ଶୌଚ ହେବାକୁ ଯାଇଥିଲେ, ଆଉ ଫେରିଲେନି: ଗୋଡ଼ ଖସିଯିବାରୁ ପୋଖରୀ ଗଭୀର ପାଣିରେ ବୁଡ଼ି ଚାଲିଗଲା…

Sep 02, 2026 - 21:51
ଶୌଚ ହେବାକୁ ଯାଇଥିଲେ, ଆଉ ଫେରିଲେନି: ଗୋଡ଼ ଖସିଯିବାରୁ ପୋଖରୀ ଗଭୀର ପାଣିରେ ବୁଡ଼ି ଚାଲିଗଲା…

ଥୁଆମୂଳ ରାମପୁର,୨ା୯  (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ମହୁଲପାଟଣା ଫାଣ୍ଡି ଅଧୀନସ୍ଥ ଉପରଚବରି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଗାଁ ଶ୍ମଶାନ ନିକଟସ୍ଥ ପୋଖରୀ ପାଣିରେ ବୁଡ଼ି ଜଣେ ୨୪ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ଉପରଚବରି ଗ୍ରାମର ରାଏସିଙ୍ଗ ମାଝୀଙ୍କ ଦ୍ୱିତୀୟ ପୁଅ ଶରତ ମାଝୀ।

ସୂଚନା ଅନୁସାରେ, ବୁଧବାର ସକାଳ ପ୍ରାୟ ୭ଟା ସମୟରେ ଶରତ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଅସାବଧାନତାବଶତଃ ଗୋଡ଼ ଖସିଯିବାରୁ ଗଭୀର ପାଣିରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ମହୁଲପାଟଣା ଫାଣ୍ଡି ଅଧିକାରୀ ଲକ୍ଷ୍ମଣ ଖଡ଼ା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥୁଆମୂଳ ରାମପୁର ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଅଗ୍ନିଶମ ବାହିନୀର କର୍ମଚାରୀମାନେ ପୋଖରୀରୁ ମୃତଦେହ ଉଦ୍ଧାର କରିବା ପରେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏ ନେଇ ମହୁଲପାଟଣା ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା (ୟୁଡି ନଂ ୧୦/୨୬) ରୁଜୁ କରାଯାଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

ଗ୍ରାମବାସୀଙ୍କ କହିବା ଅନୁସାରେ, ଶରତ ଆଂଶିକ ମାନସିକ ଅସୁସ୍ଥ ଥିଲେ ଏବଂ ପହଁରା ଜାଣି ନ ଥିବାରୁ ଏହି ଅଭାବନୀୟ ଦୁର୍ଘଟଣା ଘଟିଥାଇପାରେ। ଏହି ଘଟଣା ପରେ ସମଗ୍ର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଅନ୍ୟପଟେ, ମହୁଲପାଟଣା ଓ ଇନ୍ଦ୍ରାବତୀ ଅଞ୍ଚଳରେ ପାଣିରେ ବୁଡ଼ି ପ୍ରାଣ ହରାଇବା ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଜଳାଶୟଗୁଡ଼ିକ ନିକଟରେ ସୁରକ୍ଷା ଓ ସଚେତନତାର ଘୋର ଅଭାବ ରହିଥିବା ଅଭିଯୋଗ ହେଉଛି। ପୋଲିସ କିମ୍ବା ଅଗ୍ନିଶମ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ଜଳାଶୟ ନିକଟରେ ସତର୍କତା ଅବଲମ୍ବନ କରିବା ପାଇଁ କାହିଁକି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉ ନାହିଁ, ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।