ମାଲକାନଗିରି ପୋଲିସକୁ ଆଉ ଏକ ବଡ଼ ସଫଳତା: ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର ଜବତ

Jun 28, 2026 - 13:33
ମାଲକାନଗିରି ପୋଲିସକୁ ଆଉ ଏକ ବଡ଼ ସଫଳତା: ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି,୨୮ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପୋଲିସକୁ ପୁଣିଥରେ ଏକ ବଡ଼ ସଫଳତା ମିଳିଛି। ମାଓବାଦୀଙ୍କ ଡମ୍ପ୍‌ ଠାବ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ତଥ୍ୟ ଅନୁଯାୟୀ, ଆଜି ସକାଳୁ ଡିବିଏଫ୍‌ ଯବାନମାନେ କାଲିମେଳା ଥାନା ଅନ୍ତର୍ଗତ ଗୁଣ୍ଠାବେଡ଼ା ଓ କଦମଗୁଡ଼ା ନିକଟସ୍ଥ ଜଙ୍ଗଲରେ ସର୍ଚ୍ଚ ଅପରେଶନ କରୁଥିବା ସମୟରେ ଓଡ଼ିଶା ଆନ୍ଧ୍ର ସୀମାନ୍ତ ଆଲୁରି ସୀତାରାମାରାଜୁ ଜିଲା ମୋତୁଗୁଡେମ ଓ ଡଙ୍କରାଇ ଥାନା ଅଞ୍ଚଳରେ ଏକ ଡମ୍ପ ଠାବ କରିଥିଲେ। ଉକ୍ତ ଡମ୍ପରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି।

ଏ ସମ୍ବନ୍ଧରେ ମାଲକାନଗିରି ଏସ୍‌.ପି. ବିନୋଦ ପାଟିଲ ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ତଥ୍ୟ ଅନୁଯାୟୀ କାଲିମେଳା ଥାନା ଅନ୍ତର୍ଗତ ଗୁଣ୍ଠାବେଡ଼ା ଓ କଦମଗୁଡ଼ା ଜଙ୍ଗଲରେ ଡିବିଏଫ୍‌ ଯବାନମାନେ ସର୍ଚ୍ଚ ଅପରେଶନ କରୁଥିବା ସମୟରେ ଆନ୍ଧ୍ର ଓଡ଼ିଶା ସୀମାନ୍ତ ଆଲୁରି ସୀତାରାମାରାଜୁ ଜିଲା ମୋତୁଗୁଡେମ ଓ ଡଙ୍କରାଇ ଥାନା ଅଞ୍ଚଳରୁ ମାଓବାଦୀ ଡମ୍ପ ଜବତ କରିଛନ୍ତି। ଏହି ଡମ୍ପରୁ ଦୁଇଟି ଏସ୍‌.ଏଲ୍‌.ଆର୍‌, ଦୁିଇଟି ପିସ୍ତଲ, ଗୋଟିଏ ୩୦୩ ବାରେଲ, ଦୁଇଟି ଆଇଇଡି, ଗୋଟିଏ କ୍ଲେମର ମୈନ୍‌, ଚାରଟି ବିଜିଏଲ ସେଲ୍‌, ୫ଟି କ୍ୟାଟ୍ରିଜ୍‌, ୭ଟି ଓ୍ବାକିଟକି, ତିନୋଟି ବାକି ଚାର୍ଜର, ଦୁଇଟି ଓ୍ବାକି ଆଣ୍ଟିନା, ୫ ମେଟାଲ ପାଇପ୍‌,ଏମ୍ୟୁନେଶନ ପାଉଚ୍‌, ୪୫ଟି ପେନ୍‌ ଡ୍ରାଇଭ୍‌, ଗୋଟିଏ ହାର୍ଡ ଡିସ୍କ, ଗୋଟିଏ ପାଓ୍ବାର ବ୍ୟାଙ୍କ, ୧୪ ଟି ଜି.ଆଇ ପାଇପ୍‌ କନେକ୍ଟର, କି ବୋର୍ଡ, ଛତା, ଟର୍ଚ୍ଚ ଲାଇଟ୍‌, ଦୌଡ଼ି, ଔଷଧ କିଟ୍‌ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି। ତେବେ ଏହି ଗୋଟିଏ ମାସରେ ପୋଲିସକୁ ତିନି ତିନିଟି ସଫଳତା ମିଳିଛି। ଗତ ଜୁନ୍‌ ୯ରେ ଓ ୧୫ରେ ମଧ୍ୟ ଦୁଇଟି ସ୍ଥାନରୁ ମାଓବାଦୀ ଡମ୍ପ ଜବତ କରାଯାଇଥିଲା। ଆଜି ପୁନର୍ବାର ଜବତ କରାଯାଇଛି। ଆଗାମୀ ଦିନରେ ସର୍ଚ୍ଚ ଅପରେଶନ ଜାରି ରହିଥିବ ଏବଂ ଆଜି ଯେଉଁ ମାଓବାଦୀ ଡମ୍ପ ଜବତ କରାଯାଇଛି। ଏକଦା ଉକ୍ତ ଅଞ୍ଚଳ ମାଓବାଦୀଙ୍କ ଗଡ୍‌ ଭାବେ ପରିଚିତ ଥିବା ସମୟରେ ମାଓବାଦୀମାନେ ଏହାକୁ ଏଠାରେ ଲୁଚାଇ ରଖିଥିଲେ ବୋଲି ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।