ବାତ୍ୟା ଆଶଙ୍କା;ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

Sep 21, 2026 - 21:10

ମାଲକାନଗିରି:ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଜନିତ ପାଣିପାଗ ବ୍ୟବସ୍ଥା ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଗତି କରୁଥିବା ପରିପ୍ରେକ୍ଷୀରେ ମାଲକାନଗିରି ଜିଲ୍ଲାରେ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପବନକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଭାରତୀୟ ପାଣିପାଗ ବିଭାଗ ମାଲକାନଗିରି ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ଆଗାମୀ ଦିନରେ ଭାରୀରୁ ଅତିଭାରୀ ବର୍ଷାର ସତର୍କତା ଜାରି କରିଛି।
ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସମସ୍ତ ବିଭାଗକୁ ସଜାଗ ରଖିଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ନେତୃତ୍ୱରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ନେଇ ଅଧିକାରୀମାନଙ୍କ ସହ ଆଲୋଚନା କରାଯାଇଛି। ସମ୍ଭାବ୍ୟ ବାତ୍ୟା ଓ ଲଗାତାର ବର୍ଷା ଯୋଗୁଁ ଜିଲ୍ଲାରେ ଯେକୌଣସି ଜରୁରୀ ପରିସ୍ଥିତି ଉପୁଜିପାରେ। ଏହାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୨୩ରୁ ୨୫ ତାରିଖ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରିବା ନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଜରୁରୀ ସମୟରେ ଯେପରି ତୁରନ୍ତ ଉଦ୍ଧାର, ରିଲିଫ୍ ଓ ଯୋଗାଯୋଗ ବ୍ୟବସ୍ଥା କରାଯାଇପାରିବ, ସେଥିପାଇଁ କର୍ମଚାରୀମାନଙ୍କୁ ନିଜ ନିଜ ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ କୁହାଯାଇଛି।ଜିଲ୍ଲା ଜରୁରୀକାଳୀନ ବିଭାଗ ସହ ଜିଲ୍ଲାପାଳ ଆଲୋଚନା କରି ବର୍ଷା ପରିସ୍ଥିତି, ନଦୀନାଳର ଜଳସ୍ତର ବୃଦ୍ଧି, ରାସ୍ତାଘାଟରେ ଯାତାୟାତ ବ୍ୟାହତ ହେବାର ସମ୍ଭାବନା ଏବଂ ତଳିଆ ଅଞ୍ଚଳର ଲୋକଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଛନ୍ତି।

