୫୦୦ ୱିକେଟ ନେଇଥିବା ୩୨ ବର୍ଷୀୟ କ୍ରିକେଟର ଅବସର ଘୋଷଣା କରି ଚମକାଇ ଦେଲେ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ
ନୂଆଦିଲ୍ଲୀ,୫।୧୦: ଜଣେ ଇଂଲଣ୍ଡ କ୍ରିକେଟର ଏକ ଅସାଧାରଣ କାରଣ ପାଇଁ ଅବସର ଗ୍ରହଣ କରିଛନ୍ତି। ନିଜ କ୍ୟାରିୟରରେ ୫୦୦ରୁ ଅଧିକ ୱିକେଟ ନେଇଥିବା କ୍ରେଗ ମାଇଲ୍ସ ମାତ୍ର ୩୨ ବର୍ଷ ବୟସରେ ଅବସର ନେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଯଦିଓ ଅତୀତରେ କ୍ରିକେଟରମାନେ କମ ବୟସରେ ଅବସର ନେବାର ନଜିର ରହିଛି, ତଥାପି ମାଇଲ୍ସ କହିଛନ୍ତି ଯେ ମାନସିକ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ସେ ଏହି ନିଷ୍ପତ୍ତି ନେଇଛନ୍ତି।
ଇଂଲଣ୍ଡର ଘରୋଇ କ୍ରିକେଟରେ ୧୫ ବର୍ଷର କ୍ୟାରିୟର ମଧ୍ୟରେ କ୍ରେଗ ମାଇଲ୍ସ ୨୩୯ଟି ମ୍ୟାଚ ଖେଳି ୫୧୨ଟି ୱିକେଟ ହାସଲ କରିଥିଲେ। ଏଭଳି ଏକ ଉଲ୍ଲେଖନୀୟ କ୍ୟାରିୟର ପରେ ଅବସର ନେବା ପାଇଁ ସେ ଦର୍ଶାଇଥିବା କାରଣ ବେଶ ଆଶ୍ଚର୍ଯ୍ୟଜନକ; ସେ ଏହାକୁ ଏକ ଗଭୀର ଭାବପ୍ରବଣ ନିଷ୍ପତ୍ତି ବୋଲି ବର୍ଣ୍ଣନା କରିଥିଲେ ମଧ୍ୟ ସ୍ପଷ୍ଟ କରିଥିଲେ ଯେ ନିଜ ମାନସିକ ସ୍ବାସ୍ଥ୍ୟକୁ ପ୍ରାଥମିକତା ଦେବା ପାଇଁ ତାଙ୍କୁ ଅବସର ନେବାକୁ ପଡ଼ିଲା।
ନିଜର ଅବସର ଘୋଷଣା କରି ସେ କହିଲେ, ‘ଏହା ଦୁଃଖଦାୟକ ହେଲେ ମଧ୍ୟ ମୁଁ ଗର୍ବିତ ଯେ ବର୍ତ୍ତମାନ ମୁଁ ବୃତ୍ତିଗତ କ୍ରିକେଟରୁ ଅବସର ନେଇପାରୁଛି। ଏହା ମୋ ପାଇଁ ଏକ ସହଜ ନିଷ୍ପତ୍ତି ନଥିଲା, ବିଶେଷକରି ସାମ୍ପ୍ରତିକ ସମୟରେ ମୁଁ ସାମ୍ନା କରିଥିବା କଠିନ ପରିସ୍ଥିତିକୁ ଦୃଷ୍ଟିରେ ରଖି। ନିଜର ମାନସିକ ସ୍ବାସ୍ଥ୍ୟକୁ ପ୍ରାଥମିକତା ଦେବା ପାଇଁ ମୁଁ ଅବସର ନେବାକୁ ନିଷ୍ପତ୍ତି ନେଲି।’
ଜଣେ ଡାହାଣହାତୀ ବୋଲର ଭାବେ କ୍ରେଗ ମାଇଲ୍ସ ଗ୍ଲୋଷ୍ଟରସାୟାର୍ (Gloucestershire) ଦଳ ପାଇଁ ଖେଳୁଥିଲେ। ୨୦୧୧ ମସିହାରେ, ମାତ୍ର ୧୬ ବର୍ଷ ବୟସରେ ନିଜର ଘରୋଇ ଡେବ୍ୟୁ (ପ୍ରଥମ ମ୍ୟାଚ) ସମୟରେ ସେ ଦୁଇଟି ୱିକେଟ ନେବା ସହ ୨୪ ରନ ସଂଗ୍ରହ କରିଥିଲେ। ସେ ଜୁନ ୨୦୨୬ରେ ‘ଟି-୨୦ ବ୍ଲାଷ୍ଟ’ ଲିଗରେ ନିଜର ଶେଷ ମ୍ୟାଚ ଖେଳିଥିଲେ; ନିଜ କ୍ୟାରିୟରର ସେହି ଶେଷ ମ୍ୟାଚରେ ସେ ତିନି ଓଭର ବୋଲିଂ କରି ୧୯ ରନ ବିନିମୟରେ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ।
ଅବସରର କାରଣ ସମ୍ପର୍କରେ ବିସ୍ତୃତ ଭାବେ କହିବାକୁ ଯାଇ କ୍ରେଗ ମାଇଲ୍ସ କହିଲେ, ‘ସାମ୍ପ୍ରତିକ ସମୟରେ ମୁଁ କ୍ରିକେଟରୁ କିଛି ସମୟ ଦୂରେଇ ରହିଥିଲି, ଯାହା ମୋତେ ନିଜକୁ ଏବଂ ଏହି ଖେଳକୁ ଭଲ ଭାବରେ ବୁଝିବାରେ ସାହାଯ୍ୟ କରିଛି। ନିକଟ ଅତୀତରେ ମୁଁ ଯେଉଁ ଆହ୍ବାନ ଓ କଠିନ ପରିସ୍ଥିତିର ସାମ୍ନା କରିଛି, ତାହା ମୋ ଜୀବନରେ ପୂର୍ବରୁ କେବେ ଅନୁଭବ କରିନଥିବା ପରିସ୍ଥିତି ଥିଲା।’
କ୍ରେଗଙ୍କ ଭାଇ ଆଡାମ ମାଇଲ୍ସ ମଧ୍ୟ ଜଣେ କ୍ରିକେଟର ଥିଲେ, ଯଦିଓ ସେ ନିଜର ‘ଫାଷ୍ଟ-କ୍ଲାସ’ କ୍ୟାରିୟରରେ ମାତ୍ର ପାଞ୍ଚୋଟି ମ୍ୟାଚ ଖେଳିଥିଲେ।
Dharitri – Odisha’s No.1, Most Trusted Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।