ଯୋଗାଯୋଗର ଭାଷା ଜାଣିବା ଜରୁରୀ

Sep 22, 2026 - 08:36
ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ ମାଡାମ୍‌ ଓ ସାର୍‌ମାନେ ସରଳ ଭାଷାରେ ବୁଝାନ୍ତି ଆଉ ଆମେମାନେ ବୁଝିଯାଉ। ମୁଁ ସେମାନଙ୍କୁ ଇଂଲିଶ, ସୋସିଆଲଷ୍ଟଡି ଓ ସାଧାରଣ ଜ୍ଞାନ ଆଦି ବିଷୟରେ ସରଳ ଭାଷାରେ ବୁଝାଇଦେଲେ ସେମାନେ ବୁଝିଯାଇ ଖୁସିରେ ଥାଙ୍କ୍‌ ୟୁ ବୋଲି କୁହନ୍ତି। ଯଦି ନ ବୁଝିପାରିଲେ ଆଉ ଥରେ ବୁଝାଇବାକୁ କୁହନ୍ତି। ଛୋଟ ପିଲାମାନଙ୍କୁ ତାଙ୍କ ଭାଷା ଓ ଶୈଳୀରେ ବୁଝାଇଲେ ସେମାନଙ୍କର ପାଠ ପ୍ରତି ଆଗ୍ରହ ବଢ଼ିଥାଏ।
ମନେପଡ଼େ ନିକଟ ଅତୀତର ଜିତୁ ମୁଣ୍ଡାଙ୍କ ଘଟଣା। ଟଙ୍କା ଉଠାଇବା ନେଇ ବ୍ୟାଙ୍କ ଅଧିକାରୀଙ୍କର ଜିତୁ ମୁଣ୍ଡାଙ୍କ ପ୍ରତି ବ୍ୟବହାର ବା ଯୋଗାଯୋଗର ଭାଷା ସରଳ ହେବା ଆବଶ୍ୟକ ଥିଲା। ଅଧିକାରୀମାନେ ଯୋଗାଯୋଗର ଭାଷା ଜାଣିବା ନିହାତି ଜରୁରୀ। ବ୍ୟାଙ୍କ ଅଧିକାରୀଙ୍କ ଭାଷା ସରଳ ଓ ବୁଝିବାରେ ଗ୍ରହଣୀୟ ନ ହେବାରୁ ଜିତୁ ମୁଣ୍ଡା ଭଉଣୀର କଙ୍କାଳ ଶ୍ମଶାନରୁ ଖୋଳି କାନ୍ଧରେ ନେଇ ବ୍ୟାଙ୍କ ସମ୍ମୁଖରେ ରଖିଥିଲେ। ଏହି ଘଟଣା ପରେ ସମସ୍ତଙ୍କ ମନକୁ ଆସୁଛି ଯେ, ଅଧିକାଂଶ ସମୟରେ ଶିକ୍ଷିତ ଲୋକ ଓ ଅଧିକାରୀମାନେ ସାଧାରଣ ଲୋକଙ୍କୁ ସରଳ ଭାଷାରେ କଥା କହିପାରନ୍ତି ନାହିଁ। ବ୍ୟାଙ୍କ କର୍ମଚାରୀମାନେ ଜିତୁଙ୍କ ଭଳି ସାଧାରଣ ଲୋକର ଭାଷା ଜାଣନ୍ତି ନାହିଁ। ଯୋଗାଯୋଗର ଭାଷା ଓ ପ୍ରାରମ୍ଭିକ ଶିକ୍ଷା ପାଇଥିବା ଲୋକଙ୍କୁ ସରଳ ଭାଷାରେ ବୁଝାଯାଏ। ଯେପରି ଶିଶୁ, ଛାତ୍ରୀଛାତ୍ର ବିଭିନ୍ନ ଗ୍ରୁପ୍‌ ଲୋକଙ୍କୁ ବୁଝାଇବାର ଭିନ୍ନତା ଥାଏ। ବ୍ୟାଙ୍କ ଅଧିକାରୀ ବଡ଼ ଅଙ୍କର ଭାଷା ଓ ଚାପ, ରିକୋଭରି ସମ୍ପର୍କ ରଖି ବଡ଼ ବଡ଼ କମ୍ପାନୀ ଏବଂ ସରକାରଙ୍କ ଅର୍ଥ ପୈଠ କରିବା ପାଇଁ ଭାଷା ଓ କୌଶଳ ବେଶ୍‌ ବୁଝିଥାନ୍ତି, ମାତ୍ର ବିଭିନ୍ନ ପ୍ରକାର ବ୍ୟାଙ୍କ ଗ୍ରାହକଙ୍କୁ କେମିତି ବୁଝାଯାଏ, ବୋଧହୁଏ ଜାଣନ୍ତି ନାହିଁ। ଫଳରେ ଜିତୁ ମୁଣ୍ଡାଙ୍କ ଘଟଣା ସମସ୍ତଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟିଲା। ରାଜ୍ୟ ତଥା