ବିରଳ ମାଛ ଠାବ
ପ୍ରଶାନ୍ତ ମହାସାଗରର ମଣ୍ଟେରେ କାନିୟନ୍ ଠାରୁ ପ୍ରାୟ ୫୫ ମାଇଲ୍ ଦୂରରେ ଏବଂ ୧,୯୭୦ ଫୁଟ୍ ଗଭୀରତାରେ ‘ମଣ୍ଟେରେ ବେ ଆକ୍ୱାରିୟମ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍’ ର ଗବେଷକଙ୍କୁ ଏକ ଅଦ୍ଭୁତ ଧରଣର ମାଛ ମିଳିଛି । ଗବେଷକମାନେ ‘ଡେଭିଡ୍ ପ୍ୟାକାର୍ଡ’ ଜାହାଜ ଏବଂ ‘ଡକ୍ ରିକେଟ୍ସ’ ନାମକ ଏକ ରିମୋଟ୍ ଦ୍ୱାରା ପରିଚାଳିତ ଯାନ ଜରିଆରେ ଟ୍ରାନ୍ସପରେଣ୍ଟ ମୁଣ୍ଡ ଓ ନିଆରା ସବୁଜ ଆଖି ବିଶିଷ୍ଟ ଅତି ବିରଳ ‘ବାର୍ଲିଆଇ ଫିସ୍’ର ୨୦ ମିନିଟର ଏକ ହାଇ-ଡେଫିନିସନ୍ ଭିଡିଓ କ୍ୟାପଚର୍ କରିଛନ୍ତି । ଏହି ୬ ଇଞ୍ଚ ଲମ୍ବା ମାଛଟି ମହାସାଗରର ୨,୦୦୦ ରୁ ୨,୬୦୦ ଫୁଟ୍ ଗଭୀରତାରେ ରହୁଥିବାରୁ ଏହାକୁ ବହୁତ କମ୍ ଦେଖିବାକୁ ମିଳେ। ୪୦ ବର୍ଷର ସମୁଦ୍ର ଅନୁସନ୍ଧାନ ମଧ୍ୟରେ ଏମ୍ବିଏଆର୍ଆଇ ଟିମ୍ ଏହାକୁ ମାତ୍ର ଦଶ ଥର ଦେଖିଛନ୍ତି । ମାଛଟିର ଟ୍ରାନ୍ସପରେଣ୍ଟ ମୁଣ୍ଡ ଆବରଣ ଯୋଗୁଁ ବାହାରୁ ଏହାର ସବୁଜ ଆଖି ସ୍ପଷ୍ଟ ଦୃଶ୍ୟମାନ ହୋଇଥାଏ । ଯାହାକୁ ଜୀବନ୍ତ ଅବସ୍ଥାରେ ଦେଖିବା ଏକ ବିଶେଷ ସୌଭାଗ୍ୟ ବୋଲି ବରିଷ୍ଠ ବିଜ୍ଞାନୀ ଷ୍ଟିଭେନ୍ ହାଡକ୍ ବର୍ଣ୍ଣନା କରିଛନ୍ତି । କାରଣ ପୂର୍ବରୁ ମିଳିଥିବା ଟ୍ରାନ୍ସପରେଣ୍ଟ ମୁଣ୍ଡ ଆବରଣ ନଷ୍ଟ ହୋଇଯାଉଥିବାରୁ ପୂର୍ବରୁ ଏହାର ପ୍ରକୃତ ରୂପ ଚିହ୍ନିବା କଷ୍ଟକର ଥିଲା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।