ଶାହୀ ମସଜିଦକୁ ନେଇ ଉତ୍ତେଜନା, ପୋଲିସ ଉପରକୁ ପଥରମାଡ଼
ଭୋପାଳ,୨୮ା୯: ସିଂହସ୍ଥ-୨୦୨୮ ପ୍ରସ୍ତୁତି ମଧ୍ୟରେ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଶାହୀ ମସଜିଦର କିଛି ଅଂଶ ହଟାଇବାକୁ ନେଇ ବିବାଦ ତୀବ୍ର ହୋଇଛି । ସୋମବାର ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଂଶ ହଟାଇବା ପାଇଁ ପଦକ୍ଷେପ ଆରମ୍ଭ ବେଳେ କିଛି ବ୍ୟକ୍ତି ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରେ ପୋଲିସ ଉପରେ ପଥରମାଡ଼ ହୋଇଥିବା ରିପୋର୍ଟ ମିଳିଛି । ଭିଡ଼କୁ ନିୟନ୍ତ୍ରଣ କରିବାକୁ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିବାବେଳେ ଅଞ୍ଚଳରେ ଯାତାୟାତ ଉପରେ ମଧ୍ୟ କଟକଣା ଲଗାଯାଇଛି।
ସିଂହସ୍ଥ-୨୦୨୮କୁ ଦୃଷ୍ଟିରେ ରଖି ଉଜ୍ଜୟିନୀରେ ସଡ଼କ ପ୍ରଶସ୍ତୀକରଣ କାମ ଚାଲିଛି । ଗୋପାଳ ମନ୍ଦିର ଅଞ୍ଚଳର ରାସ୍ତାକୁ ପ୍ରାୟ ୧୫ ମିଟର ଚଉଡ଼ା କରିବା ପାଇଁ ଅନେକ ନିର୍ମାଣ ହଟାଯାଉଛି । ଏହି ପ୍ରକଳ୍ପରେ ଶାହୀ ମସଜିଦର କିଛି ଅଂଶ ମଧ୍ୟ ପ୍ରଭାବିତ ହେଉଛି । ପ୍ରଶାସନର କହିବା ଅନୁସାରେ, ସଡ଼କ ପ୍ରଶସ୍ତୀକରଣ କାମରେ ଅନ୍ୟ କିଛି ଧାର୍ମିକ ସ୍ଥଳର ପ୍ରଭାବିତ ଅଂଶ ମଧ୍ୟ ହଟାଯାଇଛି । ଅନ୍ୟପକ୍ଷରେ ମସଜିଦ ପରିଚାଳନା ସହ ଜଡ଼ିତ ପକ୍ଷ ଏହାକୁ ବିରୋଧ କରିଛନ୍ତି ଏବଂ ଧାର୍ମିକ ସ୍ଥଳକୁ ପ୍ରଶସ୍ତୀକରଣରୁ ବାଦ୍ ଦେବାକୁ ଦାବି କରିଛନ୍ତି । ଶାହୀ ମସଜିଦର ପ୍ରଭାବିତ ଅଂଶ ହଟାଇବା ଖବର ପରେ ଗତ ଦୁଇ ଦିନ ଧରି ମସଜିଦ ନିକଟରେ ଲୋକଙ୍କ ଭିଡ଼ ଜମିଥିଲା। ରବିବାର ରାତିରେ ମଧ୍ୟ ଅନେକ ଲୋକ ସେଠାରେ ଏକାଠି ହୋଇ ପ୍ରତିବାଦ କରିଥିଲେ। ପୋଲିସ ଓ ପ୍ରଶାସନ ପକ୍ଷରୁ ଆଲୋଚନା ମାଧ୍ୟମରେ ସ୍ଥିତି ଶାନ୍ତ କରିବାର ଚେଷ୍ଟା କରାଯାଇଥିଲା। ସୋମବାର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବା ପରେ ପୁଣି ଉତ୍ତେଜନା ବଢ଼ିଥିଲା। ଘଟଣାସ୍ଥଳରେ ପୋଲିସ ଓ ସୁରକ୍ଷା ବଳର ମୁତୟନ ବଢ଼ାଯାଇଛି।
ଶାହୀ ମସଜିଦର ପ୍ରଭାବିତ ଅଂଶ ହଟାଇବାକୁ ନେଇ ଆଇନଗତ ବିବାଦ ମଧ୍ୟ ଚାଲିଛି। ମଧ୍ୟପ୍ରଦେଶ ହାଇକୋର୍ଟ ପୂର୍ବରୁ ଏହି ସଡ଼କ ପ୍ରଶସ୍ତୀକରଣ ସମ୍ପର୍କିତ ଚ୍ୟାଲେଞ୍ଜ ଉପରେ ରାୟ ଦେଇଥିଲେ। ରାସ୍ତା ପ୍ରଶସ୍ତୀକରଣରେ ମସଜିଦକୁ ଟାର୍ଗେଟ୍ କରାଯାଉଥିବା ଅଭିଯୋଗକୁ କୋର୍ଟ ଗ୍ରହଣ କରିନଥିଲେ ଏବଂ ପ୍ରଶାସନ ଆଇନ ଅନୁସାରେ ପ୍ରକ୍ରିୟା ଅନୁସରଣ କରିଥିବା ଉଲ୍ଲେଖ କରିଥିଲେ। ତେବେ ମସଜିଦ ପକ୍ଷରୁ ମାମଲାକୁ ଉଚ୍ଚତର ବେଞ୍ଚ୍ରେ ନିଆଯାଇଛି ଏବଂ ସୋମବାର ଶୁଣାଣି ହେବାକୁ ଥିବାରୁ ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।