ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

Sep 21, 2026 - 21:55
ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଭାବେ ରହିଛି। ଏଥିସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନରୁ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପୀ ରହିଛି। ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ମଙ୍ଗଳବାର ବେଳକୁ ଅବପାତ ଏବଂ ତା’ର ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଗଭୀର ଅବପାତରେ ପରିଣତ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସେହିପରି ବଙ୍ଗୋପସାଗରରେ ରହିଥିବା ଲଘୁଚାପ ବାତ୍ୟା ନୁହେଁ, ଗଭୀର ଅବପାତର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସ୍ପଷ୍ଟ କରିଛନ୍ତି। ୨୨ତାରିଖ ସନ୍ଧ୍ୟା ବେଳକୁ ଗଭୀର ଅବପାତର ରୂପ ନେବା ସହିତ ପବନର ବେଗ ବୃଦ୍ଧି ପାଇ ଘଣ୍ଟା ପ୍ରତି ୫୫ରୁ ୬୫ କି.ମି. କିମ୍ବା ୭୫ କି.ମି. ପର୍ଯ୍ୟନ୍ତ ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ୨୩ ସକାଳେ ଉପକୂଳରେ ପହଁଚିବ ଗଭୀର ଅବପାତ । ଭୁବନେଶ୍ବରରୁ ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିପାରେ ବୋଲି ସୂଚନା ମିଳିଛି। ତେଣୁ ୨୩ ଓ ୨୪ ମଧ୍ୟରେ ଉପକୂଳ ନିକଟରେ ବିଶେଷ ପ୍ରଭାବ ପକାଇବା ନେଇ ପୂର୍ବାନୁମାନ କରାଯାଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।