ବିରାଟଙ୍କ WWE ଅବତାର! ପଡିଆ ମଝିରେ ଏମିତି କରି ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ ଚିଡାଇଲେ , ଭିଡିଓ ଭାଇରାଲ

Nov 05, 2026 - 14:20
ବିରାଟଙ୍କ WWE ଅବତାର! ପଡିଆ ମଝିରେ ଏମିତି କରି ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ ଚିଡାଇଲେ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ, ୫।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଅକଲାଣ୍ଡର ଇଡେନ ପାର୍କରେ ଖେଳାଯାଇଥିଲା। ଏହି ମ୍ୟାଚରେ ଛାଇ ରହିଥିଲେ ବିରାଟ କୋହଲି। ପ୍ରଥମେ ଫିଲ୍ଡିଂରେ ନିଜର ଦମ ଦେଖାଇଥିବା ବିରାଟ ପରେ ଜବରଦସ୍ତ ବ୍ୟାଟିଂ କରି ସମସ୍ତଙ୍କ ହୃଦୟ ଜିତିଥିଲେ। ଆପଣମାନେ ଜାଣିଥିବେ, ବିରାଟ ମୈଦାନରେ ନିଜର ହସମଜାକ ଅନ୍ଦାଜ ପାଇଁ ମଧ୍ୟ ବେଶ ପରିଚିତ। ସୋସିଆଲ ମିଡିଆରେ ତାଙ୍କର ମଜାଳିଆ ରିଆକ୍ସନ ଅନେକ ସମୟରେ ଭାଇରାଲ ହୋଇଥାଏ। ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ମଧ୍ୟ ଏଭଳି ଏକ ମଜାଦାର ଦୃଶ୍ୟ ଦେଖିବାକୁ ମିଳିଥିଲା।

ବିରାଟ କୋହଲି ନ୍ୟୁଜିଲାଣ୍ଡର ବ୍ୟାଟର୍‌ ଡାରିଲ ମିଚେଲ ଏବଂ ଗ୍ଲେନ ଫିଲିପ୍ସଙ୍କୁ ରେସଲର୍‌ ଜନ ସିନାଙ୍କ ଷ୍ଟାଇଲରେ ଚିଡ଼ାଇଥିଲେ। ବିରାଟଙ୍କ ଏଭଳି ଅନ୍ଦାଜ ଦେଖି ରୋହିତ ଶର୍ମା ମଧ୍ୟ ହସିବାକୁ ଲାଗିଥିଲେ।

ଆପଣ ଅନେକ ଥର ଦେଖିଥିବେ, ଫିଲ୍ଡିଂ ସମୟରେ ଷ୍ଟାଡିୟମରେ ବାଜୁଥିବା ମ୍ୟୁଜିକର ତାଳେ ତାଳେ ବିରାଟ କୋହଲି ସାଥୀ ଖେଳାଳିଙ୍କ ସହ ମଜାମସ୍ତି କରିଥାନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ସେ ପଡ଼ିଆରେ ଖେଳାଳିଙ୍କ ମଜା ନେଉଥିବା ନଜର ଆସିଥିଲେ। ଦିଗ୍ଗଜ ରେସଲର୍‌ ଜନ ସିନାଙ୍କ ‘You Can’t See Me’ ଇସାରା ଏବଂ ଡାଏଲଗ ବେଶ ଲୋକପ୍ରିୟ। ଏହି ଇସାରା କରିବା ସମୟରେ ସିନା ନିଜ ହାତକୁ ମୁହଁ ସାମ୍ନାରେ ଦ୍ରୁତ ଗତିରେ ଏପଟସେପଟ କରିଥାନ୍ତି। ବିରାଟ ମଧ୍ୟ ଡାରିଲ ମିଚେଲ ଏବଂ ଗ୍ଲେନ ଫିଲିପ୍ସଙ୍କୁ ଦେଖି ଠିକ ସେହିଭଳି ଇସାରା କରିଥିଲେ। ସେହି ସମୟରେ ପଡ଼ିଆରେ ଜନ ସିନାଙ୍କ ଏଣ୍ଟ୍ରି ମ୍ୟୁଜିକ ବାଜୁଥିଲା।

ତେବେ ବିରାଟଙ୍କ ଏହି ଇସାରା ଉପରେ ମିଚେଲ ଏବଂ ଫିଲିପ୍ସ କୌଣସି ପ୍ରତିକ୍ରିୟା ଦେଇନଥିଲେ। କିନ୍ତୁ ବିରାଟଙ୍କ ପଛରେ ଛିଡ଼ା ହୋଇଥିବା ରୋହିତ ଶର୍ମା ଜୋର୍‌ରେ ହସିବାକୁ ଲାଗିଥିଲେ। କୋହଲିଙ୍କ ଏହି ମଜାଳିଆ ଅନ୍ଦାଜକୁ ପ୍ରଶଂସକମାନେ ବେଶ ପସନ୍ଦ କରୁଛନ୍ତି। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି।

ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଦଳର ଆରମ୍ଭ ଭଲ ନଥିଲା। ନିୟମିତ ବ୍ୟବଧାନରେ ଉଇକେଟ୍‌ ପତନ ହେବାରୁ କୌଣସି ବ୍ୟାଟର୍‌ ବଡ଼ ଇନିଂସ ଖେଳିପାରିନଥିଲେ। ଫଳରେ ପୂରା ଦଳ ୪୦.୨ ଓଭରରେ ମାତ୍ର ୧୮୫ ରନ କରି ଅଲଆଉଟ ହୋଇଯାଇଥିଲା। ଟିମ ସିଫର୍ଟ ସର୍ବାଧିକ ୩୮ ରନ କରିଥିବା ବେଳେ ଗ୍ଲେନ ଫିଲିପ୍ସ ୩୦ ଏବଂ ଡାରିଲ ମିଚେଲ ୨୮ ରନ କରିଥିଲେ। ଶେଷ ଆଡ଼କୁ ବ୍ଲେୟାର ଟିକନର୍‌ ୩୪ ରନ୍ର ଯୋଗଦାନ ଦେଇଥିଲେ। ଭାରତ ପକ୍ଷରୁ ଅର୍ଶଦୀପ ସିଂହ ୧୦ ଓଭରରେ ୭୦ ରନ ଦେଇ ୪ଟି ଉଇକେଟ୍‌ ନେଇଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।