ମାତ୍ର ଗୋଟିଏ ଛକା ମାରି ଇତିହାସ ରଚିଲେ ଏହି କ୍ରିକେଟର୍‌: ପ୍ରଥମ ବ୍ୟାଟର୍‌ ଭାବେ…

Oct 14, 2026 - 08:52
ମାତ୍ର ଗୋଟିଏ ଛକା ମାରି ଇତିହାସ ରଚିଲେ ଏହି କ୍ରିକେଟର୍‌: ପ୍ରଥମ ବ୍ୟାଟର୍‌ ଭାବେ…

ରାଉଲପିଣ୍ଡି,୧୪।୧୦: ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି-୨୦ରେ ଇତିହାସ ରଚିଲେ ପାକିସ୍ତାନର ଅଭିଜ୍ଞ ଓପନର ଫଖର ଜମାନ।ଯଦିଓ ସେ ଏହି ମ୍ୟାଚ୍‌ରେ ବଡ଼ ଇନିଂସ ଖେଳିପାରିନଥିଲେ, ତଥାପି ନିଜ ନାଁରେ ଏକ ବଡ଼ ରେକର୍ଡ ଯୋଡ଼ିଛନ୍ତି। ପୁରୁଷ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୦୦ ଛକା ମାରିବାରେ ସେ ପାକିସ୍ତାନର ପ୍ରଥମ ବ୍ୟାଟର ହୋଇଛନ୍ତି।

ତେବେ ଫଖରଙ୍କ ଏହି ଐତିହାସିକ ଉପଲବ୍ଧି ସତ୍ତ୍ୱେ ପାକିସ୍ତାନକୁ ମ୍ୟାଚ୍‌ରେ ପରାଜୟ ବରଣ କରିବାକୁ ପଡ଼ିଛି। ଶ୍ରୀଲଙ୍କା ଅଧିନାୟକ କୁସଲ ମେଣ୍ଡିସଙ୍କ ଧମାକାଦାର ବ୍ୟାଟିଂ ବଳରେ ୮ ଉଇକେଟ୍‌ରେ ମ୍ୟାଚ ଜିତିଛି ଭ୍ରମଣକାରୀ ଦଳ। ଏହା ସହ ପାକିସ୍ତାନକୁ ସିରିଜ୍ରେ କ୍ଲିନ ସୁଇପ କରିବାରୁ ରୋକିଛି ଶ୍ରୀଲଙ୍କା।
ମଙ୍ଗଳବାର ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ସିରିଜ୍‌ର ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ ପୂର୍ବରୁ ଫଖର ଜମାନଙ୍କ ନାଁରେ ୯୯ଟି ଛକା ଥିଲା। ୧୦୦ ଛକାର ମାଇଲଖୁଣ୍ଟ ଛୁଇଁବା ପାଇଁ ତାଙ୍କୁ ଆଉ ଗୋଟିଏ ଛକା ଆବଶ୍ୟକ ଥିଲା। ଶ୍ରୀଲଙ୍କାର ବାମହାତୀ ଦ୍ରୁତ ବୋଲର ବିନୁରା ଫର୍ଣ୍ଣାଣ୍ଡୋଙ୍କ ବଲ୍‌କୁ ଛକା ମାରି ସେ ଏହି ଐତିହାସିକ ସଫଳତା ହାସଲ କରିଥିଲେ। ନିଜ ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରର ୧୧୩ତମ ଇନିଂସରେ ଫଖର ଏହି ରେକର୍ଡ କରିଛନ୍ତି। ହେଲେ ଏହି ଉପଲବ୍ଧି ପରେ ସେ ଅଧିକ ସମୟ କ୍ରିଜଖରେ ତିଷ୍ଠି ରହିପାରି ନ ଥିଲେ।

ଅନ୍ତର୍ଜାତୀୟ ଟି-୨୦ରେ ସର୍ବାଧିକ ଛକା ମାରିଥିବା ପାକିସ୍ତାନୀ ବ୍ୟାଟର

– ଫଖର ଜମାନ ୧୦୦
– ମହମ୍ମଦ ରିଜୱାନ ୯୫
– ସାହିବଜାଦା ଫରହାନ ୮୧
– ବାବର ଆଜମ ୮୦
– ମହମ୍ମଦ ହଫିଜ ୭୬

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।