ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼: ସାବୁନ, ତେଲ, ବିସ୍କୁଟ ଠାରୁ ଆରମ୍ଭ କରି ମୋବାଇଲ ରିଚାର୍ଜ ଯାଏଁ ସବୁ ହେଲା ମହଙ୍ଗା!

Oct 24, 2026 - 10:45
ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼: ସାବୁନ, ତେଲ, ବିସ୍କୁଟ ଠାରୁ ଆରମ୍ଭ କରି ମୋବାଇଲ ରିଚାର୍ଜ ଯାଏଁ ସବୁ ହେଲା ମହଙ୍ଗା!

ନୂଆଦିଲ୍ଲୀ,୨୪।୧୦: ସାଧାରଣ ଲୋକଙ୍କ ପକେଟ ଉପରେ ମହଙ୍ଗା ମାଡ଼ର ଆଉ ଏକ ବଡ଼ ବୋଝ ପଡ଼ିବାକୁ ଯାଉଛି। କ୍ରିସିଲ (CRISIL), ଏଲାରା ଏବଂ କୋଟାକ ନିଓର ବିଶ୍ଳେଷକମାନଙ୍କ ରିପୋର୍ଟ ଅନୁସାରେ, ଅଶୋଧିତ ତୈଳ ଏବଂ ସପ୍ଲାଇ ଚେନ ବାଧାପ୍ରାପ୍ତ ହେବା ଯୋଗୁଁ ଏଫଏମ୍ସିଜି (FMCG) କମ୍ପାନୀଗୁଡ଼ିକ ପାଇଁ କଞ୍ଚାମାଲ ପ୍ରାୟ ୭୪% ପର୍ଯ୍ୟନ୍ତ ମହଙ୍ଗା ହୋଇଯାଇଛି। ଏହାର ସିଧାସଳଖ ପ୍ରଭାବ କମ୍ପାନୀଗୁଡ଼ିକର ଲାଭ ଏବଂ ଆଗାମୀ ଦିନରେ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ଉପରେ ପଡ଼ିବାକୁ ଯାଉଛି। ଜାଣନ୍ତୁ କେଉଁ ସବୁ ଜିନିଷର ଦାମ ବଢ଼ିବାକୁ ଯାଉଛି ଏବଂ ଏହା ପଛର ମୁଖ୍ୟ କାରଣ କ’ଣ।

ସାବୁନ, ଟୁଥପେଷ୍ଟ, ଚକୋଲେଟ, ଖାଇବା ତେଲ, ଚାହା ଏବଂ ବିସ୍କୁଟ ଭଳି ପ୍ରତିଦିନ ବ୍ୟବହୃତ ହେଉଥିବା ଜିନିଷ ଆଗାମୀ ଦିନରେ ଆହୁରି ମହଙ୍ଗା ହୋଇପାରେ। ବଢ଼ୁଥିବା ଉତ୍ପାଦନ ଖର୍ଚ୍ଚର ବୋଝ ସମ୍ଭାଳିବା ପାଇଁ କମ୍ପାନୀଗୁଡ଼ିକ ନିଜ ସାମଗ୍ରୀର ଦାମ ବଢ଼ାଇବାକୁ ପ୍ରସ୍ତୁତି ଚଳାଇଛନ୍ତି।

ତଥ୍ୟ ଅନୁସାରେ, ବର୍ଷକ ପୂର୍ୱ ତୁଳନାରେ କଞ୍ଚାମାଲ ଦରରେ ବିପୁଳ ବୃଦ୍ଧି ଘଟିଛି:

* ଅଶୋଧିତ ତୈଳରୁ ର୍ନିମିତ ସାମଗ୍ରୀ: ୭୪% ପର୍ଯ୍ୟନ୍ତ ମହଙ୍ଗା
* ପ୍ଲାଷ୍ଟିକ ରେଜିନ: ୬୦% ବୃଦ୍ଧି
* କୋକୋ: ୪୬% ମହଙ୍ଗା
* ଟ୍ରକ ଭଡ଼ା (ପରିବହନ): ୧୩% ବୃଦ୍ଧି
* ଚିନି (ପାଇକାରୀ): ୧୨.୭% ମହଙ୍ଗା
* ପାମ ଅଏଲ (ଆମଦାନୀ): ୧୦% ମହଙ୍ଗା
* ଖାଇବା ତେଲ: ୯.୪% ବୃଦ୍ଧି
* ଚାହା: ୫.୬% ମହଙ୍ଗା
* କ୍ଷୀର: ୪.୦% ମହଙ୍ଗା
* ମକା: ୩.୩% ମହଙ୍ଗା

ଅଶୋଧିତ ତୈଳ ଦର ବୃଦ୍ଧି ପାଇ ବ୍ୟାରେଲ ପିଛା ପ୍ରାୟ $୧୧୩ ଡଲାରରେ ପହଞ୍ଚିଛି, ଯାହା ଖାଦ୍ୟପେୟ ଏବଂ ଦୈନନ୍ଦିନ ସାମଗ୍ରୀର ଖର୍ଚ୍ଚକୁ ବେଶ ବଢ଼ାଇ ଦେଇଛି। ଏପର୍ଯ୍ୟନ୍ତ କମ୍ପାନୀଗୁଡ଼ିକ ପୁରୁଣା ଷ୍ଟକ ମାଧ୍ୟମରେ କାରବାର ଚଳାଉଥିଲେ, କିନ୍ତୁ ଯେମିତି ଯେମିତି ପୁରୁଣା ଷ୍ଟକ ଶେଷ ହେବ, ବର୍ଦ୍ଧିତ ଖର୍ଚ୍ଚର ପ୍ରକୃତ ପ୍ରଭାବ ଦେଖିବାକୁ ମିଳିବ। ଅନ୍ୟପଟେ ଦୁର୍ୱଳ ମୌସୁମୀ ପ୍ରଭାବରେ ଗ୍ରାମାଞ୍ଚଳରେ ଚାହିଦା ପ୍ରଭାବିତ ହୋଇଛି, ଯାହାଫଳରେ କମ୍ପାନୀଗୁଡ଼ିକର ଲାଭ ମାର୍ଜିନ ୧ରୁ ୧.୫% ପର୍ଯ୍ୟନ୍ତ ହ୍ରାସ ପାଇପାରେ। ତଥାପି, ପାର୍ୱଣ ଋତୁ ହେତୁ ସହରାଞ୍ଚଳରେ ଚାହିଦା ବର୍ତ୍ତମାନ ମଧ୍ୟ ମଜଭୁତ ରହିଛି।

ଖାଦ୍ୟ ସାମଗ୍ରୀ ଏବଂ ଦୈନନ୍ଦିନ ବ୍ୟବହାର୍ଯ୍ୟ ଜିନିଷ ବ୍ୟତୀତ, ମୋବାଇଲ ୟୁଜର୍ସଙ୍କ ପାଇଁ ମଧ୍ୟ ଖରାପ ଖବର ରହିଛି। ରିପୋର୍ଟ ଅନୁସାରେ, ଟେଲିକମ କମ୍ପାନୀଗୁଡ଼ିକ ଏହି ବର୍ଷ ଡିସେମ୍ୱର ସୁଦ୍ଧା ମୋବାଇଲ ଟାରିଫ ୧୫% ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି। ଏହା ପରେ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ପ୍ରତି ଦୁଇ ବର୍ଷରେ ମୋବାଇଲ ସେବା ପ୍ରାୟ ୧୨% ପର୍ଯ୍ୟନ୍ତ ମହଙ୍ଗା ହେବାର ଆଶଙ୍କା ପ୍ରକାଶ ପାଇଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।