ବିଜୟ ମାଲ୍ୟାଙ୍କଠାରୁ ବ୍ୟାଙ୍କଗୁଡ଼ିକୁ କେତେ ଆଦାୟ କରିବାକୁ ପଡିବ? ବମ୍ବେ ହାଇକୋର୍ଟରେ SBI ଦେଲା ବଡ଼ ସୂଚନା

Oct 03, 2026 - 16:20
ବିଜୟ ମାଲ୍ୟାଙ୍କଠାରୁ ବ୍ୟାଙ୍କଗୁଡ଼ିକୁ କେତେ ଆଦାୟ କରିବାକୁ ପଡିବ? ବମ୍ବେ ହାଇକୋର୍ଟରେ SBI ଦେଲା ବଡ଼ ସୂଚନା

ନନ୍ଦିଘୋଷ ବ୍ୟୁରୋ : ବିଜୟ ମାଲ୍ୟାଙ୍କଠାରୁ ଋଣ ଆଦାୟ ମାମଲାରେ ବ୍ୟାଙ୍କଗୁଡ଼ିକ ଏପର୍ଯ୍ୟନ୍ତ କେତେ ଟଙ୍କା ପାଇବାକୁ ବାକି ରହିଛି, ତାହା ନେଇ ବମ୍ବେ ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। SBI ନେତୃତ୍ୱାଧୀନ ବ୍ୟାଙ୍କ କନସୋର୍ଟିୟମ୍‌ର ତଥ୍ୟ ଅନୁଯାୟୀ, ୩୧ ଅଗଷ୍ଟ ୨୦୨୬ ସୁଦ୍ଧା ପ୍ରାୟ ୮,୭୫୧.୮୬ କୋଟି ଆଦାୟ ହେବା ବାକି ରହିଛି।

ବ୍ୟାଙ୍କଗୁଡ଼ିକର ତଥ୍ୟ ଅନୁଯାୟୀ, ଋଣ ଆଦାୟ ପ୍ରକ୍ରିୟାରେ ଏପର୍ଯ୍ୟନ୍ତ ପ୍ରାୟ ୧୦,୨୭୦ କୋଟି ଆଦାୟ କରାଯାଇଛି। ଏହା ବ୍ୟତୀତ ମାମଲା ଦାୟର ହେବା ପୂର୍ବରୁ ପ୍ରାୟ ୫୪୪.୫୮ କୋଟି ଆଦାୟ ହୋଇଥିବା ଦାବି କରାଯାଇଛି।ତେବେ ଆଦାୟ ହୋଇଥିବା ରାଶି ଓ ବାକି ଥିବା ବକେୟାକୁ ସରଳ ଭାବେ ଯୋଗ କିମ୍ବା ବିୟୋଗ କରି ଦେଖାଯାଇପାରିବ ନାହିଁ। ସୁଧ, ଖର୍ଚ୍ଚ ଓ ଅନ୍ୟାନ୍ୟ ଆଇନଗତ ଦାୟିତ୍ୱ ଯୋଗୁଁ ବକେୟା ରାଶିରେ ପରିବର୍ତ୍ତନ ହୋଇଛି। ଜାନୁଆରୀ ୨୦୨୬ରେ ଦାଖଲ ହୋଇଥିବା ସତ୍ୟପାଠରେ ବକେୟା ପ୍ରାୟ ୮,୧୩୫.୬୩ କୋଟି ଥିବା ଉଲ୍ଲେଖ ହୋଇଥିଲା। ପରେ ସୁଧ ଓ ଅନ୍ୟାନ୍ୟ ଦାୟିତ୍ୱ ଯୋଡ଼ିବା ପରେ ଏହି ରାଶି ୩୧ ଅଗଷ୍ଟ ସୁଦ୍ଧା ୮,୭୫୧.୮୬ କୋଟି ହୋଇଥିବା ବ୍ୟାଙ୍କଗୁଡ଼ିକ କହିଛନ୍ତି।

ବିଜୟ ମାଲ୍ୟା ୨୦୨୦ରେ ବମ୍ବେ ହାଇକୋର୍ଟରେ ଆବେଦନ କରି ତାଙ୍କ ବିରୋଧରେ ଥିବା ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ରଦ୍ଦ କରିବାକୁ ଦାବି କରିଥିଲେ। ତାଙ୍କ ପକ୍ଷରୁ ଯୁକ୍ତି ଦିଆଯାଇଥିଲା ଯେ ବ୍ୟାଙ୍କଗୁଡ଼ିକ ତାଙ୍କ ଋଣ ଦାବିଠାରୁ ଅଧିକ ରାଶି ଆଦାୟ କରିସାରିଛନ୍ତି ଏବଂ ଏହି ବିବାଦର ଆଉ କୌଣସି ଅର୍ଥନୈତିକ ଆଧାର ନାହିଁ।ତେବେ ବ୍ୟାଙ୍କଗୁଡ଼ିକ ଏହି ଦାବିକୁ ବିରୋଧ କରିଛନ୍ତି ।

ବ୍ୟାଙ୍କଗୁଡ଼ିକ କୋର୍ଟକୁ ଜଣାଇଛନ୍ତି ଯେ ମାମଲାରେ ସଂଲଗ୍ନ ହୋଇଥିବା କିଛି ସେୟାର ଏବେ ବି ବିକ୍ରି ହୋଇନାହିଁ। ଅର୍ଥାତ୍ ମାଲ୍ୟାଙ୍କଠାରୁ ଟଙ୍କା ଆଦାୟ ପ୍ରକ୍ରିୟା ଏପର୍ଯ୍ୟନ୍ତ ପୂରା ହୋଇନାହିଁ।

ଅନ୍ୟପକ୍ଷରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପକ୍ଷରୁ କୁହାଯାଇଛି ଯେ ପ୍ରାୟ ୧୪,୧୩୧.୬ କୋଟି ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି SBI ନେତୃତ୍ୱାଧୀନ ବ୍ୟାଙ୍କ କନସୋର୍ଟିୟମ୍‌କୁ ଫେରସ୍ତ କରାଯାଇଛି। ତେବେ EDର ଯୁକ୍ତି ହେଉଛି, ବ୍ୟାଙ୍କ ଋଣ ଆଦାୟ ପ୍ରକ୍ରିୟା ଏବଂ ମନି ଲଣ୍ଡରିଂ ସମ୍ବନ୍ଧୀୟ ଫୌଜଦାରୀ ମାମଲାକୁ ଅଲଗା ଭାବରେ ବିଚାର କରିବା ଆବଶ୍ୟକ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।