ଓରାଙ୍ଗଉଟାନ ଙ୍କୁ ନେଇ ଜୋର ଧରିଲା ଏସଟିଏଫ ତଦନ୍ତ

Sep 10, 2026 - 12:05
ଓରାଙ୍ଗଉଟାନ ଙ୍କୁ ନେଇ ଜୋର ଧରିଲା ଏସଟିଏଫ ତଦନ୍ତ

ବାଲେଶ୍ୱର : ଭୋଗରାଇ ବିଚିତ୍ରପୁର ଜଙ୍ଗଲରୁ ଓରାଙ୍ଗଉଟାନ ମିଳିବା ପରେ ଜୋରଦାର ହୋଇଛି ଏସଟିଏଫ ତଦନ୍ତ । ସ୍କାନରରେ ରହିଛି ପଶ୍ଚିମବଙ୍ଗ ଦୀଘା ଅଞ୍ଚଳ । କଳା ଥର୍ କୁ ନେଇ ବଢୁଛି ସସ୍ପେନ୍ସ । ଭୋଗରାଇ ବ୍ଳକର ଚନ୍ଦନେଶ୍ଵର-ଭୁଷଣ୍ଡେଶ୍ଵର ରୂଟରେ କଳାରଙ୍ଗର ଥର୍ କାର ଚକ୍ଟର ମାରିବାକୁ ନେଇ ସନ୍ଦେହ ବଢ଼ିଛି। ଓରାଙ୍ଗ ଉଟାନ୍ ଉଦ୍ଧାର ସ୍ଥଳଠୁ ମାତ୍ର ଏକ କିମି ଦୂରରେ ଥିବା ଦୋକାନର ସିସିଟିଭି ଟିଭି କ୍ୟାମେରା ଫୁଟେଜ୍ ରେ ଏହି ସନ୍ଦିଗ୍ଧ ଥର୍ ଗାଡ଼ିର ଗତିବିଧ କଏଦ୍ ହୋଇଛି । ଘଟଣାକୁ ଗୁରୁତ୍ୱର ସହ ନେଇ ମାମଲା ରୁଜୁ କରିଛି ବାଲେଶ୍ୱର ବନ ବିଭାଗ । ଭୋଗରାଇ ଜେଏମସି କୋର୍ଟରେ ମାମଲା ରୁଜୁ କରାଯାଇଛି । 

କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସର ୫ଜଣିଆ ଦଳ ଓଡ଼ିଶା-ପଶ୍ଚିମବଙ୍ଗ ଦୀଘାରେ ପହଞ୍ଚିଛି । ପୂର୍ବ ମେଦିନୀପୁର ଜିଲ୍ଲା ଏସପି ଙ୍କ ସହିତ ଯୋଗାଯୋଗ ରେ ଅଛନ୍ତି ଏସଟିଏଫ । ଓରାଙ୍ଗଉଟାନଙ୍କୁ ସ୍ଥଳପଥ ଦେଇ ଅଣାଯାଇଥିବା ସନ୍ଦେହ କରାଯାଉଛି । ପଶ୍ଚିମ ଦୀଘା ରୁ ଭୋଗରାଇ ପର୍ଯ୍ୟନ୍ତ ୪୦ରୁ ଅଧିକ ସିସିଟିଭି ଫୁଟେଜ ଆଧାରରେ ତଦନ୍ତକୁ ଜୋରଦାର କରିଛି ଏସଟିଏଫ । ଏଥିରେ ବନ ବିଭାଗ କର୍ମଚାରୀଙ୍କ ସମ୍ପୃକ୍ତି ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଉଛି । ଦୀଘାରେ ଡ଼ିଲ ହେବା ନେଇ ଆଶଙ୍କା କରାଯାଉଛି । ସ୍ଥାନୀୟ ଅଞ୍ଚଳରେ ପଚରାଉଚରା କରି ବୟାନ ରେକର୍ଡ କରାଯାଇଛି । 

