ମହଙ୍ଗା ସୁନା ବଦଳାଇଲା ଭାରତୀୟଙ୍କ କିଣାକିଣି ଧାରା
ନନ୍ଦିଘୋଷ ବ୍ୟୁରୋ : ସୁନା ଦର ଆକାଶଛୁଆଁ ହେବା ପରେ ଭାରତୀୟ ଗ୍ରାହକଙ୍କ ଅଳଙ୍କାର କିଣିବା ଧାରାରେ ବଡ଼ ପରିବର୍ତ୍ତନ ଦେଖାଦେଇଛି। ପ୍ରତି ୧୦ ଗ୍ରାମ ସୁନାର ଦର ପ୍ରାୟ ୧.୫୦ ଲକ୍ଷ ନିକଟରେ ପହଞ୍ଚିଥିବାରୁ ଗ୍ରାହକମାନେ ଏବେ ଭାରୀ ଅଳଙ୍କାର ବଦଳରେ ହାଲୁକା ଡିଜାଇନ୍, କମ୍ କ୍ୟାରେଟ୍ର ଅଳଙ୍କାର ଏବଂ ପୁରୁଣା ସୁନା ବଦଳରେ ନୂଆ ଅଳଙ୍କାର କିଣିବାକୁ ଅଧିକ ପସନ୍ଦ କରୁଛନ୍ତି।
ମହଙ୍ଗା ସୁନା, ବଦଳିଲା କିଣାକିଣିର ତରିକା
ସୁନାର ଦର ବଢ଼ିବା ସହ ଗ୍ରାହକମାନେ ନିଜ ବଜେଟ୍କୁ ମଧ୍ୟ ନୂଆ ଭାବରେ ସଜାଡ଼ୁଛନ୍ତି। ଅଧିକ ଓଜନର ଅଳଙ୍କାର କିଣିବା ପରିବର୍ତ୍ତେ କମ୍ ଓଜନର ଡିଜାଇନ୍ ବାଛୁଛନ୍ତି। ଏହା ଦ୍ୱାରା ସୀମିତ ବଜେଟ୍ରେ ମଧ୍ୟ ସୁନା କିଣିବା ସମ୍ଭବ ହେଉଛି। ବିଶ୍ୱ ସୁନା ପରିଷଦ ଅନୁଯାୟୀ, ଉଚ୍ଚ ସୁନା ଦର ଭାରତୀୟ ବଜାରରେ ହାଲୁକା ଓ କମ୍ କ୍ୟାରେଟ୍ ଅଳଙ୍କାର ପ୍ରତି ଗ୍ରାହକଙ୍କ ଆଗ୍ରହକୁ ବଢ଼ାଇଛି। ଏବେ କେବଳ ସୁନାର ଦର ନୁହେଁ, ଏକ୍ସଚେଞ୍ଜ୍ ଅଫର, ଡିସ୍କାଉଣ୍ଟ ଓ ସହଜ ପେମେଣ୍ଟ ବିକଳ୍ପ ମଧ୍ୟ କ୍ରୟ ନିଷ୍ପତ୍ତିରେ ପ୍ରଭାବ ପକାଉଛି।
ପୁରୁଣା ସୁନା ଦେଇ ନୂଆ ଅଳଙ୍କାର
ମହଙ୍ଗା ସୁନା ମଧ୍ୟରେ ଗୋଲ୍ଡ ଏକ୍ସଚେଞ୍ଜ୍ ଗ୍ରାହକଙ୍କ ପାଇଁ ଏକ ବଡ଼ ବିକଳ୍ପ ହୋଇଛି। ପୁରୁଣା ଅଳଙ୍କାର ବଦଳରେ ନୂଆ ଅଳଙ୍କାର ନେଇ ଗ୍ରାହକମାନେ ନୂଆ କିଣାକିଣିରେ ନଗଦ ଖର୍ଚ୍ଚ କମାଇପାରୁଛନ୍ତି। ଓ୍ବାର୍ଡ ଗୋଲ୍ଡ କାଉସିଲର ତଥ୍ୟ ଅନୁଯାୟୀ, କିଛି ଅଳଙ୍କାର ବ୍ୟବସାୟୀଙ୍କ ଏକ୍ସଚେଞ୍ଜ୍ ବିକ୍ରିରେ ୧୦ରୁ ୨୦ ପ୍ରତିଶତ ବୃଦ୍ଧି ଦେଖାଯାଇଛି। କେତେକ ବଜାରରେ ମୋଟ ବିକ୍ରିରେ ଏକ୍ସଚେଞ୍ଜ୍ର ଅଂଶ ୭୦ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିଥିବା ଜଣାପଡ଼ିଛି।
ହାଲୁକା ଅଳଙ୍କାର ପ୍ରତି ବଢ଼ୁଛି ଚାହିଦା
ଉଚ୍ଚ ସୁନା ଦର ମଧ୍ୟରେ ଗ୍ରାହକମାନେ ଏବେ ଏପରି ଅଳଙ୍କାର ଖୋଜୁଛନ୍ତି, ଯେଉଁଥିରେ ସୁନାର ଓଜନ କମ୍ ଥିବ ଏବଂ ଡିଜାଇନ୍ ଆକର୍ଷଣୀୟ ରହିବ। ହାଲୁକା ଅଳଙ୍କାର ସହ କମ୍ କ୍ୟାରେଟ୍ର ବିକଳ୍ପ ମଧ୍ୟ ଏହି ପରିବର୍ତ୍ତନର ଅଂଶ ହୋଇଛି। ଅକ୍ଟୋବର ୨ ତାରିଖରେ ଭାରତରେ ୨୪ କ୍ୟାରେଟ୍ ସୁନାର ଦର ପ୍ରତି ୧୦ ଗ୍ରାମ ପ୍ରାୟ ୧,୫୦,୫୪୦ ଟଙ୍କା ରହିଥିଲା। ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ଦର ପ୍ରାୟ ୧.୩୭୫ ଲକ୍ଷ ପ୍ରତି ୧୦ ଗ୍ରାମ ରେକର୍ଡ କରାଯାଇଥିଲା।
ଦୀପାବଳି ଓ ବିବାହ ଋତୁ ଉପରେ ନଜର
ଆଗାମୀ ଦୀପାବଳି ଓ ବିବାହ ଋତୁରେ ସୁନାର ଚାହିଦା ଦୃଢ଼ ରହିବ ବୋଲି ଆଶା କରାଯାଉଛି। ତେବେ ଏଥର ଗ୍ରାହକଙ୍କ କିଣାକିଣି ମୁଖ୍ୟତଃ ସୁନାର ଦର ଓ ନିଜ ବଜେଟ୍ ଉପରେ ନିର୍ଭର କରିବ। ସୁନା ଦରରେ ସାମ୍ପ୍ରତିକ ହ୍ରାସ ହେଲେ, ମହଙ୍ଗା ଦର ଯୋଗୁଁ କିଣାକିଣି ସ୍ଥଗିତ ରଖିଥିବା କିଛି ଗ୍ରାହକ ପୁଣି ବଜାରକୁ ଫେରିପାରନ୍ତି। ତେଣୁ ଆଗାମୀ ପର୍ବ ଓ ବିବାହ ଋତୁରେ ସୁନା ବଜାରରେ ଗ୍ରାହକଙ୍କ ବଦଳୁଥିବା ପସନ୍ଦ ଉପରେ ବ୍ୟବସାୟୀଙ୍କ ନଜର ରହିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।