ସମିତିସଭ୍ୟଙ୍କଠାରୁ ସୁନା ଚେନ୍‌ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ, ଆଜି ଅଭିଯୁକ୍ତଙ୍କୁ…

Sep 11, 2026 - 18:28
ସମିତିସଭ୍ୟଙ୍କଠାରୁ ସୁନା ଚେନ୍‌ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ, ଆଜି ଅଭିଯୁକ୍ତଙ୍କୁ…

ଦିଗପହଣ୍ଡି,୧୧ା୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ସନ୍ଧ୍ୟାରେ ପାଟପୁର ଥାନା ପି. ରାମଚନ୍ଦ୍ରପୁର ଗ୍ରାମର ବଳରାମ ପ୍ରଧାନ ଓରଫ ବଳିଆଙ୍କୁ ଛିନତାଇ ଓ ହତ୍ୟା ଉଦ୍ୟମ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। କେସ୍‌ ନଂ ୩୭୧/୨୬ରେ ବିଭିନ୍ନ ଦଫାରେ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍‌ ଜେଲ ହାଜତକୁ ପଠାଇ ଦିଆଯାଇଛି। ତଦନ୍ତକାରୀ ଅଧିକାରୀ ଏସ୍‌.ଆଇ ସୋଫିଆ ମିଶ୍ରଙ୍କ ସୂଚନା ଅନୁଯାୟୀ ଗତ ଅଗଷ୍ଟ ୩୦ ତାରିଖ ରାତିରେ ଦିଗପହଣ୍ଡି ବ୍ଲକ ଭ୍ରମରବର ପଲ୍ଲୀ ବାସିନ୍ଦା ନିମଖଣ୍ଡିପେଣ୍ଠ ପଞ୍ଚାୟତ ସମିତିସଭ୍ୟ ବି.ଲଡୁ ପାତ୍ର ଏବଂ ତାଙ୍କ ୨ ସାଙ୍ଗ ପ୍ରଭାତ ମହାନ୍ତି, ପି.ଆକାଶ ଜକମେରି ପଲ୍ଲୀ ଗାଁରେ ନାଚ ଦେଖି ବୁଲେଟ୍‌ରେ ଫେରୁଥିବାବେଳେ ଦିଗପହଣ୍ଡି ଥାନା ଗୁମା ଗ୍ରାମ ବଡ଼ବନ୍ଧ(ପୋଖରୀ) ନିକଟ ମୁଖ୍ୟରାସ୍ତାରେ ୨୫ରୁ ଊଦ୍ଧର୍‌ବ ଯୁବକ ସେମାନଙ୍କୁ ଅଟକାଇଥିଲେ। ପରେ ବି.ଲଡୁଙ୍କ ନିକଟରୁ ସେମାନେ ସୁନାଚେନ୍‌ , ୩ ହଜାର ଟଙ୍କା ଛଡ଼ାଇ ନେବା ସହ ଖଣ୍ଡା ଓ ଠେଙ୍ଗାରେ ମାଡ଼ମାରି ହତ୍ୟା ଉଦ୍ୟମ କରିଥିଲେ। ବୁଲେଟ୍‌ର ଟାୟର ଓ ତେଲ ଟାଙ୍କିକୁ ଏକ କାତିରେ ଜଣେ ଯୁବକ ହାଣିଥିଲେ। ଏହା ଦେଖି ପ୍ରଭାତ ଓ ଆକାଶ ଦୌଡ଼ିବାରୁ ଶିବ କାଳୀ ନାମକ ଜଣେ ଯୁବକ ଆକାଶଙ୍କ ମୁଣ୍ଡ ଓ ବେକକୁ ଏକ ଛୁରିରେ ଭୁସି ଦେଇଥିଲେ। ପରେ ପ୍ରଭାତଙ୍କୁ ଭୀଷ୍ମଗିରି ଗ୍ରାମର ରାଜା ନାମକ ଜଣେ ଯୁବକ ଧରିଥିବା କାତିରେ ଆକ୍ରମଣ କରିବାରୁ ତାଙ୍କ ମୁହଁ, ବାମ ଗୋଡ଼, ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିଥିଲା। ଉଭୟେ ରାସ୍ତା ଉପରେ ଚେତା ଶୂନ୍ୟ ହୋଇ ପଡ଼ିଯାଇଥିଲେ। ପରେ ଲଡୁଙ୍କୁ ସେମାନେ ଜୀବନରେ ମାରିଦେବାକୁ ଧମକ ଦେଇ ସଂଘବଦ୍ଧ ଆକ୍ରମଣ କରିଥିଲେ ମଧ୍ୟ ସେ କୌଶଳକ୍ରମେ ସେଠାରୁ ଦୌଡ଼ି ଚାଲିଯାଇଥିଲେ। ସମିତିସଭ୍ୟ ଲଡୁ ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।

ଏତଲା ଅନୁଯାୟୀ, ଆଇଆଇସି କିଶୋର କୁମାର ସାମଲ ବିରୋଧରେ ମୋକଦ୍ଦମା ରୁଜୁ କରିଥିଲେ। ତଦନ୍ତକାରୀ ଅଧିକାରୀ ଗତ ୪ ତାରିଖରେ ଘଟଣାରେ ସମ୍ପୃକ୍ତ ଥିବା ପାଟପୁର ଥାନା ପଳାସପୁର ଗ୍ରାମର ଗଙ୍ଗା ଓରଫ ଗଙ୍ଗାଧର ନାଇକ (୨୩)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ସେହିପରି ଏହି ଘଟଣାରେ ସମ୍ପୃକ୍ତ ଥିବା ପାଟପୁର ଥାନା ଅଧୀନ ଏକ ଗାଁର ୧୭ ବର୍ଷ ବୟସର ୨ ଜଣ ନାବାଳକଙ୍କୁ ପୋଲିସ ବ୍ରହ୍ମପୁର ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରିବା ପରେ ଉଭୟଙ୍କୁ ବ୍ରହ୍ମପୁର ବାଳସୁଧାର ଗୃହକୁ ପଠାଇ ଦିଆଯାଇଥିଲା। ଜୁଆଆଡ୍ଡା ପରିଚାଳନାକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।