ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ
ପୁରୀ: ଆଜି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସଦର କାର୍ଯ୍ୟାଳୟ ସଭାଗୃହ ଠାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଜପତି ମହାରାଜାଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏବଂ ପରିଚାଳନା କମିଟିର ଅନ୍ୟାନ୍ୟ ବରିଷ୍ଠ ସଦସ୍ୟ ଓ ସେବାୟତ ପ୍ରତିନିଧିମାନେ ଏଥିରେ ସାମିଲ ହୋଇଥିଲେ । ଶ୍ରୀମନ୍ଦିର ସଦର କାର୍ଯ୍ୟାଳୟରେ ପୂର୍ବାହ୍ନ ପ୍ରାୟ ୧୦ଟା ୩୦ ମିନିଟ୍ରେ ଏହି ବୈଠକ ଆରମ୍ଭ ହୋଇଥିଲା । ବୈଠକରେ ମୋଟ ୭ଟି ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ଉପରେ ଆଲୋଚନା ଓ ଅନୁମୋଦନ କରାଯିବ ।
ସବୁଠାରୁ ଅଧିକ ଗୁରୁତ୍ୱ ପାଇଛି ଶ୍ରୀଜଗନ୍ନାଥ ମନ୍ଦିର ଭୂମି ପରିଚାଳନା ଅଧିନିୟମ ୨୦୨୬ ସମ୍ପର୍କିତ ଅବଗତି। ଏହାସହ ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ଗଣତି-ମଣତି ସମ୍ପର୍କରେ ସଦସ୍ୟମାନଙ୍କୁ ଅବଗତ କରାଯିବ ।
ଏହାବ୍ୟତୀତ ୨୦୨୫-୨୬ ଆର୍ଥିକ ବର୍ଷର ଚୂଡ଼ାନ୍ତ ଅଡିଟ୍ ରିପୋର୍ଟ ଉପସ୍ଥାପନ ଓ ଅନୁମୋଦନ କରାଯିବ । ୧୮ ମାର୍ଚ୍ଚ ଓ ୬ ଜୁଲାଇରେ ଅନୁଷ୍ଠିତ ଶ୍ରୀଜଗନ୍ନାଥ ତତ୍ତ୍ୱ ଗବେଷଣା, ପ୍ରକାଶନ ଓ ପ୍ରସାର ସବ୍-କମିଟି ବୈଠକର କାର୍ଯ୍ୟବିବରଣୀ ମଧ୍ୟ ଦୃଢ଼ୀକରଣ ପାଇଁ ଉପସ୍ଥାପିତ ହେବ ।
୫ ଜୁନ୍ରେ ହୋଇଥିବା ପୂର୍ବ ପରିଚାଳନା କମିଟି ବୈଠକର କାର୍ଯ୍ୟବିବରଣୀ ପଠନ, ଦୃଢ଼ୀକରଣ ଓ ଅନୁପାଳନ ସମୀକ୍ଷା କରାଯିବ। ସେହିପରି ଚଳିତ ବର୍ଷର ସ୍ନାନଯାତ୍ରା ଓ ରଥଯାତ୍ରାର ସଫଳ ଆୟୋଜନ ଉପରେ ବିସ୍ତୃତ ସମୀକ୍ଷା ହେବ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।