ମହାବାତ୍ୟାର ୨୬ ବର୍ଷ ପରେ ପୁଣି ସମାନ ସ୍ଥିତି, ଅର୍ଣ୍ଣବ ପରେ ବନ୍ୟା ମୁକାବିଲାକୁ ନେଇ ସରକାରଙ୍କୁ ଘେରିଲେ ଲୋକେ
ନନ୍ଦିଘୋଷ ବ୍ୟୁରୋ: ୧୯୯୯ ମସିହା ମହାବାତ୍ୟାରେ ମୁକାବିଲାରେ ଫେଲ ମାରିଥିଲା ତତ୍କାଳୀନ କଂଗ୍ରେସ ସରକାର । ସବୁଠି ହାହାକାର ଭିତରେ ସରକାରଙ୍କ ବାତ୍ୟା ମୁକାବିଲା ଓ ପରବର୍ତ୍ତୀ ରିଲିଫ କାର୍ଯ୍ୟ ତ୍ବରାନ୍ବିତ ନେଇ ବିପନ୍ନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଥିଲା । ୨୬ ବର୍ଷ ପରେ ଅର୍ଣ୍ଣବ ବାତ୍ୟା ପରେ ବନ୍ୟା ସ୍ଥିତି ବିପନ୍ନଙ୍କ ମନରେ ସମାନ ଅସନ୍ତୋଷ ସୃଷ୍ଟି କରିଛି । ବିପନ୍ନଙ୍କ ପାଖରେ ପ୍ରଶାସନର ସହଯୋଗ ମିଳିପାରୁନଥିବା ବେଳେ ଜନ ଆକ୍ରୋଶର ଶୀକାର ହୋଇଛନ୍ତି ଶାସକ ଦଳର ନେତା । ଗଞ୍ଜାମ ଓ ଗଜପତିରେ ବିପନ୍ନଙ୍କ ଅଣ୍ଟା ଭାଙ୍ଗି ଦେଇଛି ବନ୍ୟା। ବନ୍ୟାର ପ୍ରକୋପରେ ସବୁ କିଛି ଛାରଖାର ହୋଇଯାଇଛି। ଏବେ ସ୍ଥିତିରେ ସାମାନ୍ୟ ସୁଧାର ଅସିଛି । କିନ୍ତୁ ଲୋକଙ୍କ ପାଖରେ ପହଞ୍ଚିନି ପ୍ରଶାସନର ସହାୟତା। ଯାହାକୁ ନେଇ ଜନ ଆକ୍ରୋଶର ଶିକାର ହୋଇଛନ୍ତି ଶାସକ ଦଳର ନେତା। ଗଞ୍ଜାମରୁ ଆସୁଥିବା ମାଳମାଳ ଚିତ୍ର ଏସବୁକୁ ପ୍ରମାଣିତ କରିଛି। କେଉଁଠି ବିଧାୟକଙ୍କୁ ଲୋକେ ଖୋଲାଖୋଲି ବିରୋଧ କରୁଛନ୍ତି ତ, ଆଉ କେଉଁଠି ମନ୍ତ୍ରୀଙ୍କୁ ଘେରି ସରକାରଙ୍କ ବିଫଳତାକୁ ନେଇ ପ୍ରଶ୍ନବାଣ କରୁଛନ୍ତି। ବିପର୍ଯ୍ୟୟ ମୁକାବିଲାରେ ସରକାରଙ୍କ ବିଫଳତାକୁ ସିଧାସଳଖ ଦାୟୀ କରିଛନ୍ତି ଜନତା।
ପ୍ରଥମେ ବାତ୍ୟା ଅର୍ଣ୍ଣବ ଓ ପରେ ବନ୍ୟା ଆସିଲା। ବିପର୍ଯ୍ୟୟ ମୁକାବିଲାରେ ବିଭାଗ ବିଭାଗ ମଧ୍ୟରେ ସମନ୍ନୟ ନରହିବାରୁ ଫେଲ୍ ମାରିଛି ମିଶନ ଜିରୋ କାଜୁଆଲିଟି। ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ। ବିଜେଡି କହିଛି, ବିପର୍ଯ୍ୟୟ ମୁକାବିଲାକୁ ସରକାର ଗୁରୁତ୍ବର ସହ ନେଉଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ସେହିପରି କଂଗ୍ରେସର କହିବା କଥା, ସବୁଥିରେ ବିଫଳ ହୋଇଛନ୍ତି ସରକାର। ଅନ୍ୟପଟେ ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ଭିନ୍ନ ଯୁକ୍ତି ବାଢ଼ିଛନ୍ତି ରାଜସ୍ବ ମନ୍ତ୍ରୀ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।