ଭାରତର ଗ୍ରାମାଞ୍ଚଳରେ ବିଭିନ୍ନ ଜାତୀୟ ଓ ଘରୋଇ ବ୍ୟାଙ୍କଗୁଡିକ ନିଜ ଶାଖା ଖୋଲି ଲୋକଙ୍କ ସହଯୋଗରେ ବ୍ୟାଙ୍କ ପରିଚାଳନା କରୁଛନ୍ତି। ମାତ୍ର ବ୍ୟାଙ୍କ କର୍ମଚାରୀମାନେ ସାଧାରଣ ଗ୍ରାହକ ଅର୍ଥାତ୍‌ ପାଠ ପଢ଼ି ନ ଥିବା ଗ୍ରାହକଙ୍କ ସେବା ପାଇଁ ଆର୍ଥିକ ଶିକ୍ଷା ଦେବାର ବ୍ୟବସ୍ଥା ଅଛି। ଲିଡ୍‌ ବ୍ୟାଙ୍କ ତରଫରୁ ଏହି ବିଷୟରେ ସଚେତନତା କ୍ୟାମ୍ପ କରିବା ପାଇଁ ବ୍ୟାଙ୍କ ଅଥରିଟି ଓ ଆର୍‌ବିଆଇ ନିର୍ଦ୍ଦେଶ ଅଛି, ହେଲେ ସେଥିପାଇଁ ଅନେକ ବ୍ୟାଙ୍କ ଗ୍ରାହକଙ୍କୁ ସଚେତନ କରାନ୍ତି ନାହିଁ। ଜ଼ିଲାର ଜ଼ିଲାପାଳ ବିଭିନ୍ନ ବ୍ୟାଙ୍କର ଅଧ୍ୟକ୍ଷ ଥିଲେ ମଧ୍ୟ ଏହାକୁ କଡ଼ାକଡ଼ି ଲାଗୁ କରନ୍ତିନାହିଁ। ଫଳରେ ସାଧାରଣ ଗ୍ରାହକମାନେ ବ୍ୟାଙ୍କରେ ଆକାଉଣ୍ଟକୁ କିଭଳି ପରିଚାଳନା କରିବେ ସଚେତନ ହୋଇପାରନ୍ତି ନାହିଁ। ବ୍ୟାଙ୍କରେ କିପରି ଆକାଉଣ୍ଟ ଖୋଲିବା ଓ କ୍ଲୋଜ୍‌ କରିବା, ଗ୍ରାହକଙ୍କର ମୃତ୍ୟୁ ପରେ ଆକାଉଣ୍ଟରେ ଥିବା ଟଙ୍କାକୁ କ୍ଲେମ୍‌ କରିବା ଆଦି ବିଷୟରେ ବ୍ୟାଙ୍କ ଅଧିକାରୀ ସାଧାରଣ ଗ୍ରାହକଙ୍କୁ ପ୍ରାୟ ଠିକ୍‌ ଭାବେ ବୁଝାନ୍ତି ନାହିଁ। କହିଲେ ମଧ୍ୟ ସରଳ ଭାଷାରେ ଯୋଗାଯୋଗ କରନ୍ତି ନାହିଁ। ସେହିଭଳି ଗ୍ରାମାଞ୍ଚଳରେ ବ୍ୟାଙ୍କଗୁଡ଼ିକରେ ମୌଳିକ ସୂଚନା ବିଷୟରେ ସୂଚନା ଦେବାପାଇଁ ଅନ୍ୟ ବିଭାଗ ଭଳି ସ୍ବତନ୍ତ୍ର ବିଭାଗ ବା ବ୍ୟବସ୍ଥା ନାହିଁ। ଫଳରେ ଅଧିକାରୀମାନେ ସାଧାରଣ ଗ୍ରାହକଙ୍କୁ ବ୍ୟସ୍ତ ସମୟରେ ବୁଝାଇବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ। ସେହିପରି ସୂଚନା ଅଭାବରୁ ସାଧାରଣ ଗ୍ରାହକମାନେ ବ୍ୟାଙ୍କ ବିଷୟରେ ଓ ତା’ର ନିୟମାବଳୀଗୁଡ଼ିକ ଜାଣିପାରନ୍ତି ନାହିଁ। ଅନେକ ସମୟରେ ଅନେକ ଗ୍ରାହକ ସରକାରଙ୍କ ବିଭିନ୍ନ ଯୋଜନା ବା ସ୍କିମ୍‌ ସମ୍ପର୍କିତ ଅର୍ଥ କାରବାର ବିଷୟରେ ଜାଣି ପାରନ୍ତିନାହିଁ। ସେଥିପାଇଁ ବୁଦ୍ଧିଜୀବୀ ଓ ଯୋଗାଯୋଗ ବିଶାରଦ କୁହନ୍ତି, ବିଭିନ୍ନ ଚାକିରିରେ ଥିବା ଅଧିକାରୀମାନେ ନିଜ ନିଜର ଦାୟିତ୍ୱ ଅନୁସାରେ ଯୋଗାଯୋଗର ଭାଷା ବୁଝିବା ଆବଶ୍ୟକ। ଆପଣମାନେ ଉଚ୍ଚଶିକ୍ଷିତ ହୋଇପାରନ୍ତି, ମାତ୍ର