ସୁନା ବିସ୍କୁଟ ନାଁରେ ଲୁଟ୍, ପୋଲିସ ଜାଲରେ ୩ ଅଭିଯୁକ୍ତ

Oct 11, 2026 - 21:28
ସୁନା ବିସ୍କୁଟ ନାଁରେ ଲୁଟ୍, ପୋଲିସ ଜାଲରେ ୩ ଅଭିଯୁକ୍ତ

ବରଗଡ଼: ବରଗଡ଼ରେ ନକଲି ସୁନା ବିସ୍କୁଟ ବିକ୍ରି ନାଁରେ ଲୁଟ୍ ଅଭିଯୋଗ । ସୁନା ବିସ୍କୁଟ କିଣିବାକୁ ଡାକି ଜଣେ ବ୍ୟକ୍ତିଙ୍କ ଠାରୁ ୪୨ ହଜାର ଟଙ୍କା ଛଡ଼ାଇ ନେବା ସହ ଆକ୍ରମଣ କରିଥିବା ଅଭିଯୋଗ । ଅଭିଯୋଗ ପରେ ୩ ଜଣଙ୍କୁ ଗିରଫ କଲା ପୋଲିସ । ରମେଶ ସାହୁଙ୍କୁ ଏକ ଅଜଣା ମୋବାଇଲ୍ ନମ୍ବରରୁ ଫୋନ୍ କରି ସୁନା ବିସ୍କୁଟ ଥିବା କହି ୪ ଲକ୍ଷ ଟଙ୍କାରେ ବିକ୍ରି କରିବା ପ୍ରସ୍ତାବ ଦେଇଥିଲେ ଅଭିଯୁକ୍ତ । ପରେ ଅକ୍ଟୋବର ୧୦ ତାରିଖ ସକାଳ ପ୍ରାୟ ୯ଟା ସମୟରେ ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଦୁବୁଲାବାହାଲ ଛକ ନିକଟକୁ ତାଙ୍କୁ ଡାକିଥିଲେ । ସେଠାରେ ଏକ ମୋଟର ସାଇକେଲରେ ଆସିଥିବା ୩ ଜଣ ବ୍ୟକ୍ତି ତାଙ୍କୁ ସୁନା ପରି ଦେଖାଯାଉଥିବା ଦୁଇଟି ବିସ୍କୁଟ ଆକୃତିର ଜିନିଷ ଦେଖାଇଥିଲେ ।

ତେବେ ଉକ୍ତ ଜିନିଷ ନକଲି ବୋଲି ସନ୍ଦେହ କରି ପ୍ରତିବାଦ କରିବା ପରେ ଅଭିଯୁକ୍ତମାନେ ତାଙ୍କୁ ଆକ୍ରମଣ କରି ୪୨ ହଜାର ଟଙ୍କା ନେଇ ସେଠାରୁ ଚମ୍ପଟ ମାରିଥିଲେ । ରମେଶ ଏନେଇ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ କରି ବଲାଙ୍ଗୀର କାପାଣି ଗ୍ରାମର ଦୁର୍ଯ୍ୟୋଧନ ତାଣ୍ଡି, ବଡ଼ବେଜୁରୀ ଗ୍ରାମର ରାଜୁ ରାୟ ଏବଂ ମାଟିଖାଇ ଗ୍ରାମର ତପନ ଓରଫ ତପନେଶ୍ୱର ବାଗଙ୍କୁ ଗିରଫ କରିଛି । ପୋଲିସ ସେମାନଙ୍କଠାରୁ ୪୨ ହଜାର ଟଙ୍କା, ସୁନା ପରି ଦେଖାଯାଉଥିବା ଦୁଇଟି ଧାତୁ ଖଣ୍ଡ ଏବଂ ଏକ ବାଇକ ଜବତ କରିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।