ଵୃଦ୍ଧାଶ୍ରମ ରେ କ୍ରିକେଟର ବିନୋଦ କାମ୍ବଲି !

Sep 26, 2026 - 15:50
ଵୃଦ୍ଧାଶ୍ରମ ରେ କ୍ରିକେଟର ବିନୋଦ କାମ୍ବଲି !

ମୁମ୍ବାଇ : ଷ୍ଟାର କ୍ରିକେଟର ରୁ ଵୃଦ୍ଧାଶ୍ରମ ! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥା ଟି ସତ । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଆନ୍ତର୍ଜାତୀୟ ଷ୍ଟାର ବ୍ୟାଟ୍ସମ୍ୟାନ ବିନୋଦ କାମ୍ବଲି ବୃଦ୍ଧାଶ୍ରମରେ ରହୁଥିବାର ଏକ ଭାବି ବିହ୍ଵଳ ଭିଡିଓ ସାମ୍ନାକୁ ଆସିବା ପରେ କ୍ରିକେଟ ପ୍ରେମୀଙ୍କ ମନରେ ଶକ୍ତ ଆଘାତ ଲାଗିଛି । ବର୍ତ୍ତମାନ ସେ ମହାରାଷ୍ଟ୍ରର ଠାଣେସ୍ଥିତ 'ନିଦାନ କେନ୍ଦ୍ର ଫର୍ ଏଲଡରଲି କେୟାର' ନାମକ ଏକ ବୃଦ୍ଧାଶ୍ରମ ତଥା କେୟାର୍ ସେଣ୍ଟରରେ ରହୁଥିବା ସୂଚନା ମିଳିଛି ।

ଭାଇରାଲ୍ ହେଉଥିବା ଭିଡିଓରେ ବିନୋଦ କାମ୍ବଲି ସେହି କେନ୍ଦ୍ରର ସ୍ୱଚ୍ଛତା, ସୁବିଧା ସୁଯୋଗ ଏବଂ ସେଠାକାର କର୍ମଚାରୀଙ୍କ ବ୍ୟବହାରକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ସେଠାରେ ତାଙ୍କୁ ବହୁତ ଭଲପାଇବା ମିଳୁଛି ଏବଂ ସେ ନିଜ ଘର ଭଳି ଅନୁଭବ କରୁଛନ୍ତି ।

ସୂଚନାନୁସାରେ, ୫୪ ବର୍ଷୀୟ କାମ୍ବଲି ଦୀର୍ଘ ଦିନ ହେବ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି । ପୂର୍ବରୁ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ଏବଂ ହୃଦଘାତ ହୋଇସାରିଛି । ନିକଟ ଅତୀତରେ ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବା ଯୋଗୁଁ ସେ ଠିକ୍ ଭାବେ ଚାଲିବା ଓ କଥା କହିବାରେ ଅସୁବିଧା ଭୋଗୁଥିବା ରିପୋର୍ଟ ପ୍ରକାଶ ପାଇଥିଲା । ଏହି ଅସୁସ୍ଥତା କାରଣରୁ ହିଁ ଶାରୀରିକ ଦେଖାଶୁଣା ପାଇଁ ସେ ଏହି କେୟାର୍ ସେଣ୍ଟରରେ ରହୁଛନ୍ତି ।

ଏହାସହ କାମ୍ବଲି ଆର୍ଥିକ ସଙ୍କଟ ଦେଇ ମଧ୍ୟ ଗତି କରୁଥିବା ଖବର ପ୍ରକାଶ ପାଇଥିଲା । ସେ କେବଳ BCCI ରୁ ମିଳୁଥିବା ମାସିକ ପେନସନ୍ ଉପରେ ନିର୍ଭରଶୀଳ ଅଛନ୍ତି। ଏହି ଦୁଃସହ ପରିସ୍ଥିତି ଭିତରେ ତାଙ୍କ ପିଲାଦିନର ସାଙ୍ଗ ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କର ଏବଂ କପିଲ ଦେବଙ୍କ ଭଳି ଅନେକ ପୂର୍ବତନ କ୍ରିକେଟର ତାଙ୍କ ସ୍ୱାସ୍ଥ୍ୟ ଓ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଛନ୍ତି  ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।