ଗଜଲକ୍ଷ୍ମୀ ପୂଜା
କୁମାର ପୂର୍ଣ୍ଣିମା ଦିନକୁ ଲକ୍ଷ୍ମୀଙ୍କର ଜନ୍ମଦିନ ରୂପେ ମଧ୍ୟ ପାଳନ କରାଯାଏ । ଏହି ଦିନ ସମୃଦ୍ଧିର ଦେବୀ ଲକ୍ଷ୍ମୀଙ୍କୁ ଗଜ ବାହନ ସହ ପୂଜା କରାଯାଇଥାଏ । ଏହି ପୂଜା ଅବସରରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ସୁନ୍ଦର ଲକ୍ଷ୍ମୀ ମେଢ଼ମାନ ତିଆରି ହୋଇଥାଏ । ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧ। ଢେଙ୍କାନାଳରେ ଏହି ପୂଜା ପ୍ରଥମ ଥର ପାଇଁ ୧୯୨୩ ମସିହାରେ କୁଞ୍ଜସାହୁ ଛକ (ବର୍ତ୍ତମାନର ଗଣେଶ ବଜାର)ଠାରେ ଆରମ୍ଭ ହୋଇଥିଲା । ଏହି ପୂଜା ଅବସରରେ ସମ୍ପୂର୍ଣ୍ଣ ସହର ବିଭିନ୍ନ ପ୍ରକାର ଆଲୋକ ମାଳାରେ ସୁସଜ୍ଜିତ ହୋଇଥାଏ । କେବଳ ଢେଙ୍କାନାଳ ନୁହେଁ ଅନ୍ୟ ସହରରେ ମଧ୍ୟ ଲକ୍ଷ୍ମୀପୂଜା ଖୁବ ଧୁମଧାମରେ ପାଳନ ହୋଇଥାଏ ।
ମାଆଙ୍କ ଆଗମନରେ ଝଲସୁଛି ରାଜଧାନୀ
ଦେବୀ ଦୁର୍ଗାଙ୍କ ପରେ ରାଜଧାନୀରେ ଆଗମନ ହୋଇଛି ଧନଦାତ୍ରୀ ମାଆ ଲକ୍ଷ୍ମୀଙ୍କର । ସହରର କିଛି ପ୍ରମୁଖ ସ୍ଥାନରେ କୁମାର ପୂର୍ଣ୍ଣିମା ଅବସରରେ ଆରମ୍ଭ ହୋଇଛି ଗଜ ଲକ୍ଷ୍ମୀଙ୍କର ପୂଜା । ଜୀବନରେ ସୁଖ, ସମୃଦ୍ଧି, ବୁଦ୍ଧି, ସିଦ୍ଧି ଦାତ୍ରୀ ଭାବେ ସର୍ବତ୍ରେ ପୂଜା ପାଇଥାଆନ୍ତି ମାଆ ଲକ୍ଷ୍ମୀ । ମାଆଙ୍କର ଆଗମନରେ ପୂରା ସହର ଉତ୍ସବମୁଖରିତ ହୋଇଉଠେ । ବିଭିନ୍ନ ସ୍ଥାନରେ ଛୋଟ ବଡ ମେଢ ପୂଜା ପାଉଥିବାବେଳେ କିଛି ସ୍ଥାନରେ ମାଆଙ୍କର ଭବ୍ୟ ସୁଉଚ୍ଚ ପ୍ରତିମା ପୂଜା ପାଇଥାଆନ୍ତି । ସେହିଭଳି ଦୁର୍ଗାପୂଜା ଭଳି ଏହି ସମୟରେ ମଧ୍ୟ ମାଆଙ୍କର ବିଭିନ୍ନ ପ୍ରକାର ତୋରଣ ମଧ୍ୟ ଦେଖିବାକୁ ମିଳେ । ସବୁ ବର୍ଷପରି ଚଳିତ ବର୍ଷ ମଧ୍ୟ ମାଆଙ୍କର ବିଭିନ୍ନ ମୂର୍ତ୍ତି ସବୁ ସ୍ଥାନରେ ପୂଜା ପାଉଛନ୍ତି । ତେବେ ସବୁଠାରୁ ଆର୍କଷର୍ଣୀୟ ପାଲଟିଛି ପଟିଆର କ୍ଲବ ଟାଉନ ପଡିଆରେ ପୂଜା ପାଉଥିବା ମାଆଙ୍କର ମୃଣ୍ମୟୀ ପ୍ରତିମା । ଚଳିତ ବର୍ଷ ଏଠାରେ ମାଆଙ୍କର ୮୦ ଫୁଟର ସୁଉଚ୍ଚ ପ୍ରତିମା ପୂଜା ପାଉଛନ୍ତି । ଭୁବନେଶ୍ବର ଉତ୍ତର ଯୁବ ଗଜଲକ୍ଷ୍ମୀ ପୂଜା ପକ୍ଷରୁ ଏଠାରେ ପୂଜାର ଆୟୋଜନ କରାଯାଇଛି । ତେବେ ମାଆଙ୍କର ଏତେ ଉଚ୍ଚର ମୂର୍ତ୍ତି ବର୍ତ୍ତମାନ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ମଣ୍ଡପକୁ ଆଲୋକ ଓ ଫୁଲରେ ଖୁବ ସୁନ୍ଦରଭାବେ ସଜାଯିବା ସହ ଭକ୍ତଙ୍କ ସମାଗମକୁ ଆଖିରେ ରଖି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ସେହିଭଳି ୟୁନିଟ ୯, ବାପୁଜି ନଗର ଓ ୟୁନିଟ ୩ରେ ମଧ୍ୟ ଖୁବ ଧୁମଧାମରେ ପୂଜାର ଆୟୋଜନ କରାଯାଇଛି । ଏଠାରେ ମଧ୍ୟ ମାଆଙ୍କର ମୃଣ୍ମୟୀ ପ୍ରତିମା ପୂଜା ପାଉଛନ୍ତି । ଗଜଲକ୍ଷ୍ମୀ ପୂଜାକୁ ଆଖିରେ ରଖି ପ୍ରଶାସନ ପକ୍ଷରୁ ମଧ୍ୟ ଟ୍ରାଫିକ ବ୍ୟବସ୍ଥା ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ଦିଗପ୍ରତି ଧ୍ୟାନ ରଖାଯାଇଛି, ଯେପରି ଭକ୍ତମାନେ ସୁରୁଖୁରୁରେ ମାଆଙ୍କ ଦର୍ଶନ କରିପାରେବ । ଏହାସହ ବିଭିନ୍ନ ସ୍ଥାନରେ ଛୋଟଛୋଟ ମେଳା ଓ ମୀନାବଜାର ପଡିଛି, ଯେଉଁଠି ଲୋକମାନେ କିଣାବିକା କରୁଥିବାର ଦେଖିବାକୁ ମିଳୁଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।