ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ିଲେ ମାହେଲା ଜୟବର୍ଦ୍ଧନେ, ନୀତା ଅମ୍ବାନି କହିଲେ…

Oct 17, 2026 - 20:02
ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ିଲେ ମାହେଲା ଜୟବର୍ଦ୍ଧନେ, ନୀତା ଅମ୍ବାନି କହିଲେ…

ମୁମ୍ବାଇ,୧୭ା୧୦: ଶ୍ରୀଲଙ୍କାର କିମ୍ବଦନ୍ତୀ ମାହେଲା ଜୟବର୍ଦ୍ଧନେ ପାଞ୍ଚ ଥରର ଆଇପିଏଲ୍‌ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଦଳର ମୁଖ୍ୟ କୋଚ୍‌ ପଦରୁ ଶନିବାର ଓହରି ଯାଇଛନ୍ତି। ମୁଖ୍ୟ କୋଚ୍‌ ଭାବେ ପ୍ରଥମ କାର୍ଯ୍ୟକାଳରେ ଏମ୍‌ଆଇକୁ ୩ ଟାଇଟଲ ଜିତାଇଥିବା ୪୯ ବର୍ଷୀୟ ଜୟବର୍ଦ୍ଧନେଙ୍କ ଦ୍ୱିତୀୟ କାର୍ଯ୍ୟକାଳ ମାତ୍ର ୨ ବର୍ଷରେ ଶେଷ ହୋଇଛି। ସେ ପୂର୍ବରୁ ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ଏମ୍‌ଆଇର କୋଚ୍‌ ଥିଲେ।

ଦୀର୍ଘ ବର୍ଷ ଧରି ଏମ୍‌ଆଇ ପ୍ରତି ମାହେଲାଙ୍କର ଉଲ୍ଲେଖନୀୟ ଯୋଗଦାନ ରହିଛି। ତାଙ୍କର ଶାନ୍ତ ନେତୃତ୍ୱ ଏବଂ କ୍ରିକେଟ ପ୍ରତି ତାଙ୍କର ସଚ୍ଚୋଟତା ଓ ଗଭୀର ଭଲପାଇବା ଆମ ପାଇଁ ଅନେକ କିଛି। ତାଙ୍କର ଯୋଗଦାନ ଓ ପ୍ରତିବଦ୍ଧତା ଲାଗି ପୂରା ଏମ୍‌ଆଇ ପରିବାର ପକ୍ଷରୁ ମୁଁ ମାହେଲାଙ୍କୁ ଧନ୍ୟବାଦ୍‌ ଦେଉଛି’ ବୋଲି ଏମ୍‌ଆଇ ମାଲିକିଆଣି ନୀତା ଅମ୍ବାନି କହିଛନ୍ତି।

ଜୟବର୍ଦ୍ଧନେଙ୍କ ପ୍ରଥମ କାର୍ଯ୍ୟକାଳରେ ମୁମ୍ବାଇ ୨୦୧୭, ୨୦୧୯ ଓ ୨୦୨୦ରେ ଆଇପିଏଲ ଚାମ୍ପିୟନ ହୋଇଥିଲା। ୨୦୨୫ରେ ସେ ମାର୍କ ବାଉଚରଙ୍କ ପରେ ଦାୟିତ୍ୱ ନେଇଥିଲେ। ସେହି ବର୍ଷ ମୁମ୍ବାଇ କ୍ୱାଲିଫାୟର-୨ରେ ପରାଜିତ ହେବା ପରେ ଆଇପିଏଲ୍‌ରେ ଚତୁର୍ଥ ସ୍ଥାନରେ ରହିଥିଲା। ଆସନ୍ତା ନଭେମ୍ବର ୧୫ ତାରିଖ ଆଇପିଏଲ୍‌ ରିଟେନଶନ ଲାଗି ଶେଷ ଦିନ ଥିବାରୁ ମୁମ୍ବାଇ ପାଖରେ ନୂଆ ମୁଖ୍ୟ କୋଚ୍‌ ଖୋଜିବା ପାଇଁ ଏବେ ୧ ମାସରୁ କମ୍‌ ସମୟ ରହିଛି। ଅକ୍ସନ ଗୋଆଠାରେ ଡିସେମ୍ବର ମଧ୍ୟାନ୍ତର ହେବ ବୋଲି ଆଶା କରାଯାଉଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।