ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ‘ଅର୍ଣ୍ଣବ’, ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା!
ନନ୍ଦିଘୋଷ ବ୍ୟୁରୋ: ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’ । ଉତ୍ତର ଛତିଶଗଡ଼ ଓ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ଅବସ୍ଥିତ ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଲଘୁଚାପ କ୍ଷେତ୍ରଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାକୁ ଲାଗି ରହିଥିବା ଆଣ୍ଡାମାନ ଓ ନିକୋବର ଦ୍ୱିପପୁଞ୍ଜ ଉପରେ ଅବସ୍ଥିତ ରହିଛି ।
ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହ ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ତଥା ଆଣ୍ଡାମାନ ଓ ନିକୋବର ଦ୍ୱିପପୁଞ୍ଜ ଏବଂ ଆଣ୍ଡାମାନ ସାଗରର ସଂଲଗ୍ନ ଅଞ୍ଚଳରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହାପରେ ଆହୁରି ଅଧିକ ଘନୀଭୂତ ହୋଇ ପରବର୍ତ୍ତୀ ଦୁଇ ଦିନ ମଧ୍ୟରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ଓଡିଶା ଉପରୁ ବାତ୍ୟା ବିପଦ ଟଳିଥିଲେ ସୁଦ୍ଧା ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏହାର ପ୍ରଭାବରେ ନଭେମ୍ବର ୧ ତାରିଖ ବେଳକୁ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ନୟାଗଡ଼ ଓ ଗଞ୍ଜାମ ସମେତ ଉପକୂଳବରର୍ତ୍ତୀ ଜିଲ୍ଲା ଗୁଡ଼ିକରେ ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ବୋହିବା ନେଇ ସମ୍ଭାବନା ରହିଛି । ସେହିପରି ୨ ଓ ୩ ତାରିଖ ବେଳକୁ ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ର କେତେକ ସ୍ଥାନରେ ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ବୋହିବା ନେଇ ସମ୍ଭାବନା ଥିବାରୁ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।