ସବିତାଙ୍କ ରେକର୍ଡ

Sep 28, 2026 - 15:27
ସବିତାଙ୍କ ରେକର୍ଡ

 

ଗୋଲକିପର ସବିତା ପୁନିଆ ନିକଟରେ ଭାରତୀୟ ମହିଳା ହକିର ପୂର୍ବତନ ଫରୱାର୍ଡ ଖେଳାଳି ଭାନ୍ଦାନା କାତାରିଆଙ୍କ ୩୨୦ଟି ସିନିୟର ଅନ୍ତର୍ଜାତୀୟ ମ୍ୟାଚ୍‌ର ରେକର୍ଡ ଭାଙ୍ଗି ଇତିହାସରେ ସବୁଠାରୁ ଅଧିକ ମ୍ୟାଚ୍ ଖେଳିଥିବା (ମୋଷ୍ଟ୍-କ୍ୟାପ୍‌ଡ୍) ଭାରତୀୟ ମହିଳା ହକି ଖେଳାଳି ହେବାର ଗୌରବ ହାସଲ କରିଛନ୍ତି । ଯାହାପରେ ତାଙ୍କୁ ନେଇ ସବୁସ୍ଥାନରେ ଚର୍ଚ୍ଚା ଜୋର ଧରିଛି ।

ହରିୟାଣାର ସିରସା ଜିଲ୍ଲା ଅନ୍ତର୍ଗତ ଯୋଧକାନ୍ ଗ୍ରାମରେ ୧୧ ଜୁଲାଇ ୧୯୯୦ରେ ଜନ୍ମଗ୍ରହଣ କରିଥିବା ଭାରତୀୟ ମହିଳା ହକି ଟିମ୍‌ର ଅଧିନାୟିକା ତଥା ଗୋଲକିପର ସବିତା ପୁନିଆ ନିଜର ଦମଦାର ପ୍ରଦର୍ଶନ ପାଇଁ 'ଗ୍ରେଟ୍ ୱାଲ୍ ଅଫ୍ ଇଣ୍ଡିଆ' ଭାବେ ସମଗ୍ର ବିଶ୍ୱରେ ପରିଚିତ । ଜେଜେବାପା ମହିନ୍ଦର ସିଂହଙ୍କ ପ୍ରେରଣାରେ ହକି କ୍ଷେତ୍ରରେ ପାଦ ଥାପିଥିବା ସବିତା, ପ୍ରଥମରୁ ଏହି ଖେଳ ପ୍ରତି ଖୁବ ଗମ୍ଭୀର ଥିଲେ ।  ସେ କୋଚ୍ ସୁନ୍ଦର ସିଂହ ଖରାବ ଓ ଆଜାଦ ସିଂହ ମଲିକଙ୍କ ମାର୍ଗଦର୍ଶନରେ ନିଜର କ୍ୟାରିୟରକୁ ଗଢିଥିଲେ । ୨୦୦୭ରେ ଜାତୀୟ କ୍ୟାମ୍ପକୁ ମନୋନୀତ ହେବା ପରେ ୨୦୦୮ରେ ନେଦରଲ୍ୟାଣ୍ଡ - ଜର୍ମାନୀ ଗସ୍ତ ଏବଂ ୨୦୧୧ରେ ସିନିୟର ଜାତୀୟ ଦଳରେ ଡେବ୍ୟୁ କରି ସେ ନିଜର ସଫଳ ଯାତ୍ରା ଆରମ୍ଭ କରିଥିଲେ । ଯେଉଁଥିରେ ୨୦୧୩ ଏସିଆ କପ୍‌ରେ ପେନାଲ୍ଟି ଶୁଟ୍ - ଆଉଟ୍‌ ବଞ୍ଚାଇ ବ୍ରୋଞ୍ଜ ପଦକ ଜିତାଇବା, ୨୦୧୪ ଇଞ୍ଚିଅନ୍ ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ, ୨୦୧୬ରେ ଜାପାନ ବିପକ୍ଷରେ ଗୁରୁତ୍ୱପୂର୍ଣ୍ଣ ସେଭ୍ କରି ୩୬ ବର୍ଷ ପରେ ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିଲେ । ଏହାପରେ ୨୦୧୮ ଏସିଆ କପ୍ ଫାଇନାଲ୍‌ରେ ଚୀନ୍‌କୁ ହରାଇ ବିଶ୍ୱକପ୍‌ରେ ସ୍ଥାନ ପକ୍କା କରିବା ଭଳି ଏକାଧିକ ସଫଳତା ତାଙ୍କ ନାମରେ ସାମିଲ ରହିଛି। ୨୦୨୦ ଟୋକିଓ ଓଲିମ୍ପିକ୍ସରେ ତାଙ୍କର ଚମତ୍କାର ପ୍ରଦର୍ଶନ ବଳରେ ଭାରତ ଚତୁର୍ଥ ସ୍ଥାନ ହାସଲ କରି ସର୍ବଶ୍ରେଷ୍ଠ ଅଲିମ୍ପିକ୍ ସଫଳତା ପାଇଥିଲା । ଭାରତ ପାଇଁ ସବୁଠାରୁ ଅଧିକ ମ୍ୟାଚ୍ (ମୋଷ୍ଟ୍ କ୍ୟାପ୍‌ଡ୍ ପ୍ଲେୟାର) ଖେଳିବାର ଗୌରବ ବହନ କରିଥିବା ସବିତା, ସଫ୍ଟୱେର୍ ଇଞ୍ଜିନିୟର ତଥା ସଙ୍ଗୀତ ନିର୍ଦ୍ଦେଶକ ଅଙ୍କିତ ବଲହାରାଙ୍କୁ ବିବାହ କରିଛନ୍ତି । ତାଙ୍କର ଅତୁଳନୀୟ କ୍ରୀଡ଼ା ଅବଦାନ ପାଇଁ ୨୦୧୫ ଓ ୨୦୨୫ରେ ହକି ଇଣ୍ଡିଆ 'ଗୋଲକିପର ଅଫ୍ ଦି ଇୟର', ୨୦୨୫ରେ 'ପ୍ଲେୟାର ଅଫ୍ ଦି ଇୟର', ୨୦୧୮ରେ 'ଅର୍ଜୁନ ପୁରସ୍କାର' ଏବଂ ୨୦୨୬ରେ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ 'ପଦ୍ମଶ୍ରୀ'ରେ ସମ୍ମାନିତ ହୋଇଛନ୍ତି । ସେ ଆଜି ଦେଶର ଅନେକ ହକି ଖେଳାଳୀଙ୍କ ପାଇଁ ସେ ପ୍ରେରଣା ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।