ସୀମାରେ ହଲଚଲ୍: ଯବାନଙ୍କ ଗୁଳିରେ ୨ ଆତଙ୍କବାଦୀ ସଫା !
ନନ୍ଦିଘୋଷ ବ୍ୟୁରୋ: ପଣ୍ଡ ହେଲା ପାକିସ୍ତାନର କୁଚକ୍ରାନ୍ତ । ବଡ ଯୋଜନା କରି ଭାରତକୁ ପଠାଇଥିଲା ଆତଙ୍କବାଦୀ । ହେଲେ ଭାରତୀୟ ଯବାନଙ୍କ ଗୁଳିରେ ଟଳିଲେ ଆତଙ୍କୀ । ନିଜ ସ୍ବଭାବ ଛାଡୁନି ପାକିସ୍ତାନ । ଭାରତ ପଛରେ ହାତ ଧୋଇ ପଡିଯାଇଛି । ଏହାରି ଭିତରେ ବିଏସଏଫ୍ ଦ୍ବାରା ପାକିସ୍ତାନରୁ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଦୁଇ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି । ଫଳରେ ପଞ୍ଜାବର ଭାରତ-ପାକିସ୍ତାନ ସୀମାରୁ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଯାଇଛି । ସୂଚନା ମୁତାବକ, ପଞ୍ଜାବର ତରନ ତାରଣ ସେକ୍ଟରର ରାଜୋକେ ଗ୍ରାମ ନିକଟରେ ସୀମା ସୁରକ୍ଷାରେ ନିୟୋଜିତ ବିଏସଏଫ୍ ଯବାନମାନେ ସେହି ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ବୁଦା ପାଖରେ କିଛି ହଲଚଲ ଲକ୍ଷ୍ୟ କରିଥିଲେ ଏବଂ ସେମାନଙ୍କୁ ସାମ୍ନା କରିବାକୁ ଆହ୍ବାନ ଦେଇଥିଲେ । କିନ୍ତୁ ଆଗକୁ ଆସି ସାମ୍ନା କରିବା ବଦଳରେ ଦୁଇ ପାକିସ୍ତାନୀ ନାଗରୀକ ଦୌଡି ସୀମା ପାର କରିବାକୁ ଚେଷ୍ଟା କରିଥିଲେ । ଯବାନମାନେ ସେମାନେ ଅଟକିବାକୁ ଚେତାବନୀ ଦେଇଥିଲେ, ହେଲେ ଯେତେବେଳେ ଦୁହେଁ ଅଟକିଲେ ନାହିଁ ସେତେବେଳେ ଯବାନମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କୁ ମୃତ୍ୟୁ ମୁଖକୁ ପଠାଇ ଦେଇଥିଲେ। ଯାହାପରେ ସେମାନଙ୍କ ମୃତଦେହକୁ ହେପାଜତକୁ ନିଆଯାଇ ହସ୍ପିଟାଲର ଶବଗୃହରେ ରଖାଯାଇଛି ।
ଏହି ଘଟଣା ପରେ ଏବେ ସୀମାନ୍ତ ଅଞ୍ଚଳରେ ସୁରକ୍ଷାକୁ ଆହୁରି ଅଧିକ ବଢାଇ ଦିଆଯାଇଛି । ସୁରକ୍ଷା ଏଜେନ୍ସିଗୁଡିକ ମଧ୍ୟ ସୀମାରେ କଡା ନଜର ରଖିଛନ୍ତି । ବର୍ତ୍ତମାନ ଭାରତରେ ପ୍ରବେଶ କରିଥିବା ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରିବା ଏବଂ ଭାରତରେ ଲୁଚିଛପି ପ୍ରବେଶ କରିବା ପଛରେ ସେମାନଙ୍କ ଉଦ୍ଦେଶ୍ୟ ଜାଣିବାକୁ ତଦନ୍ତ ଆରମ୍ଭ ହୋଇଛି । ଏଠାରେ ଉଲ୍ଲେଖନୀୟ ଯେ, ପଞ୍ଜାବରେ ଭାରତ-ପାକିସ୍ତାନ ସୀମା ଦେଇ ବାରମ୍ବାର ପ୍ରବେଶ କରିବାକୁ ଉଦ୍ୟମ କରାଯାଇଥାଏ । ଯାହାର ଆଗରୁ ଅନେକ ନଜରି ରହିଛି । ମନ୍ଦ ଉଦ୍ଦେଶ୍ୟ ରଖି ଆତଙ୍କବାଦୀମାନେ ବାରମ୍ବାର ଏଭଳି କରୁଛନ୍ତି । ତେଣୁ ଏହାକୁ ରୋକିବା ପାଇଁ ବିଏସଏଫ୍ ଯବାନମାନେ ଦିନରାତି ସୀମାରେ ପାଟ୍ରୋଲିଂ କରୁଛନ୍ତି । ଅନ୍ୟପଟେ ପଞ୍ଜାବର ଅମୃତସର ଜିଲ୍ଳାର ଗ୍ରାମାଞ୍ଚଳ ପୋଲିସ ଅବୖଧ ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ଚୋରା ଚାଲାଣରେ ଜଡିତ ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରି ଚାରି ଜଣଙ୍କୁ ଗିରଫ କରିଛି । ଗିରଫ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଠାରୁ ପୋଲିସ ୧୦ କିଲୋଗ୍ରାମ ହିରୋଇନ ଏବଂ ୧୦ ଟି ଅବୈଧ ପିସ୍ତଲ ଜବତ କରିଛି । ପ୍ରାରମ୍ଭିକ ତଦନ୍ତରୁ ଗିରଫ ସନ୍ଦିଗ୍ଧ ବ୍ୟକ୍ତିଙ୍କର ବିଦେଶରେ ଥିବା ଚୋରାଚାଲାଣକାରୀଙ୍କ ସହିତ ଲିଙ୍କ ଥିବା ଜଣାପଡିଛି । ସେଠାରୁ ସେମାନେ ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ କିଣି ତାକୁ ଅବୈଧ ଭାବରେ ଚୋରାଚାଲାଣ କରି ଅତି ଚାଲାକିର ସହ ଭାରତରେ ବିକ୍ରି କରୁଥିବା ଜଣାପଡିଛି । ଆଉ ବହୁ ଖୋଳତାଡ ପରେ ଏହି ଘଟଣା ଉପରୁ ପରଦା ହଟିଛି । ଏହି ମାମଲା ସର୍ମ୍ପକରେ ଅମୃତସରର ଘରିଣ୍ଡା ପୋଲିସ ଷ୍ଟେସନେ ଦୁଇଟି ଏଫଆଇଆର ରୁଜୁ କରାଯାଇଚି । ପୋଲିସ ବର୍ତ୍ତମାନ ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟ ଏବଂ ଅଭିଯୁକ୍ତଙ୍କ ସର୍ମ୍ପକ ଯାଞ୍ଚ କରୁଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।