ସମୂହ ଛୁଟିରେ ରେଭେନ୍ସା ଅଧ୍ୟାପକ

Aug 28, 2026 - 12:26
ସମୂହ ଛୁଟିରେ ରେଭେନ୍ସା ଅଧ୍ୟାପକ

କଟକ :  ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପୁଣି ତୀବ୍ର ହୋଇଛି ଶିକ୍ଷକ ଅସନ୍ତୋଷ । ଆଜି ରେଭେନ୍ସା ଶିକ୍ଷକଙ୍କ ସାମୂହିକ ଛୁଟି । ରେଭେନ୍ସା କ୍ୟାମ୍ପସ କୁ ରାଜନୈତିକ ଚାପ ମୁକ୍ତ କରିବାକୁ ଦାବି କରିଛନ୍ତି ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ (RUTA) ସଦସ୍ୟ । ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଶିକ୍ଷକଙ୍କ ଦାବିକୁ ଅଣଦେଖା କରୁଥିବା ଅଭିଯୋଗ କରି କଳା ବ୍ୟାଜ ପିନ୍ଧି ସକାଳ ୧୦ ଟାରୁ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଛନ୍ତି ସମସ୍ତ ଅଧ୍ଯାପକ ଅଧ୍ୟାପିକା । ପୂର୍ବ ବିବାଦର ସମାଧାନ ପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ନେଇ ନ ଥିବାରୁ କ୍ଷୋଭ ପ୍ରକାଶ କରି ଛନ୍ତି ରୁଟାର ସଦସ୍ଯ ।

ଚଳିତ ମାସ ଆରମ୍ଭରୁ ରେଭେନ୍ସାରେ ଲାଗିରହିଛି ରାଜନେତା -ଶିକ୍ଷକ ବିବାଦ । ଅଗଷ୍ଟ ୩ରେ ଇଷ୍ଟ ହଷ୍ଟେଲର ଛାତ୍ର ଆନ୍ଦୋଳନକୁ ନେଇ ହୋଇଥିବା ଆଲୋଚନା ବେଳେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଓ ତତ୍କାଳୀନ ଚିଫ୍ ୱାର୍ଡେନ୍ ତଥା ବରିଷ୍ଠ ଅଧ୍ୟାପକ ପ୍ରଫେସର ସୁଦର୍ଶନ ମିଶ୍ରଙ୍କ ମଧ୍ୟରେ ବିବାଦ ହୋଇଥିଲା । RUTA ବିଧାୟକଙ୍କ ବିରୋଧରେ ଜଣେ ବରିଷ୍ଠ ଶିକ୍ଷକଙ୍କୁ ଅସମ୍ମାନ କରିବାର ଅଭିଯୋଗ ଆଣିଥିଲା ।

ଅନ୍ୟପଟେ ବିଧାୟକ ମଧ୍ୟ ପ୍ରଫେସରଙ୍କ ବିରୋଧରେ ଅସମ୍ମାନଜନକ ବ୍ୟବହାରର ଅଭିଯୋଗ କରି ବିଧାନସଭା ବାଚସ୍ପତିଙ୍କୁ ପତ୍ର ଲେଖିଥିଲେ । ଏହାପରେ ୱାର୍ଡେନ୍ ଓ ଡେପୁଟି ୱାର୍ଡେନ୍ ନିଜ ପ୍ରଶାସନିକ ଦାୟିତ୍ୱରୁ ସାମୂହିକ ଇସ୍ତଫା ଦେଇଥିଲେ। ପରେ ଇସ୍ତଫା ଗ୍ରହଣ କରି ସମସ୍ତ ୱାଡେନଙ୍କୁ ବଦଳାଇଥିଲେ କର୍ତ୍ତୃପକ୍ଷ । RUTA ମଧ୍ୟ କ୍ୟାମ୍ପସରେ ରାଲି କରି ବିଶ୍ୱବିଦ୍ୟାଳୟର ସ୍ୱାୟତ୍ତତା, ଶିକ୍ଷକଙ୍କ ସମ୍ମାନ ଓ ପ୍ରଶାସନିକ ବ୍ୟବସ୍ଥାରେ ବାହ୍ୟ ହସ୍ତକ୍ଷେପ ନ ହେବା ଦାବି ଉଠାଇଥିଲା । ପରେ RUTA ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତିଙ୍କ ହସ୍ତକ୍ଷେପ ମଧ୍ୟ ଲୋଡ଼ିଥିଲା । ଅନେକ ବୈଠକ ହୋଇ ଥିଲେ ସୁଦ୍ଧା ବିବାଦ ର ସମାଧାନ ହୋଇ ପାରି ନାହିଁ । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।