ହର୍ମୁଜରେ ଭୟଙ୍କର ଆକ୍ରମଣ: ୫ ଭାରତୀୟ ଉଦ୍ଧାର !

Oct 03, 2026 - 12:53
ହର୍ମୁଜରେ ଭୟଙ୍କର ଆକ୍ରମଣ: ୫ ଭାରତୀୟ ଉଦ୍ଧାର !

ନନ୍ଦିଘୋଷ ବ୍ୟୁରୋ:  ହର୍ମୁଜ ର୍ଷ୍ଟ୍ରେଟରେ କୁବେତ ପତାକାଯୁକ୍ତ ଏକ ଅଶୋଧିତ ତୈଳ ଟ୍ୟାଙ୍କର ଉପରେ ଭୟଙ୍କର ଆକ୍ରମଣ । ଫଳରେ ସେଥିରେ ଥିବା ପାଞ୍ଚ ଜଣ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଏନେଇ ଓମାନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି । ରେସ୍କ୍ୟୁ ଅପରେସନ୍ ସମୟରେ ପାଞ୍ଚ ଜଣ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା କୁହାଯାଇଛି । ଏହି କାର୍ଯ୍ୟରେ ନିରନ୍ତର ସହଯୋଗ ଓ ସମର୍ଥନ ପାଇଁ ଦୂତାବାସ ଓମାନି କର୍ତ୍ତୃପକ୍ଷଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି ।  ଦୂତାବାସ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କୁହାଯାଇଛି ଯେ, ଟ୍ୟାଙ୍କର MT Kazimah III ହର୍ମୁଜ ପ୍ରଣାଳୀରେ ଏକ ପ୍ରୋଜେକ୍ଟାଇଲ ଦ୍ବାରା ଆଘାତ ପାଇଥିଲା । ଯାହାପରେ ଟ୍ୟାଙ୍କରରେ ଥିବା ପାଞ୍ଚ ଜଣ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବରେ କୂଳକୁ ସ୍ଥାନାନ୍ତର କରାଯାଇଥିଲା । ଆଉ ଓମାନି କର୍ତ୍ତୃପକ୍ଷଙ୍କ ସାହାର୍ଯ୍ୟ ଦ୍ବାରା ଉଦ୍ଧାର କାର୍ଯ୍ୟ ସଫଳ ହୋଇଥିଲା । ସୂଚନା ମୁତାବକ, MT Kazimah III ହେଉଛି ଏକ ଅଶୋଧିତ ତୈଳ ଟ୍ୟାଙ୍କର ଯାହା ଟେଗୋର ଲୋମେ ବନ୍ଦରକୁ ଯାଉଥିଲା । କିନ୍ତୁ କ୍ଷେପଣାସ୍ତ୍ର ଆକ୍ରମଣ ପରେ ଭାରତୀୟ ନାଗରିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଭାରତୀୟ ମିଶନ ତତ୍ପରତା ଦେଖାଇ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ  କରିଥିଲେ ।

ଏହି ଘଟଣା ଏବେ ପାରସ୍ୟ ଉପସାଗର ଏବଂ ଆଖପାଖ ସମୁଦ୍ର ଅଞ୍ଚଳରେ ବାଣିଜ୍ୟିକ ଜାହାଜରେ କାର୍ଯ୍ୟ କରୁଥିବା ଭାରତୀୟ ନାବିକଙ୍କ ସୁରକ୍ଷା ପ୍ରତି  ଚିନ୍ତା ସୃଷ୍ଟି କରିଛି  । ଯଦି ଦେଖିବା ଏହି ଅଞ୍ଚଳର ବିଭିନ୍ନ ବାଣିଜ୍ୟିକ ଜାହାଜର ପ୍ରାୟ ୪,୫୦୦ ରୁ ଅଧିକ ଭାରତୀୟ ନାବିକ ଅଛନ୍ତି । ଯେଉଁଥିରୁ ୧୨ଟି ସକ୍ରିୟ ମାଲବାହୀ ଜାହାଜରେ ୧୬୩ ଜଣ ଭାରତୀୟ ନାବିକ ରହିଛନ୍ତି ।  ତେଣୁ ଏହି ଘଟଣାକୁ ଗୁରୁତର ସହ ନିଆଯାଇଛି । ଭାରତୀୟ ଜାହାଜ ଚଳାଚଳ ମନ୍ତ୍ରଣାଳୟ, ଭାରତୀୟ କୂଟନୖେତିକ ମିଶନ ଏବଂ ସ୍ଥାନୀୟ ପକ୍ଷଙ୍କ ସହଯୋଗରେ  ଜାହାଜର ଗତିବିଧି ଏଂବ ଭାରତୀୟ ନାବିକଙ୍କ ସୁରକ୍ଷା ଉପରେ ନଜର ରଖିଛନ୍ତି ।  ଭାରତୀୟ ଦୂତାବାସ ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ପକ୍ଷଙ୍କ ମାଧ୍ୟମରେ ନାବିକମାନଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦେକ୍ଷପ ନିଆଯାଉଛି ।  ଏହି ଘଟଣା ଏଭଳି ସମୟରେ ଆସିଛି, ଯେତେବେଳେ  ପାରସ୍ୟ ଉପସାଗର, ଲାଲ ସାଗର ଏବଂ କଳା ସାଗର ସମେତ ବିଶ୍ବର ଗୁରୁତ୍ବପୂର୍ଣ୍ଣ ସାମୁଦ୍ରିକ ମାର୍ଗରେ ବିପଦ ବଢିବାରେ ଲାଗିଛି । ବାଣିଜ୍ୟିକ ଜାହାଜଗୁଡିକ ବାରମ୍ବାର ଆକ୍ରମଣର ଶିକାର ହେଉଛନ୍ତି । ଗତ ସପ୍ତାହରେ ଜାତିସଂଘ ସାଧାରଣ ପରିଷଦର ୮୧ତମ ଅଧିବେଶନରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ତାଙ୍କ ଅଭିଭାଷଣରେ ବାଣିଜ୍ୟିକ ଜାହାଜ ଏବଂ ନାବିକଙ୍କ ଉପରେ ଆକ୍ରମଣ ସମ୍ପର୍କରେ ଚିନ୍ତା ପ୍ରକଟ କରିଥିଲେ।  ସ୍ଥଳଭାଗରେ ବିପଦ ଥମୁନଥିବା ବେଳେ ସମୁଦ୍ର ଭାଗରେ ବିପଦ ଉପରମୁହାଁ ହେବାରେ ଲାଗିଛି ।  କାରଣ ପୂର୍ବରୁ ଉପସାଗର ଏବଂ ଲାଲ ସାଗରୁ କୃଷ୍ଣ ସାଗର ପର୍ଯ୍ୟନ୍ତ ବାଣିଜ୍ୟିକ ଜାହାଜ ଏବଂ ନାବିକଙ୍କ ଉପରେ ଆକ୍ରମଣ ହୋଇଛି ଏବଂ ଭାରତ ସମେତ ଅନେକ ଦେଶର ନାବିକମାନେ ପ୍ରାଣ ହରାଇଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।