ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

Sep 19, 2026 - 17:48
ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ଥିବା ମହିଳାଙ୍କ ମୃତଦେହ ୪୩ ଘଣ୍ଟା ପରେ ଶନିବାର ପୂର୍ବାହ୍ଣରେ ସାକୋବାହାଲ ଘାଟରୁ ଉଦ୍ଧାର କରାଯାଇଛି।

ଜଣେ ମତ୍ସ୍ୟଜୀବୀ ନଦୀକୂଳରେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକଙ୍କୁ ସୂଚନା ଦେଇଥିଲେ। ଏନେଇ ସୂଚନା ପାଇ ତଳସରା ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ସୁନ୍ଦରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏଥିସହ ପୋଲିସ ଘଟଣାର ତଦନ୍ତ କରୁଛି।

ପୋଲିସ ମୃତଦେହଟି ଗୁରୁବାର ଅପରାହ୍ଣରେ ନଦୀରେ ଗୋଡ଼ ଖସି ନିଖୋଜ ହୋଇଥିବା ସୁନ୍ଦରଗଡ଼ ସରକାରୀ ମହିଳା ମହାବିଦ୍ୟାଳୟ ସମ୍ମୁଖ ନୂଆପଡ଼ାର ବାସିନ୍ଦା ପ୍ରଜ୍ଞାଶ୍ରୀ ପଣ୍ଡା (୩୯)ଙ୍କର ବୋଲି ଚିହ୍ନଟ କରିଛି। ଏନେଇ ତଳସରା ଥାନାରେ କେସ୍‌ ନଂ. ୨୬/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ପୋଲିସ କହିଛି।

ପ୍ରଜ୍ଞାଶ୍ରୀ ନଦୀରେ ନିଖୋଜ ହେବା ପରେ ଦୁଇ ଦିନ ଧରି ଅଗ୍ନିଶମ ବାହିନୀ, ରାଉରକେଲା ଓ ଝାରସୁଗୁଡ଼ାର ଓଡ୍ରାଫ୍‌ ଟିମ୍‌ ଏବଂ ପୋଲିସ ପକ୍ଷରୁ ଉଦ୍ଧାର ଅଭିଯାନ ଚାଲିଥିଲା। ତେବେ ସେତେବେଳେ ତାଙ୍କର କୌଣସି ସନ୍ଧାନ ମିଳି ନଥିଲା। ଶନିବାର ଜଣେ ମତ୍ସ୍ୟଜୀବୀଙ୍କ ନଜରରେ ନଦୀକୂଳର ଏକ ବୁଦାମୂଳେ ମୃତଦେହଟି ଲାଖି ରହିଥିବା ଦେଖାଯାଇଥିଲା। ସୂଚନା ପାଇ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ପାଣିରୁ ଉଦ୍ଧାର କରିଥିଲା।

ଉଲ୍ଲେଖଯୋଗ୍ୟ, ସୁନ୍ଦରଗଡ଼ ମହିଳା ମହାବିଦ୍ୟାଳୟ ସମ୍ମୁଖ ନୂଆପଡ଼ାର ବାସିନ୍ଦା ପ୍ରଜ୍ଞାଶ୍ରୀ ପଣ୍ଡା ଗୁରୁବାର ଅପରାହ୍ଣ ପ୍ରାୟ ୨ଟାରେ ନିଜ ଭାଇ ରାଜ, ଏକ ଟିଭି ଚ୍ୟାନେଲର ରିପୋର୍ଟର ତଥା ନ୍ୟୁଜ୍‌ ରିଡର୍‌ ଥିବା ଭଉଣୀ ଇତିଶ୍ରୀ ପୁରୋହିତ ଓ ତାଙ୍କ ସ୍ବାମୀଙ୍କ ସହ ଏକ କାର୍‌ ଯୋଗେ କନାକୁଣ୍ଡ ବୁଲିବାକୁ ଯାଇଥିଲେ।

କନାକୁଣ୍ଡରେ ସେତେବେଳେ ଜଳର ସ୍ରୋତ ପ୍ରଖର ଥିଲା। ପ୍ରଜ୍ଞାଶ୍ରୀ ନଦୀକୂଳର ଏକ ଖସଡ଼ା ପଥର ଉପରେ ଛିଡ଼ା ହୋଇ ଫଟୋ ଉଠାଉଥିଲେ। ଏହି ସମୟରେ ଇତିଶ୍ରୀ ଭିଡିଓ କଲ୍‌ ମାଧ୍ୟମରେ ଭୁବନେଶ୍ୱରରେ ଥିବା ଅନ୍ୟ ଜଣେ ଭଉଣୀଙ୍କୁ କନାକୁଣ୍ଡ ଦେଖାଉଥିଲେ। ହଠାତ୍‌ ଭିଡିଓ କଲ୍‌ର ଅପରପାର୍ଶ୍ୱରେ ଥିବା ଭଉଣୀ ‘ଦିଦି ପଡ଼ିଗଲା’ ବୋଲି ଚିତ୍କାର କରି କହିଥିଲେ। ଏହା ଶୁଣି ଇତିଶ୍ରୀ ପଛକୁ ବୁଲି ଚାହିଁବା ବେଳକୁ ପ୍ରଜ୍ଞାଶ୍ରୀ ପ୍ରଖର ସ୍ରୋତରେ ଭାସିଯାଇ ବୁଡ଼ି ଯାଇଥିବା ଦେଖିଥିଲେ।

ଇତିଶ୍ରୀ ଓ ପରିବାରର ଅନ୍ୟମାନେ ସଙ୍ଗେସଙ୍ଗେ ପାଟି କରି ଉଦ୍ଧାର ପାଇଁ ଡାକିଥିଲେ। ଏହି ସମୟରେ ନିକଟସ୍ଥ ଘୋଘର ଗ୍ରାମ କମିଟିର ଯୁବକମାନେ ପହଞ୍ଚିଥିଲେ। ତେବେ ସେତେବେଳକୁ ପ୍ରଜ୍ଞାଶ୍ରୀ ପ୍ରଖର ସ୍ରୋତରେ ଭାସିଯାଇଥିଲେ। ଜଳର ପ୍ରଖର ସୁଅ ଓ ଗଭୀର ଜଳଭଉଁରି ଥିବାରୁ ତାଙ୍କୁ ଉଦ୍ଧାର କରିବା ପାଇଁ କେହି ପାଣି ଭିତରକୁ ପଶିବାକୁ ସାହସ କରିପାରି ନଥିଲେ। ଶେଷରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲା।

ପ୍ରଜ୍ଞାଶ୍ରୀ ଜଣେ ମେଳାପୀ, ସମାଜସେବୀ ଓ ସଂଗଠିକା ଭାବେ ପରିଚିତ ଥିଲେ। ତାଙ୍କ ମୃତଦେହ ଉଦ୍ଧାର ଖବର ପ୍ରଚାରିତ ହେବା ପରେ ସୁନ୍ଦରଗଡ଼ରେ ଶୋକର ଛାୟା ଖେଳିଯାଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।