ସଞ୍ଜୁଙ୍କୁ ଛାଡ଼ି ବୈଭବଙ୍କୁ ସୁଯୋଗ ଦେବା ଥିଲା ଗମ୍ଭୀରଙ୍କ ପାଇଁ କଠିନ ନିଷ୍ପତ୍ତି: କହିଲେ- ସେହି ରାତିରେ ମୁଁ…
ନୂଆଦିଲ୍ଲୀ,୨୪।୯: IPL ୨୦୨୬ ପରେ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଭାରତୀୟ ଟି-୨୦ ଦଳରେ ଲଗାତାର ସୁଯୋଗ ମିଳୁଛି। ପ୍ରଥମେ ଆୟର୍ଲାଣ୍ଡ ବିପକ୍ଷ ୨ ମ୍ୟାଚ୍ର ଟି-୨୦ ସିରିଜରେ ତାଙ୍କୁ ଦଳରେ ସାମିଲ କରାଯାଇଥିଲା। ତେବେ ସେହି ସିରିଜରେ ତାଙ୍କୁ ପ୍ଲେଇଂ-୧୧ରେ ସ୍ଥାନ ମିଳିନଥିଲା।
ଏହାପରେ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚରେ ଟି-୨୦ ସିରିଜରେ ବୈଭବଙ୍କୁ ୩ଟି ମ୍ୟାଚ ଖେଳିବାର ସୁଯୋଗ ମିଳିଥିଲା। ସଞ୍ଜୁ ସାମସନଙ୍କ ସ୍ଥାନରେ ତାଙ୍କୁ ପ୍ଲେଇଂ-୧୧ରେ ସାମିଲ କରାଯାଇଥିଲା। ଏହି ସିରିଜରେ ହିଁ ବୈଭବ ଭାରତ ପାଇଁ ଟି-୨୦ ଡେବ୍ୟୁ କରିଥିଲେ। ସଞ୍ଜୁ ସାମସନଙ୍କୁ ପ୍ଲେଇଂ-୧୧ରୁ ବାଦ୍ ଦେଇ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ଦେବା ନିଷ୍ପତ୍ତି ଭାରତୀୟ ଟିମର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ପାଇଁ ବେଶ କଷ୍ଟକର ଥିଲା। ଜିଓ ହଟଷ୍ଟାର ସହ ଆଲୋଚନା ସମୟରେ ଗମ୍ଭୀର ଏହା ପ୍ରକାଶ କରିଛନ୍ତି।
ଗମ୍ଭୀରଙ୍କ କହିବା ଅନୁଯାୟୀ, ଭାରତୀୟ ଦଳର କୋଚ ଭାବେ ତାଙ୍କ କାର୍ଯ୍ୟକାଳରେ ସଞ୍ଜୁଙ୍କୁ ପ୍ଲେଇଂ-୧୧ରୁ ବାଦ୍ ଦେବା ନିଷ୍ପତ୍ତି ତାଙ୍କ ପାଇଁ ସବୁଠୁ କଠିନ ନିଷ୍ପତ୍ତି ମଧ୍ୟରୁ ଗୋଟିଏ ଥିଲା। ଏହି ନିଷ୍ପତ୍ତି ନେବା ପରେ ସେହି ରାତିରେ ତାଙ୍କୁ ନିଦ ଆସିନଥିଲା ବୋଲି ଗମ୍ଭୀର କହିଛନ୍ତି। ସେ ଏହା ମଧ୍ୟ କହିଥିଲେ ଯେ ଏ ସମ୍ପର୍କରେ ସଞ୍ଜୁ ସାମସନଙ୍କୁ ମଧ୍ୟ ସେ ଜଣାଇଥିଲେ। କାରଣ ଟି-୨୦ରେ ତାଙ୍କ କୋଚିଂ ଯାତ୍ରାରେ ଏହା ଏକ ବଡ଼ ନିଷ୍ପତ୍ତି ଥିଲା। ଟି-୨୦ ବିଶ୍ୱକପ ୨୦୨୬ର ପ୍ରାରମ୍ଭିକ ମ୍ୟାଚଗୁଡ଼ିକରେ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିନଥିଲା। କିନ୍ତୁ ସୁଯୋଗ ପାଇବା ପରେ ସେ ବ୍ୟାଟରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ।
ସଞ୍ଜୁ ମାତ୍ର ୫ଟି ମ୍ୟାଚ ଖେଳି ୮୦.୨୫ ହାରାହାରିରେ ୩୨୧ ରନ କରିଥିଲେ। ଭାରତ ପାଇଁ ଏହି ଟୁର୍ନାମେଣ୍ଟରେ ସେ ସର୍ବାଧିକ ରନ ସ୍କୋରର ହୋଇଥିଲେ। ଦ୍ୱିତୀୟ ସ୍ଥାନରେ ଥିଲେ ଇଶାନ କିଶନ। ଇଶାନ ୯ଟି ମ୍ୟାଚ ଖେଳି ୩୧୭ ରନ କରିଥିଲେ। ଜିମ୍ବାୱେ ବିପକ୍ଷ ୩ ମ୍ୟାଚରେ ଟି-୨୦ ସିରିଜରେ ସଞ୍ଜୁଙ୍କୁ ସୁଯୋଗ ମିଳିନଥିଲା। ଏହାପରେ ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚର ଟି-୨୦ ସିରିଜରେ ତାଙ୍କୁ ଦଳରେ ସାମିଲ କରାଯାଇଥିଲା।
ଏହି ସିରିଜରେ ସଞ୍ଜୁ ୩ଟି ମ୍ୟାଚ ଖେଳି ୨ଟି ଅର୍ଦ୍ଧଶତକ ହାସଲ କରିଥିଲେ। ପ୍ରଥମ ମ୍ୟାଚରେ ସେ ୧୦ ରନ, ଦ୍ୱିତୀୟ ମ୍ୟାଚରେ ୫୭ ରନ ଏବଂ ତୃତୀୟ ମ୍ୟାଚ୍ରେ ୫୦ ରନ କରିଥିଲେ। ଭାରତ ପାଇଁ ଏପର୍ଯ୍ୟନ୍ତ ସଞ୍ଜୁ ସାମସନ ୭୦ଟି ଟି-୨୦ ମ୍ୟାଚରେ ୧୫୫୮ ରନ କରିଛନ୍ତି। ଏଥିରେ ୩ଟି ଶତକ ଓ ୮ଟି ଅର୍ଦ୍ଧଶତକ ସାମିଲ ରହିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।