‘ଲୌହମାନବ’ଙ୍କ ଜୟନ୍ତୀ ଅବସରରେ କଳିଙ୍ଗ ଷ୍ଟାଡିୟମରୁ ବାହାରିଲା ପଦଯାତ୍ରା

Oct 31, 2026 - 12:04
‘ଲୌହମାନବ’ଙ୍କ ଜୟନ୍ତୀ ଅବସରରେ କଳିଙ୍ଗ ଷ୍ଟାଡିୟମରୁ ବାହାରିଲା ପଦଯାତ୍ରା

ନନ୍ଦିଘୋଷ ବ୍ୟୁରୋ: ଆଜି ହେଉଛି ଅଖଣ୍ତତାର ପ୍ରତୀକ, ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ । ଭାରତ ବର୍ଷକୁ ଏକତ୍ର କରିବାରେ ଏହି ମହାନ ସଂଗ୍ରାମୀଙ୍କ ଅତୁଳନୀୟ ଅବଦାନ ରହିଛି । ପ୍ରଥମ ଉପପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଭାବେ ଦେଶ ପାଇଁ ଏକାଧିକ ଉନ୍ନତିର କାର୍ଯ୍ୟ କରିଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନକୁ ସାରା ଦେଶରେ ‘ରାଷ୍ଟ୍ରୀୟ ଏକତା ଦିବସ’ ଭାବେ ପାଳନ କରାଯାଏ ।

ଆଜି ଲୌହମାନବ ସର୍ଦ୍ଦାର ପଟେଲଙ୍କ ୧୫୧ତମ ଜୟନ୍ତୀ । ଏନେଇ ସାରା ଦେଶ ପାଳୁଛି ଜାତୀୟ ଏକତା ଦିବସ । ଏହି ଅବସରରେ ଦେଶର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱ ରକ୍ଷା ପାଇଁ ସଂକଳ୍ପବଦ୍ଧ ହେବା ଉଦ୍ଦେଶ୍ୟରେ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପଦଯାତ୍ରା ଆୟୋଜନ କରାଯାଇଥିଲା । କଳିଙ୍ଗ ଷ୍ଟାଡିୟମରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପତାକା ଦେଖାଇ ପଦଯାତ୍ରାକୁ ଶୁଭାରମ୍ଭ କରିଥିଲେ। ଏଥିରେ ବହୁ ସଂଖ୍ୟାରେ ଯୁବକ, କ୍ରୀଡ଼ାବିତ୍, ସମାଜସେବୀ ଓ ବିଶିଷ୍ଟ ନାଗରିକ ସାମିଲ ହୋଇଛନ୍ତି । ସର୍ଦ୍ଦାର ପଟେଲ, ନେତାଜୀ ଓ ମହାତ୍ମା ଗାନ୍ଧୀଙ୍କ ତ୍ୟାଗ ଓ ଅବଦାନକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କ୍ରୀଡ଼ାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ କହିଛନ୍ତି ।

ପ୍ରକାଶ ଥାଉ କି, ସ୍ୱାଧୀନତା ପରେ ଭାରତର ୫୬୨ରୁ ଅଧିକ ଦେଶୀୟ ରାଜ୍ୟକୁ ବିନା ରକ୍ତପାତରେ ଭାରତୀୟ ସଂଘ ସହିତ ମିଶାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଥିପାଇଁ ତାଙ୍କୁ ଭାରତର ‘ଲୌହମାନବ’ କୁହାଯାଏ। ୧୯୨୮ ମସିହାରେ ସେ ବାର୍ଦ୍ଦୋଲୀ ସତ୍ୟାଗ୍ରହର ନେତୃତ୍ୱ ନେଇଥିଲେ, ଯେଉଁଠାରେ ସଫଳତା ପରେ ସେଠାକାର ମହିଳାମାନେ ତାଙ୍କୁ ‘ସର୍ଦ୍ଦାର’ ଉପାଧି ପ୍ରଦାନ କରିଥିଲେ । ତାଙ୍କର ସ୍ମୃତିରେ ଗୁଜରାଟରେ ୧୮୨ ମିଟର ଉଚ୍ଚତାର ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ନିର୍ମାଣ କରାଯାଇଛି, ଯାହାକି ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଅଟେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।