ଯୁବପିଢ଼ିଙ୍କୁ ସଶକ୍ତ କରିବ ପ୍ରଯୁକ୍ତିବିଦ୍ୟା: ରାଜ୍ୟପାଳ

Oct 12, 2026 - 13:27
ଯୁବପିଢ଼ିଙ୍କୁ ସଶକ୍ତ କରିବ ପ୍ରଯୁକ୍ତିବିଦ୍ୟା: ରାଜ୍ୟପାଳ

ଅତାବିରା,୧୨।୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ନୂଆଁ ଖଇରପାଲି କୋଶଲ ସ୍କୁଲକୁ ରବିବାର ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପତି ଗସ୍ତ କରିଥିଲେ। ଏହି ଅବସରରେ ସେ ଏସ୍‌ଟିଇଏମ୍‌ ଲାବ୍‌ ଓ ଏରୋମଡେଲିଂ ଟ୍ରେନିଂ ସେଣ୍ଟର ଉଦ୍‌ଘାଟନ କରିଥିଲେ। ସେ ତାଙ୍କ ଅଭିଭାଷଣରେ କହିଥିଲେ, ଏହି ନୂତନ ସୁବିଧା କେନ୍ଦ୍ରର କେବଳ ଉଦ୍‌ଘାଟନ ନୁହେଁ, ଏହା ଏକ ନୂତନ ଯାତ୍ରାର ଶୁଭାରମ୍ଭ। ଏହି ଯାତ୍ରା ବିଜ୍ଞାନ ପ୍ରତି ଜିଜ୍ଞାସାକୁ ପୋଷଣ କରିବ, ନୂତନ ଉଦ୍ଭାବନ ପାଇଁ ପ୍ରେରଣା ଯୋଗାଇବ ଏବଂ ପଶ୍ଚିମ ଓଡ଼ିଶାର ଯୁବପିଢ଼ିଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିଜର ସ୍ବପ୍ନ ଓ ଆକାଂକ୍ଷାକୁ ସଫଳତାରେ ପରିଣତ କରିବା ପାଇଁ ସଶକ୍ତ କରିବ ବୋଲି ରାଜ୍ୟପାଳ କହିଥିଲେ। ସେ ଆହୁରି କହିଥିଲେ, ଗୁଣାତ୍ମକ ଷ୍ଟେମ୍‌ ଶିକ୍ଷାର ପରିସର ବିସ୍ତାର କରିବା ଆମର ଲକ୍ଷ୍ୟ। ‘ଦି କୋଶଳ ସ୍କୁଲ’ରେ ପ୍ରତିଷ୍ଠିତ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ଷ୍ଟେମ୍‌ ଲ୍ୟାବ୍‌ ଏବଂ ଏରୋମଡେଲିଂ ପ୍ରଶିକ୍ଷଣ କେନ୍ଦ୍ର ଛାତ୍ରୀଛାତ୍ରଙ୍କ ମଧ୍ୟରେ ଏକ ବୈଜ୍ଞାନିକ ମନୋଭାବ ଗଢ଼ି ତୋଳିବାରେ ସାହାଯ୍ୟ କରିବ, ଯାହା ସେମାନଙ୍କୁ ଭାରତର ଦ୍ରୁତ ବିକାଶମୁଖୀ ପ୍ରଯୁକ୍ତିବିଦ୍ୟା ଶିଳ୍ପରେ ଭାଗ ନେବାକୁ ଉତ୍ସାହିତ କରିବ। ଏହି ସମସ୍ତ ସୁବିଧା ମିଳିତ ଭାବେ ସୃଜନଶୀଳତା, ସମାଲୋଚନାତ୍ମକ ଚିନ୍ତନ, ସମସ୍ୟା ସମାଧାନ କରିବାର ଦକ୍ଷତା ଏବଂ ବୈଜ୍ଞାନିକ ମନୋଭାବର ବିକାଶ କରିପାରିବ। ଏହା ଆମ ପାଇଁ ବିମାନ ଚଳାଚଳ, ରୋବୋଟିକ୍ସ, କୃତ୍ରିମ ବୁଦ୍ଧିମତ୍ତା, ଇଞ୍ଜିନିୟରିଂ ଏବଂ ନୂତନ ଭାବେ ଉଦ୍ଭାବିତ ହେଉଥିବା ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ଜଗତକୁ ଏକ ନୂଆ ଝରକା ଖୋଲିଦେଇପାରିବ ବୋଲି ରାଜ୍ୟପାଳ କହିଥିଲେ। ପରେ ରାଜ୍ୟପାଳ ଏହି କେନ୍ଦ୍ର ପରିଦର୍ଶନ କରି ପିଲାମାନଙ୍କ ସହ ଭାବ ବିନିମୟ କରିଥିଲେ। କାର୍ଯ୍ୟକ୍ରମରେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଭଟଲି ବିଧାୟକ ଇରାସିସ୍‌ ଆଚାର୍ଯ୍ୟ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲ, ଦି କୋଶଳ ସ୍କୁଲର ଚେୟାରମ୍ୟାନ ମୁରଲୀକୃଷ୍ଣ ଗନ୍ନାମନୀ, ବିଦ୍ୟାଳୟର ଅଧ୍ୟକ୍ଷ ରବିନ୍ଦ୍ର ନାଥ ବେହେରା, ବୋଇଂ ଇଣ୍ଡିଆ ଓ ଦକ୍ଷିଣ ଏସିଆ ସଭାପତି ସଲିଲ ଗୁପ୍ତେ, ଲର୍ନିଂ ଲିଙ୍କ୍‌ସ ଫାଉଣ୍ଡେଶନ ଅଧ୍ୟକ୍ଷା ଡ. ଅଞ୍ଜଳୀ ଜିଙ୍କ ସମେତ ଶିକ୍ଷୟିତ୍ରୀ ଶିକ୍ଷକ, ଛାତ୍ରୀଛାତ୍ର ଏବଂ ବୋଇଂ ତଥା ଲର୍ନିଂ ଲିଙ୍କ୍‌ସ ଫାଉଣ୍ଡେଶନର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।