ଭ୍ରୂଣର ଟ୍ୟୁମର ଚିକିତ୍ସା

Oct 10, 2026 - 16:07
ଭ୍ରୂଣର ଟ୍ୟୁମର ଚିକିତ୍ସା

 

ଚୀନରେ ଅନେକ ସମୟରେ ବିଭିନ୍ନ ପ୍ରକାର ଡାକ୍ତରୀ ଚମତ୍କାର ଦେଖିବାକୁ ମିଳିଥାଏ, ସେହିଭଳି ଏକ ଘଟଣା ବର୍ତ୍ତମାନ ଖୁବ ଚର୍ଚ୍ଚା ସାଉଁଟୁଛି । ସୂଚନା ଅନୁସାରେ ଚୀନ୍‌ର ଶେନ୍‌ଜେନ୍ ବାଓଆନ୍ ମହିଳା ଓ ଶିଶୁ ହସ୍ପିଟାଲ୍ ଏବଂ ଚାଇନିଜ୍ ୟୁନିଭରସିଟି ଅଫ୍ ହଂକଂର ଡାକ୍ତରୀ ଟିମ୍ ଗର୍ଭସ୍ଥ ଶିଶୁର ଫୁସ୍‌ଫୁସ୍‌ରେ ଥିବା ଏକ ବିପଜ୍ଜନକ ଟ୍ୟୁମର୍‌କୁ ସଫଳତାର ସହ ଛୋଟ କରିବାରେ ସଫଳ ହୋଇଛନ୍ତି । ଶିଶୁଟି କନ୍‌ଜେନିଟାଲ୍ ପଲ୍‌ମୋନାରୀ ଏୟାରୱେ ମାଲ୍‌ଫର୍ମେସନ୍ ନାମକ ଏକ ସୁକ୍ଷ୍ମ ଓ ଦୁର୍ଲଭ ରୋଗରେ ପୀଡ଼ିତ ଥିଲା । ଯାହା ଫଳରେ ଗର୍ଭାବସ୍ଥାର ୨୨ ସପ୍ତାହରେ ଶିଶୁର ଡାହାଣ ଛାତିରେ ୫ ସେମିର ଟ୍ୟୁମର୍ ହୋଇ ହୃଦ୍‌ସ୍ପନ୍ଦନ ଓ ଫୁସ୍‌ଫୁସ୍‌କୁ ଚାପି ରଖିବା ସହ ପେଟରେ ପାଣି ଜମି ଯାଇଥିଲା । ବାହାରୁ ଚିକିତ୍ସା ଅସମ୍ଭବ ଥିବାରୁ ଡାକ୍ତରମାନେ ଅଲ୍ଟ୍ରାସାଉଣ୍ଡ୍ ଇମେଜିଂ ମାଧ୍ୟମରେ ଏକ ସୂକ୍ଷ୍ମ ନିଡଲ୍ ସାହାଯ୍ୟରେ 'ମାଇକ୍ରୋୱେଭ୍ ଆବ୍ଲେସନ୍' ପ୍ରକ୍ରିୟାରେ ପ୍ରାୟ ଦୁଇ ମିନିଟ୍ ଧରି ଉତ୍ତାପ ଦେଇ ଟ୍ୟୁମର୍‌କୁ ଭିତରୁ ନଷ୍ଟ କରିଥିଲେ । ଏହାର ତିନି ଦିନ ମଧ୍ୟରେ ଟ୍ୟୁମର୍ ସଙ୍କୁଚିତ ହେବା ସହ ପେଟରୁ ପାଣି କମି ଯାଇଥିଲା । ଏହାସହ ୩୭ ସପ୍ତାହରେ କେଜାରିଆନ୍ ସେକ୍ସନ୍ ମାଧ୍ୟମରେ ୨.୯ କିଲୋଗ୍ରାମର ଏକ ସୁସ୍ଥ ଶିଶୁ ଜନ୍ମଗ୍ରହଣ କରିଥିଲା । ଭ୍ରୂଣ ଚିକିତ୍ସା ବିଜ୍ଞାନରେ ଏହାକୁ ଏକ ବଡ଼ ସଫଳତା କୁହାଯାଉଛି । ତେବେ ଏହି ପ୍ରକ୍ରିୟାକୁ ସାଧାରଣ ଚିକିତ୍ସା ଭାବେ ଗ୍ରହଣ କରିବା ପୂର୍ବରୁ ଆହୁରି ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ଡାକ୍ତରମାନେ ପ୍ରକାଶ କରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।