ଠିକ୍‌ ଭାବେ ଆପଣଙ୍କ ଟାର୍ଗେଟ୍‌ ଅଡିଆନ୍ସ ଯୋଗାଯୋଗ କରିବା ଆବଶ୍ୟକ। ସେହି କର୍ମକର୍ତ୍ତାମାନେ ବ୍ୟାଙ୍କ ବିଷୟରେ ଓ ଗ୍ରାହକଙ୍କୁ ଠିକ୍‌ ବ୍ୟବହାରକରିବା ଆବଶ୍ୟକ। ଏହା ବ୍ୟାଙ୍କର ଗୁଡ୍‌ ଉଇଲ ବଢ଼ାଇବ, ସେଥିପାଇଁ ଭାରତୀୟ ଜନସଞ୍ଚାର ସଂସ୍ଥାନ ଆଇଆଇଏମ୍‌ସି ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଯୋଗାଯୋଗର ଭାଷା ବିଷୟରେ ତାଲିମ ଦେଇଥାନ୍ତି। ସରକାରଙ୍କର ବିଭିନ୍ନ ବିଭାଗରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଏ। ଗ୍ରାମାଞ୍ଚଳରେ କାମ କରୁଥିବା ଅଧିକାରୀମାନଙ୍କୁ କାର୍ଯ୍ୟରେ ଯୋଗଦେବା ପୂର୍ବରୁ ଯୋଗାଯୋଗର ସରଳ ଭାଷାର ତାଲିମ ଦିଆଯିବା ଆବଶ୍ୟକ। ସେହିପରି ଜାତୀୟ ଓ ଘରୋଇ ବ୍ୟାଙ୍କର ଅଧିକାରୀଙ୍କୁ ଗ୍ରାମାଞ୍ଚଳରେ ନିଯୁକ୍ତିଦେବା ପୂର୍ବରୁ ଯୋଗାଯୋଗ ଭାଷାର ତାଲିମ ଦେବା ଜରୁରୀ। ଫଳରେ ସାଧାରଣ ଲୋକଙ୍କ ଭାଷା ବୁଝିବା ସହଜ ହେବ। ନୂଆ ଟେକ୍ନୋଲୋଜି ଆସିବା ପରେ ଯୋଗାଯୋଗରେ ପରିବର୍ତ୍ତନ ଆସିଛି। ତେଣୁ ଯୋଗାଯୋଗର ଭାଷାରେ ପରିବର୍ତ୍ତନ ହୋଇପାରିଛି। ଯୋଗାଯୋଗ ଭାଷା ସଦା ସରଳ ନିୟମଯୁକ୍ତ ଓ ଠିକ୍‌ ହେବା ଆବଶ୍ୟକ।
ଆମ ପରିବାରରେ ପିଲାଙ୍କୁ ପରୀକ୍ଷାରେ ଅଧିକ ମାର୍କ ରଖିବା ପାଇଁ ଗୁରୁତ୍ୱ ଦେଉଛେ, ମାତ୍ର ଯୋଗାଯୋଗର ଭାଷା ଓ ଯୋଗାଯୋଗରେ ଦକ୍ଷତା ବୃଦ୍ଧି ପାଇଁ ବିଶେଷ ଧ୍ୟାନ ଦେଉନାହୁଁ। ଆମ ରାଜ୍ୟର ବହୁ ପିଲା ପାଠ ଜାଣନ୍ତି, ମାତ୍ର ସାକ୍ଷାତ୍‌କାରରେ କୃତିତ୍ୱ ଅର୍ଜନ କରିପାରନ୍ତି ନାହିଁ। ଜାତୀୟସ୍ତରରେ ଅନେକ ଓଡ଼ିଆ ପିଲାଙ୍କ ଆତ୍ମବିଶ୍ୱାସ ଆସେନାହିଁ। ତେଣୁ ପ୍ରଥମ ଶ୍ରେଣୀରୁ ପିଲାଙ୍କୁ ଏ ସମ୍ପର୍କରେ ଶିକ୍ଷାଦେବା ଦରକାର। ପାଠ ସହ ଯେପରି ପିଲାମାନେ ଯୋଗାଯୋଗରେ ଦକ୍ଷ ହେବେ ସେଥିପ୍ରତି ଉଭୟ ଶିକ୍ଷକ ଓ ଅଭିଭାବକ ଧ୍ୟାନଦେବା ଆବଶ୍ୟକ। ସରଳ ଭାଷା ହିଁ ସେତୁ – ଜଟିଳ ଭାଷା ଦ୍ୱନ୍ଦ୍ୱ ସୃଷ୍ଟିକରେ, ସରଳ ଭାଷା ସମାଧାନ ଦିଏ।

ଡ.ବିରଞ୍ଚି ନାରାୟଣ ସେଠ

ମୋ: ୯୩୩୭୦୫୪୮୬୨

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।