ଭୋଟର ତାଲିକା ବିବାଦ: ସୋନିଆଙ୍କ ବିରୁଦ୍ଧରେ ମାମଲାର ଶୁଣାଣି ହେବ

Sep 21, 2026 - 20:03

ସମାଜ ଡେସ୍କ: ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବିରୁଦ୍ଧରେ ଭୋଟର ତାଲିକାରେ ଚଂଚକତା କରାଯାଇଥିବା ଅଭିଯୋଗର ତଦନ୍ତ ଚାଲୁ ରହିବ । ସୋମବାର ଏହି ରାୟ ଦେଇଚନ୍ତି ଦିଲ୍ଲୀ ରୋଜ ଆଭେନ୍ୟୁ କୋର୍ଟର ସ୍ପତନ୍ତ୍ର ଜଜ୍ ବିଶାଲ ଗଗନେ । ଗତବର୍ଷ ଏ ନେଇ ଥିବା ମାମଲାକୁ ସ୍ଥାନୀୟ ମାଜିଷ୍ଟ୍ରେଟ ଖାରଜ କରିଦେଇଥିଲେ । ମାମଲାର ଶୁଣାଣି ଆସନ୍ତା ସେପ୍‌ଟେମ୍ବର ୨୯ ତାରିଖ ଦିନ କରିବାକୁ ମାନ୍ୟବର ଜଜ୍ ଶ୍ରୀ ଗଗନେ ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦେବା ସହ ସବୁ ଅଭିଯୋଗର ମୌଖିକ ଆଦେଶ ଜାରି କରିବାକୁ ମଧ୍ୟ ଉଲ୍ଲେଖ କରିଛନ୍ତି ।
ଏଠାରେ ସୂଚନା ଦିଆଯାଇପାରେ ଯେ, ବିକାଶ ତ୍ରିପାଠୀ ନାମକ ଜୈନିକ ବ୍ୟକ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଭୋଟର ତାଲିକାରେ ନାଁକୁ ନେଇ ମାମଲା ଦାଏର କରିଥିଲେ । ଶ୍ରୀ ତ୍ରିପାଠୀ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ ଯେ, ସୋନିଆ ଗାନ୍ଧୀ ୧୯୮୩ ମସିହା ଏପ୍ରିଲ ୩୦ ତାରିଖରେ ଭାରତର ନାଗରିକତ୍ୱ ଗ୍ରହଣ କରିଥିଲେ । ତେବେ ଏହାର ୩ ବର୍ଷ ପୂର୍ବରୁ, ଅର୍ଥାତ ୧୯୮୦ ମସିହାରୁ ତାଙ୍କ ନାଁ ଭୋଟର ତାଲିକାରେ ପଞ୍ଜିକୃତ ହୋଇସାରିଥିଲା । ଅଭିଯୋଗକାରୀ ଆହୁରି ମଧ୍ୟ ଦର୍ଶାଇଥିଲେ ଯେ, ଶ୍ରୀମତୀ ଗାନ୍ଧୀଙ୍କ ନାମକୁ ୧୯୮୨ ମସିହାରେ ତାଲିକାରୁ ବାଦ୍ ଦିଆଯାଇ ପୁଣିଥରେ ୧୯୮୩ ମସିହା ଜାନୁୟାରୀ ୧ ତାରିଖରେ ଯୋଡ଼ା ଯାଇଥିଲା । ତେଣୁ ଚଂଚକତା କରାଯାଇ ଶ୍ରୀମତୀ ଗାନ୍ଧୀଙ୍କ ନାଁ ଭୋଟର ତାଲିକାରେ ଯୋଡ଼ା ଯାଇଥିବା ଅଭିଯୋଗକାରୀ ଦର୍ଶାଇଥିଲେ । ତେବେ ଅଭିଯୋଗକାରୀଙ୍କ ଅଭିଯୋଗ ବଳିଷ୍ଠ ପ୍ରମାଣଯୁକ୍ତ ଓ ଯୁକ୍ତିସଂଗତ ନ ଥିବା ଦର୍ଶାଇ ଗତବର୍ଷ ସେପ୍‌ଟେମ୍ବର ୧୧ ତାରିଖରେ ସ୍ଥାନୀୟ ଅତିରିକ୍ତ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ବୈଭବ ଚୌରାସିଆ ମାମଲାକୁ ଖାରଜ କରିଦେଇଥିଲେ । ମାଜିଷ୍ଟ୍ରେଟଙ୍କ ଏହି ରାୟ ବିରୁଦ୍ଧରେ ଶ୍ରୀ ତ୍ରିପାଠୀ ଉପରକୋର୍ଟରେ ଆବେଦନ କରିଥିଲେ । ମାମଲାର ଶୁଣାଣି କରି ରୋଜ୍ ଆଭେନ୍ୟୁ ସ୍ୱତନ୍ତ୍ର ଅଦାଲତ ଏହି ନିର୍ଦ୍ଦେଶ ଦେବା ସହ ପୋଲିସ ଷ୍ଟାଟସ ରିପୋର୍ଟ ମଧ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।