ମୋବାଇଲ୍ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର
ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ. ଅସିତ କୁମାର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ ଛାତ୍ରୀଛାତ୍ରଙ୍କୁ ‘ବିକଶିତ ଭାରତ ନିର୍ମାଣରେ ସେବା ସଂକଳ୍ପ’ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ଏହି ଅବସରରେ ବିଧାୟକ ପ୍ଲାଷ୍ଟିକ ବର୍ଜନ, ପରିବେଶ ସୁରକ୍ଷା ଏବଂ ମୋବାଇଲ୍ର ଅତ୍ୟଧିକ ବ୍ୟବହାରଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଥିଲେ। ଏହାଦ୍ୱାରା ନିଜ ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବା ସହ ସୁସ୍ଥ ସମାଜ ଗଠନରେ ସହଯୋଗ କରିପାରିବା ବୋଲି ସେ କହିଥିଲେ।
ଅଧ୍ୟାପକ ଅନିଲ କୁମାର ସାହୁ ସୱତନ୍ତ୍ର ଅତିଥି ଭାବେ ମଞ୍ଚାସୀନ ଥିଲେ। ‘ବିକଶିତ ଭାରତ ନିର୍ମାଣରେ ସେବା ସଂକଳ୍ପ’ ବିଷୟବସ୍ତୁକୁ ନେଇ ଛାତ୍ରଛାତ୍ରୀମାନେ ବକ୍ତୃତା ପ୍ରଦାନ କରିଥିଲେ। ପ୍ରତିଯୋଗିତାକୁ ଅଧ୍ୟାପକ ଶିବାଶିଷ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ଅନୀତା ପାଣି ଏବଂ ଡ. ନିର୍ମଳା ମହାନ୍ତି ବିଚାରକ ଭାବେ ଯୋଗଦେଇ ପ୍ରତିଯୋଗୀଙ୍କ ପ୍ରଦର୍ଶନର ମୂଲ୍ୟାୟନ କରିଥିଲେ। ପ୍ରତିଯୋଗିତା ଶେଷରେ ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ଶ୍ରେଷ୍ଠ ତିନିଜଣ ପ୍ରତିଯୋଗୀ ଏସ. ଶିବଶଙ୍କର ଦୋରା, କାଜଲ ଗୌଡ଼ ଏବଂ ଜ୍ୟୋତି ରଣାଙ୍କୁ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।