ସିଇସି ଜ୍ଞାନେଶ କୁମାରଙ୍କ ବିରୁଦ୍ଧରେ ମହାଭିଯୋଗ ପାଇଁ ବିରୋଧୀଙ୍କ ପ୍ରସ୍ତୁତି

Sep 24, 2026 - 21:18

ସମାଜ ଡେସ୍କ: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୁଦ୍ଧରେ ବିରୋଧୀମାନେ ପୁଣିଥରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ଯାଉଛନ୍ତି । ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ନେତୃତ୍ତ୍ୱରେ ଏହି ମହାଭିଯୋଗ ପ୍ରସ୍ତାବ ଆଗତ ହେବାକୁ ଯାଉଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି ।
ପ୍ରମୁଖ ଗଣମାଧ୍ୟମଗୁଡିକରେ ନିର୍ବାଚନ କମିଶନରେ ହୋଇଥିବା ବାଦ ବିବାଦ ସଂପର୍କିତ ଖବର ପ୍ରକାଶ ପାଇବା ପରେ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଦୁଇ ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଯୋଶୀ ୧୦ ମାସରେ ୧୪ ଥର ଏସଆଇଆର ଉପରେ ନିଜ ବିରୋଧ ବ୍ୟକ୍ତ କରିଥିଲେ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ଏସଆଇଆରକୁ ନେଇ ବିରୋଧୀ ଦଳଗୁଡ଼ିକ ପୂର୍ବରୁ ଅନେକ ଅଭିଯୋଗ ଆଣିଥିବା ବେଳେ ସଦ୍ୟତମ ରିପୋର୍ଟ ସେମାନଙ୍କ ପାଇଁ ନିଆଁରେ ଘିଅ ସଦୃଶ ହୋଇଛି । ଆସନ୍ତା ସପ୍ତାହରେ ଏହି ମହାଭିଯୋଗ ନେଇ ବିରୋଧୀ ଆବେଦନ କରିପାରନ୍ତି ବୋଲି ଶୁଣିବାକୁ ମିଳିଛି ।
ଜ୍ଞାନେଶ କୁମାରଙ୍କ ବିରୁଦ୍ଧରେ ପୂର୍ବରୁ ଥରେ ମଧ୍ୟ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇସାରିଛି । ଗତ ଏପ୍ରିଲ ୨୬ ତାରିଖରେ ରାଜ୍ୟସଭାର ୭୩ ଏମପି ଜ୍ଞାନେଶ କୁମାରଙ୍କ ବିରୁଦ୍ଧରେ ଏକ ନୋଟିସ ଜାରି କରି ତାଙ୍କ ବହିଷ୍କାର ଦାବି କରିଥିଲେ । ତେବେ ଏହି ନୋଟିସ ଏଯାଏ ସ୍ଥଗିତ ରହିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।