ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍
ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା CJP ର ପ୍ରଦର୍ଶନକୁ ସମର୍ଥନ ଜଣାଇ ଆୟୋଜିତ ଏକ ପ୍ରତିବାଦ ସଭାରେ ସମର୍ଥନ କରିବା ପାଇଁ ଆସିଥିବା ବେଳେ ଅଭିନେତାଙ୍କୁ ଆଗଷ୍ଟ କ୍ରାନ୍ତି ମଇଦାନରୁ ପୋଲିସ ଅଟକ ରଖିଛି। ଇମ୍ରାନ୍ ଖାନ୍ ପୂର୍ବରୁ ମଧ୍ୟ ବିଭିନ୍ନ ପ୍ରତିବାଦ ଓ ପ୍ରଦର୍ଶନଗୁଡ଼ିକୁ ନିଜର ସମର୍ଥନ ଜଣାଇଆସିଛନ୍ତି। ତାଙ୍କୁ ପୋଲିସ ଅଟକ ରଖିବା ଖବର ସାମ୍ନାକୁ ଆସିବା ପରେ ବଲିଉଡ୍ ଜଗତରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ଏବଂ ଏହି ସମୟର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।
ଅଟକ ରହିବା ସମୟରେ ଗଣମାଧ୍ୟମର ପ୍ରତିନିଧିମାନେ ଇମ୍ରାନ୍ ଖାନ୍ଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ ଇମ୍ରାନ୍ କହିଥିଲେ ଯେ, “ମୋର କୌଣସି ଦାବି ନାହିଁ। ମୁଁ ଏଠାରେ ଜଣେ ସାଧାରଣ ନାଗରିକ ଭାବେ ଆସିଛି, ଏପରି ଜଣେ ବ୍ୟକ୍ତି ଭାବେ ଯିଏ ଏହି ସହରରେ ରହେ। ଲୋକଙ୍କର ଯାତାୟାତ ସ୍ୱାଧୀନତା ଉପରେ କାହିଁକି ରୋକ୍ ଲଗାଯାଉଛି ଏବଂ ଲୋକଙ୍କ ସ୍ୱରକୁ କାହିଁକି ଦବାଯାଉଛି, ତାହା ଦେଖିବାକୁ ମୁଁ ଏଠାକୁ ଆସିଥିଲି। ମୁଁ ଏଠାକୁ କାହାଠାରୁ କୌଣସି ଦାବି କରିବାକୁ ଆସିନି କିମ୍ବା ମୁଁ କୌଣସି ସଂଗଠନର ଅଂଶବିଶେଷ ମଧ୍ୟ ନୁହେଁ। ମୁଁ କେବଳ ଜଣେ ପ୍ରତିନିଧି ଭାବେ ଏଠାକୁ ଆସିଛି।” ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓକୁ ନେଇ ତାଙ୍କର ପ୍ରଶଂସକମାନେ ବିଭିନ୍ନ ପ୍ରକାରର ମତାମତ ଦେଉଛନ୍ତି।
#WATCH | Mumbai: Before he was detained by Police, Actor Imran Khan says, “I don’t have demands. I am here as a citizen, as someone who lives in this city. I am here to see why freedom of movement is being restricted—why people’s voices are being suppressed. That is why I am here. I am not in a position to make demands of anyone. Nor am I part of any organization. I am just here as a representative…”
— ANI (@ANI) October 10, 2026
ସୂଚନାଯୋଗ୍ୟ ଯେ, ଇମ୍ରାନ୍ ଖାନ୍ ଏହା ପୂର୍ବରୁ ମଧ୍ୟ ବିଭିନ୍ନ ପ୍ରତିବାଦ ମାର୍ଚ୍ଚ ଏବଂ ଛାତ୍ରମାନଙ୍କ ବିଭିନ୍ନ ପ୍ରସଙ୍ଗରେ ନିଜର ମତ ରଖିଆସିଛନ୍ତି। ଗତ ଜୁଲାଇ ମାସରେ ମଧ୍ୟ ସେ ଏକ ପ୍ରଦର୍ଶନ ମାର୍ଚ୍ଚରେ ସାମିଲ ହୋଇଥିଲେ। ୨୦୦୮ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଜାନେ ତୁ… ୟା ଜାନେ ନା’ (Jaane Tu… Ya Jaane Na) ଜରିଆରେ ଇମ୍ରାନ୍ ବଲିଉଡ଼ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଏହି ଫିଲ୍ମରେ ତାଙ୍କ ସହିତ ଜେନେଲିଆ ଡି’ସୁଜା ନଜର ଆସିଥିଲେ। ଏହାପରେ ସେ ‘ଆଇ ହେଟ୍ ଲଭ୍ ଷ୍ଟୋରିଜ୍’, ‘ବ୍ରେକ୍ କେ ବାଦ୍’, ‘ମେରେ ବ୍ରଦର୍ କି ଦୁଲହନ୍’ ଏବଂ ‘ଦିଲ୍ଲୀ ବେଲି’ ଭଳି ଲୋକପ୍ରିୟ ଚଳଚ୍ଚିତ୍ରମାନଙ୍କରେ ଅଭିନୟ କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।