ରୋବଟ କରୁଛନ୍ତି ଆନ୍ଦୋଳନ
ସାଧାରଣତଃ ରୋବୋଟ୍ ବ୍ୟବହାର ଦ୍ୱାରା ମଣିଷର ଚାକିରି ଯିବାର ଭୟ ରହୁଛି । ତେବେ ପୋଲାଣ୍ଡର ୱାର୍ସୋ ସହରରେ ମଣିଷର ଜୀବିକା ସୁରକ୍ଷା ପାଇଁ ରୋବୋଟ୍ଗୁଡ଼ିକ ରାଜରାସ୍ତାକୁ ଓହ୍ଲାଇଥିବା ଭଳି ଅଜବ ଘଟଣା ସାମନାକୁ ଆସିଛି । ରୋବଟଗୁଡିକ ଏକତ୍ରିତ ହୋଇ ଏକ ଅନନ୍ୟ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । 'ଡେମୋକେଟିଜମ୍' ନାମକ ଏକ ସଂସ୍ଥା ଦ୍ୱାରା ଆୟୋଜିତ ଏହି ପ୍ରଦର୍ଶନରେ ପ୍ରାୟ ୩୦ଟି ହ୍ୟୁମାନୋଏଡ୍ ରୋବୋଟ୍ ଏବଂ ରୋବୋଟ୍ ଡଗ୍ ଡିଜିଟାଲ୍ ଆଫେୟାର୍ସ ମନ୍ତ୍ରାଳୟ ବାହାରେ ହାତରେ ପତାକା ଓ ପୋଷ୍ଟର ଧରି ‘ଏଆଇକୁ ନିୟନ୍ତ୍ରଣ କର’ ଏବଂ ‘କର୍ମକ୍ଷେତ୍ର ବଞ୍ଚାଓ’ ଭଳି ନାରାବାଜି କରିଥିଲେ । କୃତ୍ରିମ ବୁଦ୍ଧିମତ୍ତା ଓ ଅଟୋମେସନ୍ର ଅସୀମ ବ୍ୟବହାର ଦ୍ୱାରା ଭବିଷ୍ୟତରେ ମଣିଷର ଚାକିରି ଉପରେ ପଡ଼ିବାକୁ ଥିବା ପ୍ରତିକୂଳ ପ୍ରଭାବ ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ଏବଂ ଏଥିପାଇଁ କଠୋର ନିୟମ ପ୍ରଣୟନ କରିବା ଏହି ପ୍ରତିବାଦର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ସୂଚନାଯୋଗ୍ୟ ଯେ, ପୋଲାଣ୍ଡ ସରକାର ଗତ ଜୁଲାଇ ମାସରେ ଏଆଇ ସିଷ୍ଟମର ସୁରକ୍ଷା ଓ ନଜର ରଖିବା ପାଇଁ ଏକ ନୂଆ ଆଇନ ମଧ୍ୟ ଆଣିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।