ରାଜ୍ୟରେ ନାହିଁ ମୁରାସୁ ର ପ୍ରଭାବ ,ପରବର୍ତ୍ତୀ ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର : ସରିଲା ଭୀଷଣ ବାତ୍ୟା ‘ମୁରାସୁ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳ ଅତିକ୍ରମ କରିଛି ବାତ୍ୟା । ଭୋର ସାଢ଼େ ୩ଟାରୁ ସକାଳ ସାଢ଼େ ୫ଟା ମଧ୍ୟରେ ନେଲୋର ଓ ନରସାପୁର ମଧ୍ୟବର୍ତ୍ତୀ ଓଙ୍ଗୋଲ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି ‘ମୁରାସୁ’ । ଆଜି ବାତ୍ୟା ‘ମୁରାସୁ’ର ପ୍ରଭାବ ଏବଂ ପରବର୍ତ୍ତୀ ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ସମସ୍ତ ଜିଲ୍ଲାପାଳ, ଏସଆରସି ଏବଂ ଅଗ୍ନିଶମ ଡିଜିଙ୍କ ସହ ବୈଠକ କରି ବାତ୍ୟାର ପ୍ରଭାବ ଓ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି ।
ବୈଠକ ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି, ଏଯାଏଁ ବାତ୍ୟାର ସେଭଳି କୌଣସି ବିଶେଷ ପ୍ରଭାବ ଦେଖିବାକୁ ମିଳିନାହିଁ। କିଛି ସ୍ଥାନରେ ଝିପିଝିପି ବର୍ଷା ହେଉଥିବା ବେଳେ ସ୍ଥିତି ସ୍ୱାଭାବିକ ରହିଛି । ତେବେ ଆଗୁଆ ପ୍ରସ୍ତୁତି ଅନୁଯାୟୀ ବିପଦ ଆଶଙ୍କା ଥିବା ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବିଭିନ୍ନ କଣ୍ଟ୍ରୋଲ ରୁମ୍ ଜରିଆରେ ସ୍ଥିତି ଉପରେ ନଜର ରଖାଯାଇଛି । ଗଞ୍ଜାମ ଏବଂ ଗଜପତିରେ ପୁନଃରୁଦ୍ଧାର କାମ ଚାଲିଛି । ଯେଉଁ ପ୍ୟାକେଜ୍ ଘୋଷଣା ହୋଇଥିଲା ବଣ୍ଟନ ଆରମ୍ଭ ହୋଇଛି । ଭୂସ୍ଖଳନ ସ୍ଥାନରେ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବନ୍ଦ ହୋଇଥିଲା, ପୁଣି ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । କେନ୍ଦ୍ରୀୟ ଟିମ୍ ଆଜି ଗଜପତି କାଲି ଗଞ୍ଜାମ ବୁଲିବା ପରେ ବୈଠକ ରହିଛି ।
ଅନ୍ୟପଟେ ଭୂସ୍ଖଳନ ହୋଇଥିବା ସ୍ଥାନଗୁଡ଼ିକରେ ବର୍ଷା ଯୋଗୁଁ ପୁନରୁଦ୍ଧାର କାମ ବନ୍ଦ ରହିଥିଲା । ତେବେ ଆଜି ସକାଳୁ ପୁଣି କାର୍ଯ୍ୟ ଆରମ୍ଭ ହୋଇଛି । ଏହାସହ ବାତ୍ୟା କ୍ଷୟକ୍ଷତିର ଆକଳନ ପାଇଁ ଆସିଥିବା କେନ୍ଦ୍ରୀୟ ଟିମ୍ ଆଜି ଗଜପତି ଜିଲ୍ଲା ଗସ୍ତ କରିବେ । ଆସନ୍ତାକାଲି ଗଞ୍ଜାମ ଜିଲ୍ଲାରେ ସ୍ଥିତି ଅନୁଧ୍ୟାନ କରିବା ପରେ କେନ୍ଦ୍ରୀୟ ଟିମ୍ ସହ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ଅନୁ ଗର୍ଗ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।