ସପ୍ତାହରେ ବ୍ୟାଙ୍କ୍‌ରେ ୫ଦିନ ଓ଼୍ବାର୍କିଂ ଡେ? ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର

Sep 25, 2026 - 13:36
ସପ୍ତାହରେ ବ୍ୟାଙ୍କ୍‌ରେ ୫ଦିନ ଓ଼୍ବାର୍କିଂ ଡେ? ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୫।୯: ସପ୍ତାହକୁ ୫ ଦିନ କାର୍ଯ୍ୟଦିବସ (5-Day Work Week) ସମେତ ଅନ୍ୟ କିଛି ଦାବିକୁ ନେଇ ବ୍ୟାଙ୍କ ୟୁନିଅନଗୁଡ଼ିକ ସେପ୍ଟେମ୍ୱର ୨୮ ରୁ ତିନି ଦିନିଆ ଧର୍ମଘଟକୁ ଯାଉଛନ୍ତି। ରିପୋର୍ଟ ଅନୁସାରେ, ଏହି ସମୟରେ ଅର୍ଥ ମନ୍ତ୍ରଣାଳୟର ଜଣେ ସୂତ୍ରରୁ ପ୍ରକାଶ ଯେ, ସରକାର ବ୍ୟାଙ୍କଗୁଡ଼ିକ ପାଇଁ ସପ୍ତାହକୁ ୫ ଦିନ କାର୍ଯ୍ୟ କରିବା ନେଇ କେବେ ବି ପ୍ରତିଶ୍ରୁତି ଦେଇନାହାନ୍ତି ଏବଂ ଦରମା ବୁଝାମଣା ଆଲୋଚନା ବେଳେ ମଧ୍ୟ ଏହି ପ୍ରସଙ୍ଗରେ କୌଣସି ଚର୍ଚ୍ଚା ହୋଇନଥିଲା।

ସୂତ୍ର ଅନୁଯାୟୀ, “ଆମେ ବ୍ୟାଙ୍କଗୁଡ଼ିକ ପାଇଁ ପାଞ୍ଚ ଦିନିଆ କାର୍ଯ୍ୟଦିବସର କେବେ ପ୍ରତିଶ୍ରୁତି ଦେଇନଥିଲୁ। ଏହା ଆଲୋଚନାର ପ୍ରସଙ୍ଗ ହିଁ ନଥିଲା। ଏହା ଉପରେ କୌଣସି ଚୁକ୍ତି ହୋଇନାହିଁ କିମ୍ୱା ଆଲୋଚନା ମଧ୍ୟ ହୋଇନାହିଁ।” ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଦାବି କର୍ମଚାରୀ ୟୁନିଅନ ପକ୍ଷରୁ ଏକତରଫା ଭାବେ ଉଠାଯାଇଥିଲା ଏବଂ ଉଭୟ ପକ୍ଷଙ୍କ ମଧ୍ୟରେ ଏହାକୁ ନେଇ କୌଣସି ସହମତି ହୋଇନଥିଲା।

ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେସନ (AIBOC) ର ସାଧାରଣ ସମ୍ପାଦକ ରୂପମ ରାୟ ଦାବି କରିଛନ୍ତି ଯେ ମାର୍ଚ୍ଚ ୨୦୨୪ ରେ ଇଣ୍ଡିଆନ ବ୍ୟାଙ୍କସ ଆସୋସିଏସନ (IBA) ସହିତ ହୋଇଥିବା ଦ୍ୱିପାକ୍ଷିକ ବେତନ ସଂଶୋଧନ ଚୁକ୍ତିନାମା ଅନୁଯାୟୀ ସପ୍ତାହକୁ ୫ ଦିନ କାର୍ଯ୍ୟଦିବସ ନେଇ ସହମତି ପ୍ରକାଶ ପାଇଥିଲା।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।