ବିଶେଷକରି ନଦୀକୂଳ, ତଳିଆ ଅଞ୍ଚଳ ଏବଂ ବର୍ଷା ଯୋଗୁଁ ପୂର୍ବରୁ ପ୍ରଭାବିତ ହୋଇଥିବା ଅଞ୍ଚଳଗୁଡ଼ିକ ଉପରେ ପ୍ରଶାସନ ନଜର ରଖିବ। ଆବଶ୍ୟକ ପଡ଼ିଲେ ବିପଦପ୍ରବଣ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ଜନସାଧାରଣଙ୍କୁ ତୁରନ୍ତ ସୂଚନା ଓ ସହାୟତା ଯୋଗାଇଦେବା ପାଇଁ ଜିଲ୍ଲାରେ ଏକ ସ୍ୱତନ୍ତ୍ର ହେଲ୍ପ ଡେସ୍କ/କଣ୍ଟ୍ରୋଲ୍ ରୁମ୍ ସକ୍ରିୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଛି। ବର୍ଷା, ବନ୍ୟା, ରାସ୍ତା ବିଚ୍ଛିନ୍ନତା କିମ୍ବା ଅନ୍ୟ କୌଣସି ଜରୁରୀ ସ୍ଥିତି ସମ୍ପର୍କରେ ଏଠାରେ ସୂଚନା ଦିଆଯାଇପାରିବ। ଜିଲ୍ଲାର ସମସ୍ତ ତହସିଲଦାର, ବିଡିଓ ଓ ସମ୍ପୃକ୍ତ ଅଧିକାରୀଙ୍କୁ ସଜାଗ ରହିବା ସହ ନିଜ ନିଜ ଅଞ୍ଚଳର ପରିସ୍ଥିତି ଉପରେ ନିରନ୍ତର ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରାମସ୍ତରରେ ମଧ୍ୟ ପରିସ୍ଥିତିର ତୁରନ୍ତ ତଥ୍ୟ ପ୍ରଶାସନ ପାଖରେ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଉଛି।IMDର ସାମ୍ପ୍ରତିକ ପୂର୍ବାନୁମାନ ଅନୁସାରେ ମାଲକାନଗିରିରେ ସେପ୍ଟେମ୍ବର ୨୩ ଓ ୨୪ ତାରିଖରେ ଭାରୀରୁ ଅତିଭାରୀ ବର୍ଷାର ସମ୍ଭାବନା ରହିଛି ଏବଂ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି ହୋଇଛି। ସେପ୍ଟେମ୍ବର ୨୫ରେ ମଧ୍ୟ ମାଲକାନଗିରି ପାଇଁ ଭାରୀ ବର୍ଷାର ସତର୍କତା ରହିଛି।ଏହି ପରିସ୍ଥିତିରେ ଜିଲ୍ଲାରେ ନଦୀ ଓ ନାଳର ଜଳସ୍ତର ବଢ଼ିବା, ତଳିଆ ଅଞ୍ଚଳରେ ଜଳବନ୍ଦୀ, ରାସ୍ତା ଯୋଗାଯୋଗ ବ୍ୟାହତ ଏବଂ ବିଦ୍ୟୁତ୍ ବ୍ୟବସ୍ଥା ପ୍ରଭାବିତ ହେବାର ଆଶଙ୍କା ରହିଥିବାରୁ ପ୍ରଶାସନ ପକ୍ଷରୁ ସମସ୍ତ ବିଭାଗକୁ ପ୍ରସ୍ତୁତ ରଖାଯାଉଛି।ମାଲକାନଗିରି ଜିଲ୍ଲାର ଅନେକ ଅଞ୍ଚଳ ନଦୀନାଳ ଓ ପାହାଡ଼ିଆ ଭୂଭାଗ ଦ୍ୱାରା ଘେରା। ପ୍ରବଳ ବର୍ଷା ହେଲେ ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ଚାଲିବା ସହ ଯାତାୟାତ ବ୍ୟାହତ ହୋଇପାରେ।

ପୂର୍ବ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ପ୍ରଶାସନ ଏଥର ଆଗୁଆ ପ୍ରସ୍ତୁତି ନେଉଛି।ବିପଦ ସମୟରେ ଉଦ୍ଧାରକାର୍ଯ୍ୟ, ଆଶ୍ରୟସ୍ଥଳୀରେ ଲୋକଙ୍କୁ ରଖିବା, ଖାଦ୍ୟ ଓ ପାନୀୟ ଜଳ ଯୋଗାଣ ଏବଂ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପାଣିପାଗର ପରିବର୍ତ୍ତନକୁ ନେଇ ଜିଲ୍ଲାବାସୀଙ୍କୁ ଭୟଭୀତ ନହୋଇ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି। ଅତ୍ୟାବଶ୍ୟକ ନଥିଲେ ବର୍ଷା ସମୟରେ ଯାତାୟାତ ନକରିବା, ନଦୀ ଓ ନାଳ ପାର ନହେବା ଏବଂ ପ୍ରଶାସନ ପକ୍ଷରୁ ଜାରି ହେଉଥିବା ସୂଚନାକୁ ଅନୁସରଣ କରିବାକୁ କୁହାଯାଇଛି।ସମ୍ଭାବ୍ୟ ବାତ୍ୟା/ଅବପାତକୁ ନେଇ ମାଲକାନଗିରି ପ୍ରଶାସନ ଏବେ ପୂରାପୂରି ସଜାଗ। ଆଗାମୀ ୨୩ରୁ ୨୫ ସେପ୍ଟେମ୍ବର ମଧ୍ୟରେ ପାଣିପାଗର ଗତିବିଧି ଉପରେ ନଜର ରଖି ଆବଶ୍ୟକ ସ୍ଥଳେ ତୁରନ୍ତ ରିଲିଫ୍ ଓ ଉଦ୍ଧାର ବ୍ୟବସ୍ଥା କରିବାକୁ ପ୍ରଶାସନ ପ୍ରସ୍ତୁତ ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।