ଭାରତରେ ଦେଖାଯାଉ ନଥିବା ଏହି ବିରଳ ଓରାଙ୍ଗଉଟାନ ବନ୍ୟଜନ୍ତୁ ଚୋରାଚାଲାଣ ମାମଲା ହୋଇଥିବା ସନ୍ଦେହ କରାଯାଉଛି । ଏହା ପଛରେ ଏକ ଆନ୍ତଃରାଜ୍ୟ ସ୍ମଗଲିଂ ରାକେଟ୍ କାମ କରୁଥାଇପାରେ ବୋଲି ତଦନ୍ତକାରୀ ଅଧିକାରୀ ସନ୍ଦେହ କରୁଛନ୍ତି । ଓରାଙ୍ଗଉଟାନଗୁଡ଼ିକ କେଉଁଠୁ ଆସିଲେ, କିଏ ସେମାନଙ୍କୁ ବାଲେଶ୍ୱର ପର୍ଯ୍ୟନ୍ତ ଆଣିଲା ଏବଂ କେଉଁଠାକୁ ନେବାର ଯୋଜନା ଥିଲା, ଏସବୁ ଦିଗକୁ ନେଇ ତଦନ୍ତ ଆଗକୁ ବଢ଼ୁଛି । ବିଶେଷକରି ଏହି ଚୋରାଚାଲାଣରେ କେଉଁମାନେ ସାମିଲ ଅଛନ୍ତି ଏବଂ ଏହାର ନେଟୱର୍କ କେତେ ଦୂର ପର୍ଯ୍ୟନ୍ତ ବ୍ୟାପିଛି, ତାହା ଜାଣିବାକୁ ଏସଟିଏଫ ଉଦ୍ୟମ ଚଳାଇଛି । ତଦନ୍ତରେ ଆନ୍ତଃରାଜ୍ୟ ଲିଙ୍କ୍ ଉପରେ ବିଶେଷ ଫୋକସ୍ ରହିଛି ।

ଅନ୍ୟପଟେ ନନ୍ଦନକାନରରେ ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନ । ସମସ୍ତଙ୍କ ବୟସ ଏକ ବର୍ଷରୁ କମ୍ ହୋଇଥିବା ଜଣାପଡିଛି । ବର୍ତ୍ତମାନ ସେମାନଙ୍କୁ ସିସିଟିଭି ନଜରରେ ଏକ ସ୍ୱତନ୍ତ୍ର କ୍ୱାରେଣ୍ଟାଇନରେ ରଖି ଚିକିତ୍ସା କରାଯାଉଛି । ସ୍ୱତନ୍ତ୍ର ଡାକ୍ତରୀ ଦଳ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ଜଣକୁ ସାମାନ୍ୟ ଜ୍ୱର ଥିବା ବେଳେ ବାକି ସମସ୍ତେ ସୁସ୍ଥ ଅଛନ୍ତି । ସେମାନଙ୍କୁ କଦଳୀ ଓ ସେଓ ଖାଇବାକୁ ଦିଆଯାଉଛି । ମା’ଠାରୁ ଦୂରେଇ ରହିଥିବାରୁ ଏହି ଛୁଆମାନେ ଭୟଭୀତ ଥିଲେ । ସେମାନଙ୍କ ମାନସିକ ଚାପ କମାଇବା ପାଇଁ ଏବଂ ମା’ର ଅନୁଭୂତି ଦେବା ପାଇଁ ସେମାନଙ୍କୁ କୁତ୍ରିମ ଓ ଓରାଙ୍ଗଉଟାନ ଭଳି ଦେଖାଯାଉଥିବା ସଫ୍ଟ ଟୟ ଦିଆଯାଇଛି । ଯାହାକୁ କୋଳେଇ ନେଇ ସେମାନେ ଶାନ୍ତ ରହୁଛନ୍ତି । ୨୧ ଦିନର କ୍ୱାରେଣ୍ଟାଇନ୍ ଅବଧି ଶେଷ ହେବା ପରେ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଏବଂ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ଏମାନଙ୍କୁ ନନ୍ଦନକାନନରେ ରଖାଯିବ କି ନାହିଁ ନିଷ୍ପତ୍ତି ନିଆଯିବ ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।