‘ଶିକ୍ଷକଙ୍କ ହାତରେ ରହିଛି ଉତ୍ତମ ଶିଶୁ ଗଠନର ଦାୟିତ୍ୱ’

Sep 05, 2026 - 16:38
‘ଶିକ୍ଷକଙ୍କ ହାତରେ ରହିଛି ଉତ୍ତମ ଶିଶୁ ଗଠନର ଦାୟିତ୍ୱ’

ଭୁବନେଶ୍ୱର,୫ା୯: ବାଲିପୁଟର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେଣ୍ଟ୍‌ ଜାଭିଅର କିଡ୍ସରେ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି ଗୁରୁଦିବସ। ବିଦ୍ୟାଳୟର ପ୍ରାର୍ଥନା ପର୍ବ ପରେ ପୂର୍ବତନ ରାଷ୍ଟ୍ରପତି ତଥା ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ କରାଯାଇ ଆଜିର ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଶିକ୍ଷାର୍ଥୀମାନେ ଯଦି ଶିକ୍ଷକ ହୋଇଥାନ୍ତେ ତେବେ କିପରି ନିଜର ଦାୟିତ୍ୱ ସମ୍ପାଦନ କରିଥାନ୍ତେ ଏହି ପ୍ରସଙ୍ଗରେ ମତ ରଖିବା ପାଇଁ ଶିକ୍ଷାର୍ଥୀମାନଙ୍କୁ କୁହାଯାଇଥିଲା । ସେମାନଙ୍କ ଖୋଲା ହୃଦୟର ବକ୍ତବ୍ୟ ଶିକ୍ଷକମାନଙ୍କ ପାଇଁ ପରୋକ୍ଷ ଭାବରେ ଶିକ୍ଷଣୀୟ ଥିଲା। ଶିକ୍ଷକମାନଙ୍କୁ ଆଜିର ଦିବସ ଉପଲକ୍ଷେ ସ୍ବତନ୍ତ୍ର ଅନୁଭବ କରାଇବା ପାଇଁ ମୁକ୍ତା ଫାଉଣ୍ଡେଶନ, ଭୁବନେଶ୍ୱର ଉପହାର ପ୍ରଦାନ କରିଥିଲେ। ଶିକ୍ଷାର୍ଥୀ ଓ ଅଭିଭାବକଙ୍କଠାରୁ ସଦିଚ୍ଛା ଓ ସମ୍ମାନ ଗ୍ରହଣ କରି ଶିକ୍ଷକମାନେ ନିଜ ଶୈକ୍ଷିକ ଅନୁଭୂତିକୁ ସମସ୍ତଙ୍କ ସହ ବାଣ୍ଟିଥିଲେ। ପ୍ରତିଟି ମୁହୂର୍ତ୍ତ ଶିକ୍ଷଣୀୟ ଏବଂ ପ୍ରତିଟି ଏକକରୁ ଜଣେ ଶିକ୍ଷକ ଖୋଜି ପାଇପାରିବ ଯଦି ଜଣେ ଶିଖିବା ପାଇଁ ଆଖି, ମନ ଓ ହୃଦୟ ଖୋଲା ରଖେ ବୋଲି କହିଥିଲେ ବିଦ୍ୟାଳୟର ଅଧ୍ୟକ୍ଷା ମାନମୟୀ ରଥ। ବିଦ୍ୟାଳୟ ଏକ ମନ୍ଦିର ଏବଂ ତହିଁରେ ଅଧ୍ୟୟନରତ ଦେବଶିଶୁମାନଙ୍କ ଯଥାର୍ଥ ଗଠନର ଦାୟିତ୍ୱ ଶିକ୍ଷକଙ୍କ ହାତରେ। ସୁତରାଂ ଏହି ପବିତ୍ର କର୍ତ୍ତବ୍ୟ ସମ୍ପାଦନ କରୁଥିବା ଶିକ୍ଷକ ଦେଶ ଓ ଜାତି ପାଇଁ ନମସ୍ୟ ବୋଲି କହିଥିଲେ ବିଦ୍ୟାଳୟର ପ୍ରତିଷ୍ଠାତା ମନୋଜ ଦାଶ। ଧନ୍ୟବାଦ ଅର୍ପଣ କରିଥିଲେ ବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଲିଜାରାଣୀ ଦାଶ । ପ୍ରିୟଙ୍କା ବେହେରା, ପିଙ୍କିନା ମହାରଣା, ଶୁଭଲକ୍ଷ୍ମୀ ମହାପାତ୍ର, ଦେବସ୍ମିତା ବେହେରା, ମହେଶ୍ୱତା ରଥ, ସୁନିତା ନାୟକ, ବର୍ଷା ବୈଶାଖୀ ଦାସ ପ୍ରମୁଖ ଶିକ୍ଷୟିତ୍ରୀଗଣ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।