ୍ତ ହୁଏ। ବେଳେବେଳେ ଗୁଜବ ଦ୍ୱାରା ଅନେକ କଥା ପ୍ରଚାରିତ ହୁଏ ଯାହାର ଆଧାର ସତ୍ୟ ହୋଇ ନ ପାରେ- ମାତ୍ର ଲୋକଙ୍କ ମନରେ ଥାଏ ତା’ର ପ୍ରବଳ ପ୍ରଭାବ। ବେଳେବେଳେ ଗଣମାଧ୍ୟମରେ ବହୁ ତଥ୍ୟର ଚଞ୍ଚକତାପୂର୍ଣ୍ଣ ଅବତାରଣା ଓ ପ୍ରସାରଣ ଲୋକଙ୍କୁ ବିଭ୍ରାନ୍ତକରେ। ରାଜନୈତିକ ପୃଷ୍ଠପୋଷକତା ଏଭଳି ପରିସ୍ଥିତିକୁ ଆହୁରି ଅଧିକ ବିଷମକରେ ଏବଂ ଶାନ୍ତିଭଙ୍ଗ ପାଇଁ ପ୍ରୋତ୍ସାହନ ଯୋଗାଏ ଏବଂ ସାମ୍ପ୍ରଦାୟିକ ପରିସ୍ଥିତିକୁ ବିପଜ୍ଜନକ ସ୍ତରକୁ ନେଇଯାଏ। ଭିଡହିଂସାର କାରଣ ଅନୁସନ୍ଧାନରୁ ଜଣାଯାଉଛି ଶତକଡ଼ା ୩୬ ଭାଗ ଗୁଜବ ବା ମିଥ୍ୟା ଖବରରୁ ଉଦ୍‌ଭବ- ପିଲାଚୋରି ଅଭିଯୋଗ ୩୪ ପ୍ରତିଶତ, ଚୋରି ଅଭିଯୋଗ ଶତକଡ଼ା ୧୪ ଏବଂ ଗୋଚାଲାଣ ଭୂମିକା ପ୍ରାୟ ଶତକଡ଼ା ୧୦। ବିପଜ୍ଜନକ ତଥ୍ୟଟି ହେଲା ଭିଡ଼ହିଂସାରେ ଶତକଡ଼ା ୬୮ ଭାଗ ପୀଡ଼ିତଙ୍କ ମୃତ୍ୟୁ ଘଟେ ଏବଂ ଶତକଡ଼ା ୨୨ଭାଗ ଗୁୁରୁତର ଭାବରେ ଆହତ ହୁଅନ୍ତି।
ସୁପ୍ରିମକୋର୍ଟ ତହସିନ୍‌ ପୁନାୱାଲା ଭାରତୀୟ ୟୁନିୟନ ଓ ଅନ୍ୟମାନେ ମାମଲାର ବିଚାରକରି ୨୦୧୩ରେ ଚୂଡ଼ାନ୍ତ ଆଦେଶ ଦେଲାବେଳେ ଏପରି କ୍ଷେତ୍ରରେ ଆକ୍ରମଣକାରୀଙ୍କ ଉପରେ ଦୃଷ୍ଟାନ୍ତମୂଳକ ଦଣ୍ଡଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଭାରତୀୟ ନ୍ୟାୟସଂହିତାର ଧାରା ୧୦୩ ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ, ଆଜୀବନ କାରାଦଣ୍ଡ ସହ ଜରିମାନା ଧାର୍ଯ୍ୟ କରାଯାଇପାରେ। ଆମର ନ୍ୟାୟିକ ପ୍ରକ୍ରିୟାର ଅହେତୁକ ବିଳମ୍ବ ଏପରି ଭିଡ଼ହିଂସାର ଏକ ପ୍ରମୁଖ କାରଣ ବୋଲି ଯାହା ଆଲୋଚନା ହୁଏ ତାହା ମଧ୍ୟ ଗ୍ରହଣଯୋଗ୍ୟ। ମାତ୍ର ଭିଡ଼ହିଂସା କେବେ ବି, ନ୍ୟାୟିକ ବ୍ୟବସ୍ଥାର ସମତୁଲ ହୋଇପାରିବ ନାହିଁ- ଏହା ସମସ୍ତେ ମନେରଖିବା ଉଚିତ। ଭିଡ଼ହିଂସା ପାଇଁ ସମ୍ପୃକ୍ତ ଜିଲାର ପୋଲିସ ମୁଖ୍ୟ ଓ ଥାନାଧିକାରୀଙ୍କୁ ବ୍ୟକ୍ତିଗତ ଭାବରେ ଦାୟୀ କରାଗଲେ ପରିସ୍ଥିତିର ଉନ୍ନତି ହେବ ବୋଲି ବିଶ୍ୱାସ କରାଯାଏ।

ଲେଖକ ଭାରତୀୟ ପ୍ରଶାସନିକ ସେବାର ପୂର୍ବତନ ଅଧିକାରୀ

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।