ରୋହିତଙ୍କୁ ମିଳିବନି MIର ଅଧିନାୟକ ଦାୟିତ୍ୱ! IPL ପୂର୍ବରୁ ଆସିଲା ବଡ଼ ଅପଡେଟ୍‌, ଜାଣନ୍ତୁ କାହାକୁ ମିଳିବ…

Oct 14, 2026 - 11:43
ରୋହିତଙ୍କୁ ମିଳିବନି MIର ଅଧିନାୟକ ଦାୟିତ୍ୱ! IPL ପୂର୍ବରୁ ଆସିଲା ବଡ଼ ଅପଡେଟ୍‌, ଜାଣନ୍ତୁ କାହାକୁ ମିଳିବ…

ନୂଆଦିଲ୍ଲୀ,୧୪।୧୦: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି। ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ିବା ନେଇ ଆଲୋଚନା ଚାଲିଥିବାରୁ ଦଳ ନୂଆ ଅଧିନାୟକ ଖୋଜିବ ବୋଲି ଅନୁମାନ କରାଯାଉଛି। ନିକଟରେ ରିପୋର୍ଟ ଆସିଥିଲା ଯେ IPL ୨୦୨୭ ପାଇଁ ରୋହିତ ଶର୍ମାଙ୍କୁ ପୁଣି ଥରେ ଅଧିନାୟକ ଦାୟିତ୍ୱ ଦେଇପାରେ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାନେଜମେଣ୍ଟ। ତେବେ ଏହି ଖବର ଉପରେ ଦଳ ପକ୍ଷରୁ ସ୍ପଷ୍ଟୀକରଣ ଆସିଛି। ଅଧିନାୟକ ପଦକୁ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନଥିବା କୁହାଯାଇଛି। ଏହା ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟ୍ରେଡକୁ ନେଇ ମଧ୍ୟ ନୂଆ ଅପଡେଟ ସାମ୍ନାକୁ ଆସିଛି।

ମୁମ୍ବାଇ ଇଣ୍ଡିଆନ୍ସର ସୂତ୍ର କହିଥିବା ଅନୁଯାୟୀ, ରୋହିତ ଶର୍ମାଙ୍କୁ ପୁଣି ଅଧିନାୟକ କରାଯିବା ନେଇ ଆସିଥିବା ରିପୋର୍ଟଗୁଡ଼ିକ ଭୁଲ। IPLର ଆଗାମୀ ସିଜନ ପାଇଁ ଅଧିନାୟକ ପଦକୁ ନେଇ ଏପର୍ଯ୍ୟନ୍ତ କୌଣସି ଆଲୋଚନା ହୋଇନାହିଁ ବୋଲି ସୂତ୍ର ସ୍ପଷ୍ଟ କରିଛି।

ଯଦି ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ନ୍ତି, ତେବେ ରୋହିତ ଶର୍ମାଙ୍କ ବ୍ୟତୀତ ଦଳ ପାଖରେ ଅଧିନାୟକ ପଦ ପାଇଁ ଅନ୍ୟାନ୍ୟ ଭଲ ବିକଳ୍ପ ମଧ୍ୟ ରହିଛି। ରିପୋର୍ଟ ଅନୁସାରେ, ସୂର୍ଯ୍ୟକୁମାର ଯାଦବ ଏବଂ ତିଳକ ବର୍ମା ମୁମ୍ବାଇ ଇଣ୍ଡିଆନ୍ସର ପରବର୍ତ୍ତୀ ଅଧିନାୟକ ହେବା ଦୌଡ଼ରେ ଆଗରେ ରହିଛନ୍ତି। ଏହା ବ୍ୟତୀତ ନ୍ୟୁଜିଲାଣ୍ଡର ଅଧିନାୟକ ମିଚେଲ ସାଣ୍ଟନର ମଧ୍ୟ ଏହି ଦୌଡ଼ରେ ଜଣେ ଦାବିଦାର ବୋଲି କୁହାଯାଉଛି।

IPL ୨୦୨୪ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ନିଯୁକ୍ତ କରାଯାଇଥିଲା। କିନ୍ତୁ ତାଙ୍କ ନେତୃତ୍ୱରେ ଦଳକୁ ଆଶାନୁରୂପ ସଫଳତା ମିଳିନଥିଲା। ଏହା ପରେ ହାର୍ଦ୍ଦିକ ଏବଂ ଦଳ ମଧ୍ୟରେ ସମ୍ପର୍କ ଖରାପ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ସେ ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ିବାକୁ ମନସ୍ଥ କରିଥିବା ନେଇ ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି।

ମୁମ୍ବାଇ ଇଣ୍ଡିଆନ୍ସର ସୂତ୍ର ଅନୁସାରେ, ଦଳ ହାର୍ଦ୍ଦିକଙ୍କ ଟ୍ରେଡ ସମ୍ଭାବନା ଉପରେ ନଜର ରଖିଛି। ଅନ୍ୟ ଦଳଗୁଡ଼ିକ ମଧ୍ୟ ତାଙ୍କୁ ନିଜ ଟିମରେ ସାମିଲ କରିବା ପାଇଁ ଭଲ ଡିଲରେ ଅପେକ୍ଷାରେ ଥିବା କୁହାଯାଉଛି। ତେବେ ଏପର୍ଯ୍ୟନ୍ତ ହାର୍ଦ୍ଦିକଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ କୌଣସି ଉପଯୁକ୍ତ ଡିଲ ମିଳିନାହିଁ ବୋଲି ରିପୋର୍ଟରେ ଦାବି କରାଯାଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।