ସାରସକଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁ କନ୍ୟା ମୃତ୍ୟୁ ଅଭିଯୋଗରେ ଉତ୍ତେଜନା

Sep 20, 2026 - 12:58
ସାରସକଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁ କନ୍ୟା ମୃତ୍ୟୁ ଅଭିଯୋଗରେ ଉତ୍ତେଜନା

ନନ୍ଦିଘୋଷ ବ୍ୟୁରୋ :  ସାରସକଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା । ଶିଶୁ କନ୍ୟା ମୃତ୍ୟୁ ଅଭିଯୋଗରେ ବ୍ୟାପକ ଭଙ୍ଗାରୁଜା ସହ ଔଷଧ ଓ ମେଡିକାଲ୍ ସାମଗ୍ରୀ ପୋଡ଼ିଲେ ଉତ୍ତ୍ୟକ୍ତ ଲୋକେ । ଘଟଣା ସ୍ଥଳରେ ବ୍ୟାପକ ପୋଲିସ ମୁତୟନ । ହସ୍ପିଟାଲରେ ଡାକ୍ତର ଅନୁପସ୍ଥିତ ଥିବା ଦେଖି କ୍ରୋଧିତ ସ୍ଥାନୀୟ ବାସିନ୍ଦା ଏବଂ ମୃତକଙ୍କ ସମ୍ପର୍କୀୟମାନେ ପରିସର ଭିତରକୁ ଧସେଇ ପଶି ବ୍ୟାପକ ଭଙ୍ଗାରୁଜା ଚଳାଇଛନ୍ତି । କେବଳ ସେତିକି ନୁହେଁ, ଉତ୍ତ୍ୟକ୍ତ ଲୋକେ ଔଷଧ ଭଣ୍ଡାର ଓ ଚିକିତ୍ସା କକ୍ଷରୁ ମୂଲ୍ୟବାନ ଜୀବନରକ୍ଷାକାରୀ ଔଷଧ, ବ୍ୟାଣ୍ଡେଜ୍, ସାଲାଇନ୍ ସମେତ ବିଭିନ୍ନ ଅତ୍ୟାବଶ୍ୟକୀୟ ମେଡିକାଲ୍ ସାମଗ୍ରୀ ବାହାରକୁ ଟାଣି ଆଣି ନିଆଁ ଲଗାଇ ଦେଇଛନ୍ତି । ଝାରପୋଖରିଆ ଥାନା ପୋଲିସ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସ୍ଥିତିକୁ ଆୟତ୍ତ କରିଛି । ଗତକାଲି ସାରସକଣା ବ୍ଲକ ଅନ୍ତର୍ଗତ ମୁଣ୍ଢାକଟା ଗ୍ରାମର ବେହେରା ସାହି ବାସିନ୍ଦା ରାଜା ବେହେରାଙ୍କ କୁନି ଝିଅ ଚୁଲବୁଲ ଘରେ ଖେଳୁଥିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇପଡ଼ିଥିଲା। ପରିବାର ଲୋକେ ତୁରନ୍ତ ଉଦ୍ଧାର କରି ଏହି ସାରସକଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ହେଲେ ସେଠାରେ କୌଣସି ଡାକ୍ତର ଉପସ୍ଥିତ ନଥିଲେ । ଫଳରେ ଶିଶୁଟିକୁ ଶିର୍ଷା, ଝାରପୋଖରିଆ ଏବଂ ପରେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ନେବାକୁ ପଡ଼ିଥିଲା ଏବଂ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଦୀର୍ଘଦିନ ଧରି ସାରସକଣା ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅନୁପସ୍ଥିତ ରହୁଥିବା ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନର ଉଦାସୀନତା ଏବଂ ଠିକ୍ ସମୟରେ ପ୍ରାଥମିକ ଚିକିତ୍ସା ନମିଳିବାରୁ ଶିଶୁଟିର ପ୍ରାଣହାନି ଘଟିଥିବା ଦାବି କରି ଲୋକଙ୍କ ଆକ୍ରୋଶ ସୀମା ଟପିଥିଲା ।….

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।