ସିସିଟିଭିରେ କଳା ଥାର୍, ଓରାଙ୍ଗଉଟାନ୍ ସ୍ମଗଲିଂ ନେଇ ବଢ଼ିଲା ସସପେନ୍ସ

Sep 09, 2026 - 18:50
ସିସିଟିଭିରେ କଳା ଥାର୍, ଓରାଙ୍ଗଉଟାନ୍ ସ୍ମଗଲିଂ ନେଇ ବଢ଼ିଲା ସସପେନ୍ସ

ନନ୍ଦିଘୋଷ ବ୍ୟୁରୋ :  ସିସିଟିଭି ବଢାଇଲା ସ୍ମଗଲିଂ ସସପେନ୍ସ। ଜନ୍ତୁ କାରବାର ପଛରେ କଳା ରଙ୍ଗର ଥାର୍! ଇନଭେଷ୍ଟିଗେସନ ପାଇଁ ଗ୍ରାଉଣ୍ଡ ଜିରୋରେ ଏସଟିଏଫ। ଇଣ୍ଟରନ୍ୟାସନାଲ ୱାଇଲ୍ଡଲାଇଫ୍ ଟ୍ରାଫିକିଂ ନେଟୱର୍କ ଉପରେ ମଧ୍ୟ ରହିଛି ନଜର। ବାଲେଶ୍ୱର ଭୋଗରାଇ ବିଚିତ୍ରପୁର ଜଙ୍ଗଲରୁ ୫ଟି ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ସମୟ ଯେତିକି ଗଡୁଛି, ତଦନ୍ତ ସେତିକି ରୋଚକ ମୋଡ଼ ନେଉଛି। ଘଟଣାର ତଦନ୍ତ ଭାର ସ୍ପେଶାଲ ଟାସ୍କଫୋର୍ସ ନେବା ପରେ ଆଜି ୫ ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସରଜମିନ ଯାଞ୍ଚ ଆରମ୍ଭ କରିଛି। ଅନ୍ତରାଷ୍ଟ୍ରୀୟ ସ୍ମଗଲିଂ ନେଇ ତଦନ୍ତ ଜୋରଦାର ହୋଇଥିବା ବେଳେ ସାମ୍ନାକୁ ଆସିଛି ଏକ ସିସିଟିଭି ଫୁଟେଜ୍। ଏହି ଫୁଟେଜ୍‌ରେ ପ୍ରାୟ ୧୨ ମିନିଟ୍ ବ୍ୟବଧାନରେ ଏକ କଳା ରଙ୍ଗର ଥାର୍ ଘଟଣାସ୍ଥଳ ନିକଟକୁ ଯାଆସ କରୁଥିବା ଦେଖାଯାଇଛି। ସେହି ଗାଡ଼ିରେ ମାଫିଆମାନେ ବିରଳ ପ୍ରାଣୀଙ୍କୁ ଆଣି ଛାଡ଼ିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବନବିଭାଗ ପକ୍ଷରୁ ନିୟମିତ ପାଟ୍ରୋଲିଂ ହେଉନଥିବାରୁ ଏଭଳି ଚୋରା ଚାଲାଣ ବଢ଼ୁଥିବା ମଧ୍ୟ ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି। ସେପଟେ ଟୋଲଗେଟ୍ ସିସିଟିଭି, ହ୍ୟୁମାନ ଇଣ୍ଟେଲିଜେନ୍ସ, ସ୍ମଗଲିଂ ରୁଟ୍ ଏବଂ କ୍ରାଇମ୍ ସିଣ୍ଡିକେଟ୍‌ର ସମ୍ପର୍କ ନେଇ ତଦନ୍ତକୁ ବ୍ୟାପକ କରିଛି ସ୍ପେଶାଲ ଟାସ୍କଫୋର୍ସ।

ଅନ୍ୟପଟେ ଗତକାଲି ନନ୍ଦନକାନନ ପ୍ରାଣୀଉଦ୍ୟାନରେ ୫ଟି ଓରାଙ୍ଗଉଟାନ ପହଞ୍ଚିବା ପରେ ସେମାନଙ୍କୁ ଏକ ମାସ ପାଇଁ କ୍ୱାରେଣ୍ଟାଇନରେ ରଖାଯାଇଛି। ସେମାନଙ୍କ ଖାଦ୍ୟପେୟ, ସ୍ୱାସ୍ଥ୍ୟ ଓ ଆଚରଣ ଉପରେ ବନବିଭାଗ ଏବଂ ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷ ନଜର ରଖିଛନ୍ତି। ସ୍ୱତନ୍ତ୍ର ତଦାରଖ ପାଇଁ ୩ଟି ସିଫ୍ଟରେ ଡାକ୍ତର ଓ କେୟାରଟେକରଙ୍କୁ ନିୟୋଜିତ କରାଯାଇଛି। କ୍ୱାରେଣ୍ଟାଇନ୍ ଗୃହରେ ମାସ୍କ, ଗ୍ଲୋଭ୍ସ ଓ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ୨୦୧୯ ମସିହା ମେ’ ୨୯ ତାରିଖରେ ନନ୍ଦନକାନନରେ ଥିବା ଏକ ଓରାଙ୍ଗଉଟାନ ପ୍ରାଣ ହରାଇଥିଲା। ତା’ର ନାଁ ଥିଲା ବିନ୍ନି। ଏବେ ୭ ବର୍ଷ ପରେ ପୁଣି ୫ଟି ବିରଳ ପ୍ରଜାତିର ପ୍ରାଣୀ ନନ୍ଦନକାନନକୁ ଆସିବା ପରେ ସେମାନଙ୍କୁ ନେଇ ପ୍ରାଣୀପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।