ବଡ଼ ଷଡ଼ଯନ୍ତ୍ରର ଗୁମର ଖୋଲିଲେ କିରେନ୍ ରିଜିଜୁ, କହିଲେ ଭାରତରେ ବାଂଲାଦେଶ-ଫ୍ରାନ୍ସ ଭଳି ହିଂସା…
ନୂଆଦିଲ୍ଲୀ,୧୮।୧୦: ଭାରତରେ କ୍ଷମତା ପରିବର୍ତ୍ତନ ପାଇଁ ଆହ୍ୱାନ କରୁଥିବା ବିରୋଧୀ ଦଳ ଓ ନେତାଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ କିରେନ୍ ରିଜିଜୁ । ବାଂଲାଦେଶରେ କ୍ଷମତା ପରିବର୍ତ୍ତନ ପରେ ଘଟିଥିବା ହିଂସା ଏବଂ ଫ୍ରାନ୍ସରେ ଚାଲିଥିବା ଦଙ୍ଗାର ଉଦାହରଣ ଦେଇ ସେ କହିଛନ୍ତି ଯେ ଭାରତରେ ମଧ୍ୟ ଏଭଳି ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର ରଚାଯାଇଥିଲା। କିନ୍ତୁ ଭାରତ ନା ବାଂଲାଦେଶ ନା ଫ୍ରାନ୍ସ । ରବିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ବିରୋଧୀ ନେତାଙ୍କ କିଛି ଭିଡିଓ କ୍ଲିପ୍ ସେୟାର କରି ରିଜିଜୁ ଏହି ମନ୍ତବ୍ୟ ଦେଇଛନ୍ତି।
ସେ ଲେଖିଛନ୍ତି, “ଭାରତ ବିରୋଧୀ ଗୋଷ୍ଠୀ ଏବଂ କିଛି ରାଜନେତା ମିଶି ଯୁବକମାନଙ୍କୁ ଉସୁକାଇବା ଓ ଆମ ରାସ୍ତାରେ ହିଂସା ସୃଷ୍ଟି କରିବାକୁ ଯୋଜନା କରିଥିଲେ। କିନ୍ତୁ ଏହି ବିପଜ୍ଜନକ ଷଡ଼ଯନ୍ତ୍ର ରଚିଥିବା ଲୋକମାନେ ଭୁଲିଗଲେ ଯେ ଭାରତ ନା ବାଂଲାଦେଶ, ନା ଫ୍ରାନ୍ସ।” କେନ୍ଦ୍ରମନ୍ତ୍ରୀ ରିଜିଜୁ ନିଜ ପୋଷ୍ଟରେ ଆମେରିକୀୟ ବ୍ୟବସାୟୀ ଜର୍ଜ ସୋରୋସ୍ଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ଭାରତରେ କ୍ଷମତା ପରିବର୍ତ୍ତନ ନିଶ୍ଚିତ ଭାବେ ସମ୍ଭବ, କିନ୍ତୁ ତାହା କେବଳ ନିର୍ବାଚନ ମାଧ୍ୟମରେ ହୋଇପାରିବ, ସୋରୋସ୍ଙ୍କ ଜରିଆରେ ନୁହେଁ। ବିରୋଧୀ ଦଳର କିଛି ନେତା ଓ ସାମାଜିକ କର୍ମୀଙ୍କ ମନ୍ତବ୍ୟକୁ ନେଇ ରିଜିଜୁ ଏହି ପ୍ରଶ୍ନ ଉଠାଇଛନ୍ତି।
ରିଜିଜୁ ସେୟାର କରିଥିବା ଭିଡିଓରେ ବାଂଲାଦେଶର ସଂସଦ ଉପରେ ଆକ୍ରମଣ ଓ ହିଂସାତ୍ମକ ଘଟଣା, ନେପାଳର ହିଂସା ଏବଂ ଶ୍ରୀଲଙ୍କାରେ ହୋଇଥିବା ପ୍ରଦର୍ଶନ ସମ୍ପର୍କିତ ଦୃଶ୍ୟ ରହିଥିବା ଦାବି କରାଯାଇଛି । ଏହା ସହ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ, ନେହା ବୋରା ଏବଂ ରାହୁଲ ଗାନ୍ଧୀଙ୍କ ଭିଡିଓ କ୍ଲିପ୍ ମଧ୍ୟ ସେୟାର କରାଯାଇଛି। ଭିଡିଓରେ ପ୍ରଶାନ୍ତ ଭୂଷଣଙ୍କୁ “ହଁ, ଆମେ ଚାହୁଁଛୁ ଯେ ସରକାର ପରିବର୍ତ୍ତନ ହେଉ” ବୋଲି କହୁଥିବା ଶୁଣିବାକୁ ମିଳୁଛି ବୋଲି ଦାବି କରାଯାଇଛି । ବିରୋଧୀ ଦଳଗୁଡ଼ିକ ଭାରତକୁ ବାଂଲାଦେଶ ଭଳି କରିବାକୁ ଚାହୁଁଛନ୍ତି ବୋଲି ଅଭିଯୋଗ କରି ରିଜିଜୁ କହିଛନ୍ତି ଯେ ସେମାନେ ଏଭଳି ସ୍ୱପ୍ନ ଦେଖି ଚାଲନ୍ତୁ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।