ରାଗିକି ନିଆଁବାଣ ହୋଇଗଲେ ଶିଖର ଧାଓ୍ବନ: ଆକ୍ସନ ନେବାକୁ ଦେଲେ ଚେତାବନୀ

Oct 14, 2026 - 08:10
ରାଗିକି ନିଆଁବାଣ ହୋଇଗଲେ ଶିଖର ଧାଓ୍ବନ: ଆକ୍ସନ ନେବାକୁ ଦେଲେ ଚେତାବନୀ

ନୂଆଦିଲ୍ଲୀ,୧୪।୧୦: ଭାରତୀୟ କ୍ରିକେଟର ଶିଖର ଧାୱନଙ୍କ ନାଁକୁ ନେଇ ନୂଆ ବିବାଦ। ହଂକଂରେ ଆୟୋଜିତ ହେବାକୁ ଥିବା ୱାଲର୍‌ଡ ଟି-୨୦ କଣ୍ଟିନେଣ୍ଟ କପ୍‌ରେ ନିଜ ଅନୁମତି ବିନା ନାଁ ବ୍ୟବହାର କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ପୂର୍ବତନ ଭାରତୀୟ ଓପନର ଶିଖର ଧାୱନ। ଏହି ମାମଲାରେ ଲିଗ୍‌ର ଆୟୋଜକଙ୍କ ବିରୋଧରେ ତାଙ୍କ ଟିମ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସୋସିଆଲ ମିଡିଆରେ ନିଜ ପ୍ରତିକ୍ରିୟା ରଖି ଧାୱନ କହିଛନ୍ତି ଯେ, ୱାଲର୍‌ଡ ଟି-୨୦ କଣ୍ଟିନେଣ୍ଟ କପ୍‌ରେ ଜଣେ ପ୍ରତିଯୋଗୀ ଭାବେ ତାଙ୍କ ନାଁ ଦର୍ଶାଯାଇଥିବା ସେ ଦେଖିଛନ୍ତି। କିନ୍ତୁ ତାଙ୍କ ଅନୁମତି କିମ୍ବା ଜ୍ଞାତସାରରେ ଏପରି କରାଯାଇନାହିଁ। ତେଣୁ ତାଙ୍କ ଟିମ ଏହା ବିରୋଧରେ ଆଇନର ଆଶ୍ରୟ ନେବ। ଏଥିସହ ସେ ଗଣମାଧ୍ୟମ ଓ ପ୍ରଶଂସକମାନଙ୍କୁ ଅନୁରୋଧ କରିଛନ୍ତି ଯେ, କୌଣସି ଅନଧିକୃତ ଖବରକୁ ବିଶ୍ୱାସ କରନ୍ତୁ ନାହିଁ। ତାଙ୍କ ସମର୍ଥନରେ ରହିଥିବା ପ୍ରଶଂସକଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି।

ହଂକଂରେ ଆୟୋଜିତ ହେବାକୁ ଥିବା ଏହି ଟି-୨୦ ଲିଗ୍‌ରେ ଏସିଆ ୱାରିୟର୍ସ, ଆଫ୍ରିକା ଲାୟନ୍ସ, ୟୁରୋପ ଚାମ୍ପିଅନ୍ସ ଏବଂ ନର୍ଥ ଆମେରିକା ଇଗଲ୍ସ ଭଳି ଦଳ ଭାଗ ନେବାର ସୂଚନା ରହିଛି। ଏହି ପ୍ରତିଯୋଗିତାରେ ଅବସର ନେଇସାରିଥିବା ଅନେକ କ୍ରିକେଟରଙ୍କୁ ଖେଳୁଥିବା ଦେଖିବାକୁ ମିଳିପାରେ।

ପୂର୍ବରୁ ଖବର ପ୍ରକାଶ ପାଇଥିଲା ଯେ, ଶିଖର ଧାୱନ ଏସିଆ ୱାରିୟର୍ସ ପକ୍ଷରୁ ଖେଳିପାରନ୍ତି। ଏହି ଦଳରେ ପାକିସ୍ତାନର ଇଫତିଖାର ଅହମ୍ମଦ ଓ ସୋହେଲ ତନଭୀରଙ୍କ ଭଳି ଖେଳାଳି ମଧ୍ୟ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଧାୱନଙ୍କ ସ୍ପଷ୍ଟୀକରଣ ପରେ ତାଙ୍କର ଏହି ଲିଗ୍‌ରେ ଖେଳିବା ନେଇ ପ୍ରଚାରିତ ଖବର ଉପରେ ପ୍ରଶ୍ନ ଉଠିଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ପ୍ରଥମ ଥର ପାଇଁ ୱାଲର୍‌ଡ ଟି-୨୦ କଣ୍ଟିନେଣ୍ଟ କପ ଆୟୋଜନ କରାଯିବାକୁ ଯୋଜନା ରହିଛି। ହଂକଂ ଏହାର ଆୟୋଜକ ହେବ। ଏହି ଲିଗ୍‌ରେ ୬୦ରୁ ଅଧିକ ଅବସରପ୍ରାପ୍ତ କ୍ରିକେଟର ଅଂଶଗ୍ରହଣ କରିପାରନ୍ତି ବୋଲି କୁହାଯାଉଛି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।