ବିକ୍ରମ ପଣ୍ଡା ସ୍ୱାଧୀନତା ସଂଗ୍ରାମୀ ନୁହନ୍ତି - ପରିବହନ ମନ୍ତ୍ରୀ
ଭୁବନେଶ୍ୱର : ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରୁ ଜେଲ ରୁ ବାହାରିଛନ୍ତି ମୁଖ୍ୟ ଅଭିଯୁକ୍ତ ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡା । ସୋମବାର ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ମାନ୍ୟବର ହାଇକୋର୍ଟ । ବିକ୍ରମ ପଣ୍ଡାଙ୍କ ସହିତ ତାଙ୍କର ଅନ୍ୟ ୧୪ ଜଣ ସହଯୋଗୀଙ୍କ ଉପରୁ ମଧ୍ୟ ହତ୍ୟା ଧାରା ଉଠାଯାଇଛି । ତେବେ ମଙ୍ଗଳବାର ଜେଲ୍ରୁ ବାହାରିବା ପରେ ବିଜେଡି ନେତା ବିକ୍ରମ ପଣ୍ଡା ବିରାଟ ପ୍ରୋସେସନ କରି ଯାଇଥିଲେ । ଏହାକୁ ନେଇ ତାଙ୍କୁ କଟାକ୍ଷ କରି ସମାଲୋଚନା କରିଛନ୍ତି ବିଜେପି ପରିବହନ ମନ୍ତ୍ରୀ ବିଭୁତି ଜେନା । ସେ କହିଛନ୍ତି ବିକ୍ରମ ପଣ୍ଡା ଜଣେ ସ୍ୱାଧୀନତା ସଂଗ୍ରାମୀ ନୁହନ୍ତି । ସେ ଜଣେ ହତ୍ୟା ଅପରାଧୀ । ୧୦ ମାସ ହେବ ସେ ଜେଲରେ ଥିଲେ । ସୋମବାର ହାଇକୋର୍ଟରୁ ଜାମିନ ମଞ୍ଜୁର ପରେ ମଙ୍ଗଳବାର ଜେଲ ରୁ ମୁକୁଳିଥିଲେ । ସେ ଯେଉଁପରି ଭାବରେ ଖଲାସ ହେଲେ ତାହା ଆମକୁ ଲଜ୍ୟା ଲାଗିବା କଥା । ଆମ ଗଞ୍ଜାମ ଭାଷାରେ ଏହାକୁ ଅଲାଜୁକ କୁହାଯାଏ । ଔଷଧର ଏକ୍ସପାଏରୀ ଡେଟ୍ ଗଲା ଆଉ କାମ କରେନାହିଁ । ଯେଉଁ ବିଜେଡି ନେତାମାନେ ମଙ୍ଗଳବାର ବ୍ରହ୍ମପୁର ଯାଇଥିଲେ । ସେମାନେ ଭାବିବା ଦରକାର ଥିଲା ଦେଶ କି ରାଜ୍ୟ ପାଇଁ କିଛି ବଡ଼ କାମ କରି ଜେଲ୍ ଯାଇନଥିଲେ ବିକ୍ରମ ପଣ୍ଡା । ହତ୍ୟା ଅଭିଯୋଗରେ ଜେଲ୍ ଯାଇଥିଲେ ବିକ୍ରମ ପଣ୍ଡା । ଆଉ ଏବେ ଜାମିନ ପାଇଁ ବାହାରକୁ ଆସିଛନ୍ତି । ତେଣୁ ଏହାକୁ ନେଇ ଏତେ ଗର୍ବ କିମ୍ବା ପ୍ରୋସେସନ କରିବା ଠିକ୍ ନୁହେଁ । ଆଇନଜୀବୀ ପୀତବାସ ପଣ୍ଡାଙ୍କ ପରିବାରକୁ ନିଶ୍ଚୟ ନ୍ୟାୟ ମିଳିବ । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।
