ସଚିନଙ୍କ ରେକର୍ଡ ଚୁର୍ମାର୍: କ୍ରିକେଟ୍ର ନୂଆ ବାଦ୍ଶାହା ହେଲେ ଏହି ଖେଳାଳି
ନୂଆଦିଲ୍ଲୀ,୨୪।୯: ଇଂଲଣ୍ଡର ଷ୍ଟାର୍ ବ୍ୟାଟର୍ ଜୋ ରୁଟ ଅନ୍ତର୍ଜାତୀୟ କ୍ରିକେଟରେ ଆଉ ଏକ ବଡ଼ କୀର୍ତ୍ତିମାନ ହାସଲ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ରୁଟ ୨୩ ହଜାର ଅନ୍ତର୍ଜାତୀୟ ରନ ପୂରଣ କରିଛନ୍ତି। ଏହା ସହିତ ସେ ବିଶ୍ୱର ଅଷ୍ଟମ ବ୍ୟାଟର୍ ଭାବେ ଏହି ମାଇଲଷ୍ଟୋନ ଛୁଇଁଛନ୍ତି। ଏହି ଉପଲବ୍ଧି ସହ ରୁଟ ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଏକ ରେକର୍ଡକୁ ମଧ୍ୟ ପଛରେ ପକାଇଛନ୍ତି। ୨୩ ହଜାର ଅନ୍ତର୍ଜାତୀୟ ରନ ପୂରଣ କରିବାରେ ରୁଟ ଏବେ ଦ୍ୱିତୀୟ ଦ୍ରୁତତମ ବ୍ୟାଟର୍ ହୋଇଛନ୍ତି।
ଜୋ ରୁଟ ମାତ୍ର ୫୨୧ଟି ପାଳିରେ ୨୩ ହଜାର ଅନ୍ତର୍ଜାତୀୟ ରନ ପୂରଣ କରିଛନ୍ତି। ଅନ୍ୟପକ୍ଷରେ ସଚିନ ତେନ୍ଦୁଲକର ୫୨୨ଟି ପାଳିରେ ଏହି ସଂଖ୍ୟାରେ ପହଞ୍ଚିଥିଲେ। ଏହି ତାଲିକାର ଶୀର୍ଷରେ ଭାରତର ବିରାଟ କୋହଲି ଅଛନ୍ତି। ସେ ମାତ୍ର ୪୯୦ଟି ପାଳିରେ ୨୩ ହଜାର ଅନ୍ତର୍ଜାତୀୟ ରନ ପୂରଣ କରିଥିଲେ।
ଇଂଲଣ୍ଡ ପାଇଁ ରୁଟ ପୂର୍ବରୁ ହିଁ ସର୍ବାଧିକ ଅନ୍ତର୍ଜାତୀୟ ରନ ସଂଗ୍ରହ କରିଥିବା ବ୍ୟାଟର। ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ପୂର୍ବତନ ଇଂଲଣ୍ଡ ଅଧିନାୟକ ଆଲିଷ୍ଟର୍ କୁକ ରହିଛନ୍ତି। କୁକଙ୍କ ନାମରେ ୧୫,୭୩୭ ଅନ୍ତର୍ଜାତୀୟ ରନ ରହିଛି।
ଜୋ ରୁଟ ତାଙ୍କ ୩୯୪ତମ ଅନ୍ତର୍ଜାତୀୟ ମ୍ୟାଚ୍ରେ ୨୩ ହଜାର ରନ୍ର ମାଇଲଷ୍ଟୋନ ହାସଲ କରିଛନ୍ତି। ସର୍ବାଧିକ ଅନ୍ତର୍ଜାତୀୟ ରନ ସଂଗ୍ରହକାରୀଙ୍କ ତାଲିକାରେ ଭାରତର ପୂର୍ବତନ ମହାନ ବ୍ୟାଟର୍ ରାହୁଲ ଦ୍ରାବିଡ ୨୪,୨୦୮ ରନ ସହ ସପ୍ତମ ସ୍ଥାନରେ ଅଛନ୍ତି। ରୁଟ ଏବେ ତାଙ୍କଠାରୁ ମାତ୍ର ୧,୨୦୮ ରନ ପଛରେ ଅଛନ୍ତି।
ଅନ୍ତର୍ଜାତୀୟ କ୍ରିକେଟ୍ରେ ସର୍ବାଧିକ ରନ କରିଥିବା ୮ ବ୍ୟାଟର୍
-ସଚିନ ତେନ୍ଦୁଲକର (ଭାରତ): ୬୬୪ ମ୍ୟାଚ, ୩୪,୩୫୭ ରନ
-ବିରାଟ କୋହଲି (ଭାରତ): ୫୬୨ ମ୍ୟାଚ, ୨୮,୩୫୯ ରନ
-କୁମାର ସାଙ୍ଗାକାରା (ଶ୍ରୀଲଙ୍କା): ୫୯୪ ମ୍ୟାଚ, ୨୮,୧୦୬ ରନ
-ରିକି ପଣ୍ଟିଂ (ଅଷ୍ଟ୍ରେଲିଆ): ୫୬୦ ମ୍ୟାଚ, ୨୭,୪୮୩ ରନ
-ମହେଲା ଜୟବର୍ଦ୍ଧନେ (ଶ୍ରୀଲଙ୍କା): ୬୫୨ ମ୍ୟାଚ, ୨୫,୯୫୭ ରନ
-ଜ୍ୟାକ କାଲିସ (ଦକ୍ଷିଣ ଆଫ୍ରିକା): ୫୧୯ ମ୍ୟାଚ, ୨୫,୫୩୪ ରନ
– ରାହୁଲ ଦ୍ରାବିଡ (ଭାରତ): ୫୦୯ ମ୍ୟାଚ, ୨୪,୨୦୮ ରନ
-ଜୋ ରୁଟ (ଇଂଲଣ୍ଡ): ୩୯୪ ମ୍ୟାଚ, ୨୩,୦୦୦+ ରନ
ଟେଷ୍ଟ କ୍ରିକେଟ୍ରେ ସର୍ବାଧିକ ରନ କରିବାର ରେକର୍ଡ ଏବେ ମଧ୍ୟ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି। ସଚିନ ୨୦୦ଟି ଟେଷ୍ଟ ମ୍ୟାଚ୍ରେ ୧୫,୯୨୧ ରନ କରିଥିଲେ। ଅନ୍ୟପକ୍ଷରେ ଜୋ ରୁଟ ୧୬୯ଟି ଟେଷ୍ଟ ମ୍ୟାଚ୍ରେ ୧୪,୨୭୮ ରନ୍ରେ ପହଞ୍ଚିଛନ୍ତି। ଅର୍ଥାତ୍ ଟେଷ୍ଟରେ ସଚିନଙ୍କ ସର୍ବକାଳୀନ ରେକର୍ଡଠାରୁ ରୁଟ ଏବେ ୧,୬୪୩ ରନ ପଛରେ ଅଛନ୍ତି।
ରୁଟଙ୍କ ବୟସ ଏବେ ୩୫ ବର୍ଷ। ତେଣୁ ସେ ଟେଷ୍ଟ କ୍ରିକେଟ୍ରେ ସଚିନଙ୍କ ରେକର୍ଡ ଭାଙ୍ଗିପାରିବେ କି ନାହିଁ, ତାହା ଆଗାମୀ ସମୟରେ ଦେଖିବାକୁ ରହିଲା। ବର୍ତ୍ତମାନ ସେ ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ଭାବେ ଦାୟିତ୍ୱ ତୁଲାଉଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।