ମଣିଷ ଶବରୁ ପ୍ରସ୍ତୁତ ହେବ ଖତ
ଅଷ୍ଟ୍ରେଲିଆର ନ୍ୟୁ ସାଉଥ୍ ଓ୍ଵେଲ୍ସ ରାଜ୍ୟରେ ମୃତ୍ୟୁ ପରେ ମଣିଷ ଶରୀରକୁ ପୋଡିବା କିମ୍ବା ପାରମ୍ପରିକ ଭାବେ କବର ଦେବା ବଦଳରେ ତାହାକୁ କମ୍ପୋଷ୍ଟ ଖତରେ ପରିଣତ କରାଯାଉଛି । ଅର୍ଥାତ୍ ମୃତ ଶରୀରକୁ ଉର୍ବର ମାଟିରେ ପରିଣତ କରିବାର ଏକ ଅଭୂତ ଆଇନ ଏଠାରେ ପାସ୍ ହୋଇଛି । 'ହ୍ୟୁମାନ୍ କମ୍ପୋଷ୍ଟିଂ' ଭାବେ ଜଣାଶୁଣା ଏହି ସ୍ୱତନ୍ତ୍ର ପ୍ରକ୍ରିୟାରେ ମୃତଦେହକୁ ଏକ ସ୍ୱତନ୍ତ୍ର କଣ୍ଟେନର ଭିତରେ ନଡ଼ା ଏବଂ ଶୁଖିଲା ଘାସ ଆଦି ସାମଗ୍ରୀ ସହିତ ଯତ୍ନର ସହ ରଖାଯାଇଥାଏ । ଏହି କଣ୍ଟେନରଟି ଭିତରେ ବାୟୁଚଳାଚଳ କରିବାର ସୁବିଧା ରହିଥାଏ । ଯାହା ପ୍ରାକୃତିକ ଭାବେ ମାଇକ୍ରୋଅର୍ଗାନିଜମ୍ ବା ଅଣଜୀବମାନଙ୍କୁ ସକ୍ରିୟ କରି ଶରୀରକୁ ପ୍ରାକୃତିକ ଉପାୟରେ ଭାଙ୍ଗି ମାଟିରେ ପରିଣତ କରିବାରେ ସାହାଯ୍ୟ କରିଥାଏ । ଶରୀରର ଏହି ବିଘଟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପାଇଁ ପ୍ରାୟ ୩୦ ଦିନ ସମୟ ଲାଗିଥାଏ । ଏଥିରୁ ବାହାରୁଥିବା ସାମଗ୍ରୀକୁ ବ୍ୟବହାରୋପଯୋଗୀ କରିବା ପୂର୍ବରୁ ଆଉ ୩୦ ଦିନ ପର୍ଯ୍ୟନ୍ତ ସେହି ଅବସ୍ଥାରେ ଛାଡ଼ିଦିଆଯାଇଥାଏ । ସବୁଠାରୁ ବଡ଼ କଥା ହେଲା, ଏହି ପ୍ରକ୍ରିୟା ଦ୍ୱାରା ପ୍ରସ୍ତୁତ ହେଉଥିବା ମାଟିକୁ ଗଛ ଏବଂ ବୃକ୍ଷ ରୋପଣ କରିବାରେ ବ୍ୟବହାର କରାଯାଇପାରିବ । ଯାହା ଭବିଷ୍ୟତରେ କବରସ୍ଥାନ ପାଇଁ ଆବଶ୍ୟକ ହେଉଥିବା ଜମିର ପରିମାଣକୁ ବହୁ ପରିମାଣରେ କମାଇବା ସହିତ ପାରମ୍ପରିକ ଶବଦାହ ସମୟରେ ହେଉଥିବା ପ୍ରଦୂଷଣକୁ ମଧ୍ୟ ସମ୍ପୂର୍ଣ୍ଣ ରୂପେ ଏଡ଼ାଇବାରେ ସହାୟକ ହେବବୋଲି ପ୍ରଶାସନ ଯୁକ୍ତି ବାଢିଛି । ତେବେ ଏହି ଆଇନକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକୀୟ ନିୟମକାନୁନ୍ ଗୁଡ଼ିକୁ ତର୍ଜମା ଏବଂ ପ୍ରସ୍ତୁତ କରିବା ନିମନ୍ତେ ନ୍ୟୁ ସାଉଥ୍ ଓ୍ଵେଲ୍ସ ସରକାରଙ୍କୁ ପ୍ରାୟ ୧୮ ମାସ ପର୍ଯ୍ୟନ୍ତ ସମୟ ଲାଗିପାରେ ବୋଲି ଜଣାପଡ଼ିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।