ଲାଞ୍ଜିଗଡ଼ରେ ହାତୀ ଆତଙ୍କ: ଦଳିଚକଟି ନଷ୍ଟ କଲେ ଏକର ଏକର ଚାଷଜମି
ଲାଞ୍ଜିଗଡ଼,୨ା୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଲାଞ୍ଜିଗଡ଼ ବ୍ଲକ କାନକୁଟ୍ରୁ ପଞ୍ଚାୟତ ଅନ୍ତର୍ଗତ ଉପର କଲାସୁର ଗ୍ରାମରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ଯୋଗୁ ଚାଷୀମାନେ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଛନ୍ତି।
ଦୀର୍ଘଦିନ ହେବ ବିଶ୍ୱନାଥପୁର ରେଞ୍ଜରେ ଥିବା ଲାଞ୍ଜିଗଡ଼, ବେନଗାଁ, ତ୍ରିଲୋଚନପୁର, ଲାଖବାହାଲି ବିଜେପୁର, କଦମଗୁଡ଼ା, ବେ କୁମଖାଲ ଓ ଭୁର୍ତିଗଡ଼ ପଞ୍ଚାୟତରେ ନିୟମିତ ଭାବେ ଜଙ୍ଗଲୀ ହାତୀଙ୍କ ଉପଦ୍ର ଦିନକୁ ଦିନ ବଢ଼ିବାରେ ଲାଗିଛି। ଫଳରେ ଅନେକ ଲୋକଙ୍କ ଜନ ଜୀବନ ସମେତ ଲୋକଙ୍କ ଘର, ଭାଙ୍ଗି ଆସବାବପତ୍ର ନଷ୍ଟ କରୁଥିବା ଚିତ୍ର ସାମ୍ନାକୁ ଆସୁଛି। ହାତୀ ମଣିଷ ଲଢ଼େଇ ଭିତରେ ଦୁର୍ଗମ ଅଞ୍ଚଳରେ ଲୋକେ ତ୍ରାହିତ୍ରାହି ଡାକୁଛନ୍ତି।
ଉପର କଲାସୁର ଗାଁରେ ପଶି ଜଙ୍ଗଲୀ ହାତୀପଲ ଉପଦ୍ରବରେ ଶ୍ରବଣୁ ମାଝୀ, କନ୍ଦ୍ରା ମାଝୀ, ଦାନା ମାଝୀ, ଲକଣା ମାଝୀ, ଗୋରା ମାଝୀ ଓ ସୁଲପୁୟୁ ମାଝୀଙ୍କ ସମେତ ବହୁ ଚାଷ ଜମିରେ ପଶି ଫସଲ ଦଳିଚକଟି ନଷ୍ଟ କରିଦେଇଛନ୍ତି। ଚାଷଜମିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଚାଷୀମାନଙ୍କ ବର୍ଷକର ପରିଶ୍ରମ ମାଟିରେ ମିଶିଯାଇଛି।
ଅଞ୍ଚଳର ଚାଷୀମାନେ ଦିନରାତି ପରିଶ୍ରମ କରି ଫସଲ ଉତ୍ପାଦନ କରୁଥିବା ବେଳେ ହାତୀଙ୍କ ଉପଦ୍ରବରେ ଫସଲ ନଷ୍ଟ ହେବା ସେମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତେଣୁ ତୁରନ୍ତ ବନ ବିଭାଗ ଗ୍ରାମରେ ପହଞ୍ଚି କ୍ଷୟକ୍ଷତିର ସଠିକ ଆକଳନ କରିବା ସହ ପ୍ରଭାବିତ ଚାଷୀଙ୍କୁ ସରକାରୀ ନିୟମ ଅନୁଯାୟୀ ଉଚିତ କ୍ଷତିପୂରଣ ପ୍ରଦାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏଥିସହ ହାତୀଙ୍କ ଉପଦ୍ରବ ରୋକିବା ପାଇଁ ବନ ବିଭାଗ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି।
ସୂଚନା ଥାଉକି, ଗତ ଅଗଷ୍ଟ ମାସ ୨୫ ତାରିଖ ମଙ୍ଗଳବାର ବିଳମ୍ବିତ ରାତିରେ ମୂଷାନାଳ ଓ ବିଜେପୁର ବନବିଭାଗ ଅଧୀନରେ ଥିବା ବେନଗାଁ ପଞ୍ଚାୟତ ଅନ୍ତର୍ଗତ ପଦ୍ମଥୋପା ଗାଁରେ ଏବଂ ଘୋଡାପୋଖରୀ ଗାଁରେ ରାଜୁ କାଣ୍ଡ ଓ କପୁର ହରିଜନଙ୍କ ଘର ଭାଙ୍ଗିବା ସହିତ ଘରେ ଥିବା ଧାନ, ଚାଉଳ, ଶସ୍ୟ ଖାଇବା ସମେତ ଘରେ ଥିବା ଅIସବାବ ପତ୍ର ନଷ୍ଟ କରି ଦେଇଥିଲେ ଏବଂ ଘୋଡାପୋଖରୀ ଗ୍ରାମର ବିଦ୍ୟାଳୟର ପାଚେରି ଓ ଫାଟକ ଭାଙ୍ଗିବା ସହିତ ଗୋପୀ ବେନାଳଙ୍କ କୁକୁଡ଼ା ଫାର୍ମ ମଧ୍ୟ ଭାଙ୍ଗିଦେଇଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।