ସେପଟେ ବିକ୍ରମ ପଣ୍ଡାଙ୍କ ଜାମିନ ନେଇ କାଉଣ୍ଟର କରିଛି ବିଜେଡି । ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ହତ୍ୟା ମାମଲାରେ ଛନ୍ଦା ଯାଇଥିଲା । ବିକ୍ରମଙ୍କୁ ଷଡ଼ଯନ୍ତ୍ର କରି ମନ୍ତ୍ରୀ ଫସାଇଥିଲେ । ଜାମିନ ବେଳେ ହାଇକୋର୍ଟ ଦେଇଥିବା ରିପୋର୍ଟକୁ ମନ୍ତ୍ରୀ ଟିକେ ପଢନ୍ତୁ । ଯଦି ଠିକ୍ ସେ ପଢିବେ, ତେବେ ଜାଣିପାରିବେ । ବିକ୍ରମ ପଣ୍ଡା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ହେବା ପରେ ତାଙ୍କର ଲୋକପ୍ରିୟତା ଏବଂ ସଂଗଠନିକ ଦକ୍ଷତାକୁ ଦେଖି ବିଜେପି ନେତା ସହିପାରିନଥିଲେ । ବିକ୍ରମଙ୍କ ଗିରଫଦାରୀ ଅସାମ୍ବିଧାନିକ ଥିଲା। ପ୍ରଥମେ ମନ୍ତ୍ରୀ ଗଞ୍ଜାମ ଜିଲ୍ଲାରେ ବିଜେପି ନେତାଙ୍କ ଭିତରେ ଚାଲିଥିବା ଲଢେଇକୁ ସମ୍ଭାଳନ୍ତୁ। ମନ୍ତ୍ରୀ କଣ ଜ୍ୟୋତିଷ ସେ କଣ ବିଜେଡିର ଏକ୍ସପାରୀ ଡେଟ୍ କଥା କହିବେ । ସେ ଟିକେ ନିଜ ନିର୍ଵାଚନ ମଣ୍ଡଳୀକୁ ଯାଆନ୍ତୁ ଲୋକେ ତାଙ୍କ ଉପରେ କଣ ମନ୍ତବ୍ୟ ଦେବେ ଜାଣିପାରିବେ ।
ସୂଚନାନୁସାରେ, ମଙ୍ଗଳବାର ସନ୍ଧ୍ୟାରେ ବିକ୍ରମ ପଣ୍ଡା ଜେଲ ରୁ ବାହାରିବା ପରେ ତାଙ୍କୁ ସ୍ୱାଗତ କରିବାକୁ ବିଜେଡି ନେତା ସଞ୍ଜୟ ଦାସ ବର୍ମା, ଦେବୀ ପ୍ରସାଦ ମିଶ୍ର, ସାଂସଦ ମାନସ ମଙ୍ଗରାଜ, ମନ୍ମଥ ରାଉତରାୟ, ଚିନ୍ମୟ ସାହୁ,ପ୍ରତାପ ଜେନା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ଗଞ୍ଜାମ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଭଗବାନ ଗନ୍ତାୟତ, ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ସୁବାସ ମହାରଣା, କୈଳାସ ରଣା, ସରୋଜ ସାବତ, ଛତ୍ରପୁର ପୂର୍ବତନ ବିଧାୟକ ସୁବାସ ବେହେରା, କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଲତିକା ପ୍ରଧାନ, ବ୍ରହ୍ମପୁର ମହାନଗର ନିଗମର ସମସ୍ତ ବିଜେଡି କର୍ପୋରେଟର୍ , ଛାତ୍ର, ଯୁବ, ମହିଳା ବିଜେଡି ନେତା ଓ କର୍ମୀ ଜେଲ୍ ସମ୍ମୁଖରେ ଉପସ୍ଥିତ ଥିଲେ । ଏକ ବିରାଟ ଶୋଭାଯାତ୍ରାରେ ବିକ୍ରମଙ୍କୁ ଗଜପତି ନଗର ସ୍ଥିତ ତାଙ୍କ ବାସଭବନକୁ ନିଆ ଯାଇଥିଲା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।