ଦୋମୁହାଁ ଟ୍ରମ୍ପ
ଡୋନାଲ୍ଡ ଟ୍ରମ୍ପ୍ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ ଦୃଶ୍ୟପଟକୁ ଦେଖିଲେ ବିଭିନ୍ନ ଦେଶ ଉପରେ ଟାରିଫ୍ କଷିବା ଯେମିତି ତାଙ୍କ ସଉକ ପାଲଟିଯାଇଛି। ଯିଏ ତାଙ୍କ କଥା ନ ମାନିଲା ସଙ୍ଗେ ସଙ୍ଗେ ତା’ ଉପରେ ଦଣ୍ଡାତ୍ମକ ବ୍ୟବହାର ପ୍ରଦର୍ଶନ କରି ସେ ସମସ୍ତଙ୍କୁ ଡରାଇ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ରୁଷିଆ ତୈଳକୁ ନେଇ ଏବର ପଦକ୍ଷେପ ତାଙ୍କୁ ସର୍ବାଧିକ ସମାଲୋଚିତ କରିଛି। ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣ ଜାରି ରଖିଥିବାରୁ ମସ୍କୋରୁ ତୈଳ ନ କିଣିବା ଲାଗି ଭାରତ, ଚାଇନା ସମେତ ଅନେକ ରାଷ୍ଟ୍ର ଉପରେ ଟ୍ରମ୍ପ୍ ପ୍ରତିବନ୍ଧକ ଲଗାଇଛନ୍ତି। କାରଣ ରୁଷିଆର ତୈଳ ବିକ୍ରିଲବ୍ଧ ଅର୍ଥ ୟୁକ୍ରେନ୍ ଯୁଦ୍ଧକୁ ଅଧିକ ଗତି ଦେବ ବୋଲି ଟ୍ରମ୍ପ୍ କହିଆସିଛନ୍ତି। ଏପରିକି ୧୦୦ ପ୍ରତିଶତ ଟାରିଫ୍ ବସାଇବା ନେଇ ଆମେରିକା ସଂସଦରେ ଆଇନ ଆଣି ସେ ଗତ ମାସ ଚହଳ ପକାଇଥିଲେ। ହେଲେ ଆମେରିକା-ରୁଷିଆ ଡିଜେଲ ଚୁକ୍ତିକୁ ସେ ଏବେ ଅନୁମତି ଦେଇ ନିଜ ଆଭିମୁଖ୍ୟରେ ଦୋମୁହଁା ନୀତି ଅନୁସରଣ କରିଥିବା ଦେଖିବାକୁ ମିଳିଛି। ୯ ଅକ୍ଟୋବରରେ ଟ୍ରମ୍ପ୍ କହିଥିଲେ ଯେ, ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସହ ଏ ନେଇ ଏକ ସଫଳ ଆଲୋଚନା ହୋଇଛି, ଯେଉଁଥିରେ ରୁଷିଆ ତୁରନ୍ତ ଆମେରିକା ଏବଂ ବିଶ୍ୱ ବଜାରକୁ ୩ ଲକ୍ଷ ଟନ୍ରୁ ଅଧିକ ଡିଜେଲ ଇନ୍ଧନ ଯୋଗାଇବ। ନଭେମ୍ବରରେ ଆଉ ୫ ଲକ୍ଷ ଟନ୍ ଏବଂ ତା’ପରେ ଆଉ ୧୦ ଲକ୍ଷ ଟନ୍ ଯୋଗାଇ ଦିଆଯିବ ବୋଲି ଟ୍ରମ୍ପ୍ କହିଥିଲେ।
ଆମେରିକାରେ ଆସନ୍ତା ନଭେମ୍ବରରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଅଛି। ଏବେ ସେଠାରେ ଡିଜେଲ ଦର ପ୍ରବଳ ମାତ୍ରାରେ ବୃଦ୍ଧି ପାଇଥିବାରୁ ଭୋଟର ଅସନ୍ତୋଷକୁ ନିୟନ୍ତ୍ରଣାଧୀନ କରିବା ପାଇଁ ଏଭଳି ତୈଳ ଚୁକ୍ତି କରାଯାଇଥିବା ମନେହେଉଛି। ଅନ୍ୟପଟେ ଟ୍ରମ୍ପ୍ଙ୍କୁ ସନ୍ତୁଷ୍ଟ ରଖିବା ସକାଶେ ବ୍ୟାକୁଳ ହେଉଥିବା ଭାରତ ବର୍ତ୍ତମାନ ପେଟ୍ରୋଲରେ ଇଥାନଲ ମିଶାଇ ଗାଡ଼ି ନଷ୍ଟ କରିବାରେ ଲାଗିଛି। ତେଣୁ ଶକ୍ତି କ୍ଷେତ୍ର ସମ୍ବନ୍ଧୀୟ ନିଷ୍ପତ୍ତିରେ ଆମେରିକାର ମନଇଚ୍ଛା କାର୍ଯ୍ୟକୁ ଭାରତ ବିରୋଧ କରିବା ଉଚିତ। କାରଣ କେବଳ ଟ୍ରମ୍ପ୍ଙ୍କ ପାଇଁ ଆଜି ଭାରତ ସମେତ ସମଗ୍ର ବିଶ୍ୱରେ ଶକ୍ତି ସଙ୍କଟ ଦେଖାଦେଇଛି। ଏହା ଜଣାଶୁଣା ଯେ, ଇରାନ ଉପରେ ଆମେରିକା-ଇସ୍ରାଏଲ ଯୁଦ୍ଧ ଏବଂ ୟୁକ୍ରେନ ଉପରେ ରୁଷିଆର ଯୁଦ୍ଧ ସ୍ଥିତି କାରଣରୁ ବିଶ୍ୱରେ ଇନ୍ଧନ ମୂଲ୍ୟ ବହୁତ ବଢ଼ିଯାଇଛି। ଚଳିତ ବର୍ଷ ଫେବୃଆରୀରେ ଆମେରିକା ଓ ଇସ୍ରାଏଲ ପ୍ରଥମେ ଇରାନ ଉପରେ ଆକ୍ରମଣ କରିବାରୁ ତେହରାନ ମୁଖ୍ୟତଃ ହର୍ମୁଜ ଜଳପଥକୁ ବନ୍ଦ କରିଦେଇଛି। ଯେଉଁ ଜଳପଥ ଦେଇ ବିଶ୍ୱର ୨୦ ପ୍ରତିଶତ ତୈଳ ଓ ଗ୍ୟାସ ଯୋଗାଣ ହୋଇଥାଏ, ତାହା ମନୁଷ୍ୟକୃତ କାରଣରୁ ବନ୍ଦ ହୋଇଯିବାର ଅର୍ଥ ତୈଳ ଦର ବଢ଼ିଯିବା ସ୍ବାଭାବିକ। ପୁଣି ଉପସାଗରୀୟ ଅଞ୍ଚଳରୁ ତୈଳ ରପ୍ତାନିର ଅନ୍ୟ ଏକ ପ୍ରମୁଖ ମାର୍ଗ ସାଉଦି ଆରବର ‘ଇଷ୍ଟ-ୱେଷ୍ଟ ପାଇପ୍ଲାଇନ’ ଉପରେ ଇରାନ୍ ସମର୍ଥିତ ଇରାକ ଉଗ୍ରପନ୍ଥୀଙ୍କ ଆକ୍ରମଣ ଏବଂ ଏହା ସହିତ ଲୋହିତ ସାଗର ଓ ‘ବାବ୍ ଅଲ-ମାଣ୍ଡେବ୍’ ଜଳପଥ ଉପରେ ୟେମେନର ହାଉତି ବିଦ୍ରୋହୀଙ୍କ ଆକ୍ରମଣ ତୈଳ ଯୋଗାଣକୁ ସଙ୍କୁଚିତ କରିଦେଇଛି।
କେବଳ ସେତିକି ନୁହେଁ, ଇତିମଧ୍ୟରେ ରୁଷିଆ ଏବଂ ୟୁକ୍ରେନ ଉଭୟ ଦେଶରେ ତୈଳ ବିଶୋଧନାଗାର, ଶକ୍ତି ଏବଂ ବନ୍ଦର ପ୍ରତିଷ୍ଠାନଗୁଡ଼ିକ ଉପରେ ଭୟାବହ ଆକ୍ରମଣ ଲାଗିରହିଛି। ୟୁକ୍ରେନ୍ ସପକ୍ଷରେ ବାହାରି ଟ୍ରମ୍ପ୍ ରୁଷିଆକୁ ଟାର୍ଗେଟ କରୁଥିଲେ। ଏବେ ଯେତେବେଳେ ରୁଷିଆଠାରୁ ଡିଜେଲ କିଣିବା ଲାଗି ଆମେରିକା ଚୁକ୍ତି କରିଛି ସେଥିରୁ ବୁଝିବାକୁ ହେବ ଯେ, ଟ୍ରମ୍ପ୍ଙ୍କ କୌଣସି ନୀତିରେ ସ୍ଥିରତା ନାହିଁ।
Dharitri – Odisha’s No.1, Most Trusted Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।